ସରକାରୀ ଅଫିସ୍ ଭିତରେ ଯଦି କୌଣସି ଅଫିସର ବା କର୍ମଚାରୀ ପାନ, ଗୁଟଖା ବା କୌଣସି ମାଦକ ଦ୍ରବ୍ୟ ସେବନ କରୁଥାଆନ୍ତି, ତେବେ ହୋଇଯାଆନ୍ତୁ ସାବଧାନ । ସେମାନଙ୍କ ବିରୋଧରେ କଡ଼ା କାର୍ଯ୍ୟାନୁଷ୍ଠାନ ନିଆଯିବ । ରାଜସ୍ବ ବିଭାଗ ପକ୍ଷରୁ ଆଜି ଏ ନେଇ କଡ଼ା ଚେତାବନୀ ଦିଆଯାଇଛି । ଏଥିସହ ନାଗରିକଙ୍କ ଅଭିଯୋଗର ତ୍ବରିତ ସମଧାନ କରିବାକୁ ଦିଆଯାଇଛି କଡ଼ା ନିର୍ଦ୍ଦେଶ ।
ଅତିରିକ୍ତ ମୁଖ୍ୟ ଶାସନ ସଚିବ ଭାବେ ଦାୟିତ୍ଵ ଗ୍ରହଣ କରୁ କରୁ ସୋମବାର ସରକାରୀ ଅଧିକାରୀ ଓ କର୍ମଚାରୀଙ୍କୁ ଚେତାବନୀ ଦେଇଛନ୍ତି ଅରବିନ୍ଦ ପାଢ଼ୀ । ରାଜ୍ୟ ମୁଖ୍ୟାଳୟ, ଜିଲ୍ଲା ଓ ତହସିଲ୍ ଅଫିସରେ କାମ କରୁଥିବା ସବୁ ଅଧିକାରୀ ଓ କର୍ମଚାରୀଙ୍କୁ ରାଜସ୍ବ ପ୍ରଶାସନକୁ ସୁଦୃଢ଼ କରିବାକୁ ଦେଇଛନ୍ତି କଡ଼ା ନିର୍ଦ୍ଦେଶ । ସଚ୍ଚୋଟତା, ବୃତ୍ତିଗତ ନିଷ୍ଠା ତଥା ସମ୍ବେଦନଶୀଳତାକୁ ପ୍ରାଥମିକତା ଦେବା ସହ ତ୍ବରିତ ପ୍ରୟାସ ମାଧ୍ୟମରେ ବ୍ୟବସ୍ଥା ପ୍ରତି ରାଜ୍ୟବାସୀଙ୍କ ବିଶ୍ଵାସ ବୃଦ୍ଧି କରିବା ପାଇଁ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି ଅରବିନ୍ଦ ପାଢ଼ୀ ।
ପୁଣି ସରକାରୀ ଅଧିକାରୀ ଓ କର୍ମଚାରୀ ଡ୍ୟୁଟିରେ ଥିବାବେଳେ ପାନ, ତମାଖୁ ଜାତୀୟ ଦ୍ରବ୍ୟ ସେବନ କିମ୍ବା ଧୁମ୍ରପାନ କି ମଦ୍ୟପାନ କଲେ ନିଆଯିବ କଡ଼ା କାର୍ଯ୍ୟାନୁଷ୍ଠାନ । ସେହିପରି ନାଗରିକଙ୍କ ଅଭିଯୋଗର ତ୍ବରିତ ସମଧାନ, ଉତ୍ତମ ଶାସନ ପାଇଁ ପ୍ରଯୁକ୍ତିବିଦ୍ୟାର ବ୍ୟବହାର, ଲୋକସେବାରେ ଶିଷ୍ଟାଚାର ଓ ଶୃଙ୍ଖଳା ପାଳନ, ଦୁର୍ନୀତି ପ୍ରତି ଶୂନ୍ୟ ସହନଶୀଳତା, ଜଗନ୍ନାଥଙ୍କ ଜମି ସମେତ ସବୁ ସରକାରୀ ଜମିର ସୁରକ୍ଷା, ସରକାରୀ କାର୍ଯ୍ୟରେ ଓଡ଼ିଆ ଭାଷାର ବ୍ୟାପକ ବ୍ୟବହାର ପାଇଁ କୁହାଯାଇଛି । ସେହିପରି ଶୁକ୍ରବାର ହସ୍ତତନ୍ତ ପୋଷାକ ପିନ୍ଧିବା ପାଇଁ ଅଧିକାରୀ ଓ କର୍ମଚାରୀଙ୍କୁ ପରାମର୍ଶ ଦିଆଯାଇଛି ।
ସେପଟେ ଦୁର୍ନୀତି ଗ୍ରସ୍ତ ଅଫିସରଙ୍କୁ ରାଜସ୍ବ ମନ୍ତ୍ରୀ ଦେଇଛନ୍ତି କଡ଼ା ଚେତାବନୀ । ଲାଞ୍ଚ ମାଗୁଥିଲେ ନାଲି କୋଠା ଦେଖିବେ ବାବୁ । ରାଜସ୍ୱ ଅଧିକାରୀ ଲାଞ୍ଚ ମାଗିଲେ ତାଙ୍କୁ ଜଣାଇବାକୁ କହିଛନ୍ତି ସୁରେଶ ପୂଜାରୀ । ସାଧାରଣ ନାଗରିକଙ୍କୁ VIP ଟ୍ରିଟମେଣ୍ଟ ଯୋଗାଇ ଦେବା ପାଇଁ ଅଧିକାରୀ ଓ କର୍ମଚାରୀଙ୍କ ପାଇଁ ସଂସ୍କାରମୂଳକ ଗାଇଡ୍ ଲାଇନ ଜାରି ହୋଇଛି । ଦୁର୍ନୀତି ଓ ଏହାର ପୃଷ୍ଠପୋଷକଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ବି ଦିଆଯାଇଛି ଚେତାବନୀ ।

