17 Oct 2026, Sat

ଚିଟଫଣ୍ଡ କ୍ଷୁଦ୍ର ଆବେଦନକାରୀ ଫେରିପାଇବେ ଟଙ୍କା । ବିଭିନ୍ନ ଦୈନିକ ଖବରକାଗଜରେ ଏହି ବିଜ୍ଞାପନ ପ୍ରକାଶ ପାଇବାପରେ ପୁଣି ଥରେ ଏହାକୁ ନେଇ ବଢିଲା ଚର୍ଚ୍ଚା । ଜାନୁଆରୀ ୩୧ ସୁଦ୍ଧା ଜମାକାରୀ ତାଙ୍କ ଜମାରାଶି ଫେରିପାଇବେ ବୋଲି କହିଛି ଅର୍ଥ ବିଭାଗ । ଅନ୍ୟପଟେ ଲକ୍ଷାଧିକ ଟଙ୍କା ଜମାକରିଥିବା ଜମାକାରୀ ଏବେ ବି ଟଙ୍କା ଫେରିବା ଅପେକ୍ଷାରେ । ଖବରକାଗଜରେ ପ୍ରକାଶ ପାଇଥିବା ଏହି ବିଜ୍ଞାପନ ଅନେକଙ୍କୁ ଆଶ୍ବସ୍ତି ଦେଇଛି । ଚିଟଫଣ୍ଡ କ୍ଷୁଦ୍ର ଆବେଦନକାରୀ ଟଙ୍କା ଫେରିପାଇବେ ବୋଲି ଆଶା ସଞ୍ଚାର ହୋଇଛି । କିନ୍ତୁ ଜୀବନର ସମସ୍ତ ପୁଞ୍ଜି ଚିଟଫଣ୍ଡ ସଂସ୍ଥାରେ ଜମା କରିଥିବା ଅନେକ ଜମାକାରୀ ଏବେବି ଅନିଶ୍ଚିତତା ଭିତରେ ।

ଭୁବନେଶ୍ବର ଭୀମଟାଙ୍ଗୀରେ ଦେବଦାସ । ପୁରା ପରିବାର ଏହି ଘରେ ରୁହନ୍ତି। ବାପା-ମା ଉଭୟ ରୋଗୀ। ବାପା ଶଯ୍ୟାଶାୟୀ । ଟଙ୍କା ଜମା କଲେ ଘର ମିଳିବ । ଏହି ଆଶାରେ ଏହି ପରିବାର ଜୀବନର ସମସ୍ତ ପୁଞ୍ଜି ଟିଟଫଣ୍ଡ ସଂସ୍ଥା ହାତରେ ଟେକିଦେଇଥିଲା । ସ୍ବପ୍ନର ଘର ତ ମିଳିବା ଦୁରର କଥା ନିଜେ ରହୁଥିବା ଘରର ଅବସ୍ଥା ପୁରା ଖରାପ । ଛାତରୁ ପ୍ଲାଷ୍ଟର ବାହାରି ଗଲାଣି। ସେତକ ସଜାଡିବାକୁ ବି ପାଖରେ ଟଙ୍କା ନାହିଁ ।

ଅର୍ଥ ବିଭାଗର ନିଷ୍ପତ୍ତି ଅନୁଯାୟୀ ୮ ହଜାରରୁ ୧୦ ହଜାର ପର୍ଯ୍ୟନ୍ତ ଟଙ୍କା ଫେରି ପାଇବେ ଜମାକାରୀ । ଏବେ ସରକାର ଆଉ ୫ ଲକ୍ଷ ଜମାକାରୀଙ୍କୁ ଚିହ୍ନଟ କରିଛନ୍ତି । ସେମାନେ ଜାନୁଆରୀ ୩୧ ଭିତରେ ଟଙ୍କା ଫେରି ପାଇବେ ବୋଲି ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ କହିଛନ୍ତି । ସରକାର ଯାହା ନିର୍ବାଚନ ପ୍ରତିଶ୍ରୁତି ଦେଇଥିଲେ ତାକୁ ପାଳନ କରୁଛନ୍ତି ବୋଲି ସେ କହିଛନ୍ତି । କେବଳ କ୍ଷୁଦ୍ର ଜମାକାରୀ ନୁହଁ ବରଂ ସମସ୍ତ ଜାମାକରୀଙ୍କୁ ଚିହ୍ନଟ କରି ଟଙ୍କା ଫେରାଇବା ପାଇଁ ସରକାର ୟୋଜନା କରନ୍ତୁ ବୋଲି କ୍ଷତିଗ୍ରସ୍ତ ମିଳିତ ମଞ୍ଚ ଦାବି କରିଛି ।

ଚିଟଫଣ୍ଡକୁ ନେଇ ରାଜ୍ୟରେ ଅନେକ ତୁମ୍ୱିତୋଫାନ ହୋଇଛି। ରାଜନୀତି ବି ସରଗରମ ହୋଇଛି। ରାଜନୈତିକ ଦଳ ଏହାକୁ ନିର୍ବାଚନୀ ପ୍ରସଙ୍ଗ ବି କରିଛନ୍ତି। କିନ୍ତୁ ଜମାକାରୀଙ୍କ ଦୁଖ କମିବା ପରିବର୍ତ୍ତେ ବଢିଚାଲିଛି। କେବଳ କ୍ଷୁଦ୍ର ଜମାକାରୀ ନୁହଁ ବରଂ ସମସ୍ତ ଜମାକାରୀ ତାଙ୍କ ଟଙ୍କା କିପରି ଫେରିପାଇବେ ସେନେଇ ସରକାର ବିଚାର କରୁ ବୋଲି ଦାବି କରିଛନ୍ତି ଜମାକାରୀ ।

Leave a Reply

Your email address will not be published. Required fields are marked *