ଜାନୁଆରୀ ୧୦ ତାରିଖରୁ ପଲ୍ୟୁସନ୍ ଟେଷ୍ଟିଂ ସେଣ୍ଟରରେ ମିଳିବ ଗ୍ରୀନ୍ ଷ୍ଟିକର । ଏନେଇ ଘୋଷଣା କରିଛି ଓଡ଼ିଶା ରାଜ୍ୟ ପରିବହନ ବିଭାଗ । ଗ୍ରୀନ୍ ଷ୍ଟିକରରେ ଗାଡ଼ି ନମ୍ବର ସହ PUC ସାର୍ଟିଫିକେଟର ଅବଧି ସମ୍ପର୍କରେ ମିଳିବ ତଥ୍ୟ । ସେହିପରି PUCC ପଞ୍ଜିକରଣ ହୋଇଥିବା ସେଣ୍ଟର ସମ୍ପର୍କରେ ମଧ୍ୟ ସୂଚନା ମିଳିବ । ଗ୍ରୀନ୍ ଷ୍ଟିକର ପାଇଁ ପ୍ରତି ପରିବହନ କାର୍ଯ୍ୟାଳୟରେ ସ୍ବତନ୍ତ୍ର କାଉଣ୍ଟର ରହିବ । ଜାନୁୟାରୀ ୯ ପର୍ଯ୍ୟନ୍ତ PUCC କରିଥିବା ଗାଡ଼ି ଚାଳକ RTOରୁ ଗ୍ରୀନ୍ ଷ୍ଟିକର ନେବେ । 10 ତାରିଖରୁ ପଲ୍ୟୁସନ ସେଣ୍ଟର ଗୁଡ଼ିକରେ ମିଳିବ ଗ୍ରୀନ ଷ୍ଟିକର । PUC ସାର୍ଟିଫିକେଟ ଥିଲେ ଓ ଗ୍ରୀନ ଷ୍ଟିକର ନ ଥିଲେ ପଡ଼ିବନି ଫାଇନ । ଗ୍ରୀନ୍ ଷ୍ଟିକର ପାଇଁ ଗାଡ଼ି ମାଲିକଙ୍କୁ ଅତିରିକ୍ତ ଦେୟ ଦେବାକୁ ପଡ଼ିବନି ।
ଚାରି ଚକିଆ ଗାଡ଼ିର ଫ୍ରଣ୍ଟ ୱିଣ୍ଟୋ ସ୍କ୍ରିନ୍ ବାମ କୋଣରେ ଲଗାଇବେ ଗ୍ରୀନ୍ ଷ୍ଟିକର । ସେହିପରି ଦୁଇ ଚକିଆ ଗାଡ଼ିରେ ବାହାରକୁ ଦେଖାଗଲା ଭଳି ଗ୍ରୀନ୍ ଷ୍ଟିକର ଲଗାଇବେ । ଷ୍ଟିକରରେ ଗାଡ଼ି ନମ୍ବର, PUCCର ବୈଧ ତାରିଖ, ଟେଷ୍ଟିଂ ସେଣ୍ଟର ନାଁ ରହିବ । ଗ୍ରୀନ ଷ୍ଟିକରରେ କଳା ପରମାନେଣ୍ଟ ମାର୍କର ପେନରେ ତଥ୍ୟ ଲେଖାଯିବ । ଗ୍ରୀନ ଷ୍ଟିକରରେ ଓଭର ରାଇଟିଂ କିମ୍ବା କୌଣସି ସଂଶୋଧନ ହେବ ନାହିଁ । PUC ସାର୍ଟିଫିକେଟ୍ ନ କରି ଗ୍ରୀନ ଷ୍ଟିକର ଲଗାଇଲେ ଫାଇନ୍ ଲାଗିବ । ଷ୍ଟିକର୍ ଜାରି କରିବା ପୂର୍ବରୁ RTO ଅଧିକାରୀମାନେ ଯାନର ପ୍ରଦୂଷଣ ପ୍ରମାଣପତ୍ର, ପଞ୍ଜୀକରଣ ବିବରଣୀ ଏବଂ VAHAN ଡାଟାବେସ୍ରେ ଥିବା ରେକର୍ଡକୁ ଯାଞ୍ଚ କରିବେ ।
ସେପଟେ ଗାଡ଼ି ଚାଳକଙ୍କୁ ମିଳିଲା ଆଶ୍ୱସ୍ତି । PUCC ଅବଧି ସୀମା ମାର୍ଚ୍ଚ ୩୧ ପର୍ଯ୍ୟନ୍ତ ବୃଦ୍ଧି କଲେ ସରକାର । ଏହା ପରେ ଅର୍ଥାତ ୧ ଏପ୍ରିଲରୁ PUCC ସାର୍ଟିଫିକେଟ୍ ନଥିଲେ ଆକ୍ସନ ନେବେ ସରକାର । ଏନେଇ ସୂଚନା ଦେଲେ ପରିବହନ ମନ୍ତ୍ରୀ ବିଭୂତି ଜେନା । ଲୋକଙ୍କ ଅସୁବିଧାକୁ ଦେଖି ଏହି ନିଷ୍ପତ୍ତି ନେଇଥିବା କହିଛନ୍ତି ପରିବହନ ମନ୍ତ୍ରୀ । ମାର୍ଚ୍ଚ ୩୧ ସୁଦ୍ଧା ପ୍ରଦୂଷଣ ପ୍ରମାଣପତ୍ର କରାଇନେବାକୁ କହିଲେ ପରିବହନ ମନ୍ତ୍ରୀ ।
ଅନିୟମିତତାକୁ ଦେଖି ୪୨ଟି ଟେଷ୍ଟିଂ ସେଣ୍ଟରର ଲାଇସେନ୍ସ ରଦ୍ଦ ହୋଇଛି । ଅଧିକରୁ ଅଧିକ ଟେଷ୍ଟିଂ ସେଣ୍ଟର ଖୋଲିବାକୁ ଆହ୍ବାନ କରୁଛୁ । ଯେଉଁମାନେ ଟେଷ୍ଟିଂ ସେଣ୍ଟର ପାଇଁ ଆବେଦନ କରିବେ ସେମାନଙ୍କୁ ଅଗ୍ରାଧିକାର ଦେବୁ । ଗ୍ରୀନ୍ ଷ୍ଟିକର ବାଧ୍ୟତାମୂଳକ ନୁହେଁ, ଲଗାଇଲେ ଯାଞ୍ଚ ପାଇଁ ସୁବିଧା । ଯେଉଁମାନେ PUCC କରି ସାରିଛନ୍ତି, ସେମାନେ ଷ୍ଟିକର RTOରୁ ପାଇବେ ବୋଲି କହିଛନ୍ତି ପରିବହନ ମନ୍ତ୍ରୀ । ପରିବହନ ବିଭାଗ ପକ୍ଷରୁ ଏହି ଷ୍ଟିକର ଯୋଗାଇ ଦିଆଯିବ । ଏପ୍ରିଲ ୧ରୁ ପ୍ରଦୂଷଣ ପ୍ରମାଣପତ୍ର ନଥିଲେ ହେବ କାର୍ଯ୍ୟାନୁଷ୍ଠାନ ।

