ଭୁବନେଶ୍ୱର: ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟରେ ଟଙ୍କା ଅଛି କି? ତେବେ ସାବଧାନ! ଆଜିକାଲି ଗୋଟିଏ ଭୁଲ୍ କ୍ଲିକ୍ କିମ୍ବା ଅଜଣା ଲିଙ୍କ୍ ଉପରେ ଟ୍ୟାପ୍ କରିବା ମାତ୍ରେ ଖାଲି ହୋଇଯାଉଛି ଲୋକଙ୍କ ବ୍ୟାଙ୍କ ଆକାଉଣ୍ଟ। ଡିଜିଟାଲ୍ ଯୁଗରେ ଅନଲାଇନ୍ ପେମେଣ୍ଟ ଯେତିକି ସହଜ ହୋଇଛି, ସାଇବର ଠକେଇର ବିପଦ ମଧ୍ୟ ସେତିକି ବଢ଼ିଛି। ତେବେ ଏହି ଠକେଇକୁ ରୋକିବା ଏବଂ ବ୍ୟାଙ୍କ ଗ୍ରାହକଙ୍କ ଟଙ୍କାକୁ ଅଧିକ ସୁରକ୍ଷିତ ରଖିବା ପାଇଁ ବଡ଼ ପଦକ୍ଷେପ ନେବାକୁ ଯାଉଛି ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)।
RBI ପକ୍ଷରୁ ଡିଜିଟାଲ୍ ପେମେଣ୍ଟକୁ ଅଧିକ ସୁରକ୍ଷିତ କରିବା ପାଇଁ କିଛି ନୂଆ ପ୍ରସ୍ତାବ ରଖାଯାଇଛି। ଏହି ପ୍ରସ୍ତାବଗୁଡ଼ିକ ଲାଗୁ ହେଲେ ଗ୍ରାହକ ନିଜ ବ୍ୟାଙ୍କ ଆକାଉଣ୍ଟ ଓ ଟଙ୍କା ଟ୍ରାନ୍ସଫର୍ ଉପରେ ଅଧିକ ନିୟନ୍ତ୍ରଣ ପାଇପାରିବେ। ଏପରିକି ଠକେଇର ସନ୍ଦେହ ହେଲେ ଗୋଟିଏ ସୁଇଚ୍ ମାଧ୍ୟମରେ ଟଙ୍କା ଡେବିଟ୍ ବନ୍ଦ କରିବାର ସୁବିଧା ମଧ୍ୟ ମିଳିପାରେ।
ତେବେ RBIର ଏହି ନୂଆ ପ୍ରସ୍ତାବରେ କ’ଣ ରହିଛି? କେମିତି ଆପଣଙ୍କ ଆକାଉଣ୍ଟର ଟଙ୍କା ସୁରକ୍ଷିତ ରହିବ? ଆସନ୍ତୁ ଜାଣିବା।
RBIର ପ୍ରସ୍ତାବ ଅନୁଯାୟୀ, ବ୍ୟାଙ୍କ ଗ୍ରାହକଙ୍କୁ ନିଜର ଡିଜିଟାଲ୍ ପେମେଣ୍ଟ ଚ୍ୟାନେଲ୍କୁ ନିଜ ଇଚ୍ଛାରେ ବନ୍ଦ ଓ ପୁଣି ସକ୍ରିୟ କରିବାର ସୁବିଧା ମିଳିପାରେ।
ଅର୍ଥାତ୍ ଆପଣ ଯଦି ଇଣ୍ଟରନେଟ୍ ବ୍ୟାଙ୍କିଂ, ମୋବାଇଲ୍ ବ୍ୟାଙ୍କିଂ କିମ୍ବା ଅନ୍ୟ ଡିଜିଟାଲ୍ ପେମେଣ୍ଟ ସେବା ନିୟମିତ ବ୍ୟବହାର କରୁନାହାନ୍ତି, ତେବେ ଏହାକୁ ବନ୍ଦ ରଖିପାରିବେ। ଯେତେବେଳେ ଆବଶ୍ୟକ ପଡ଼ିବ, ପୁଣି ସକ୍ରିୟ କରିପାରିବେ।
ଏହାଦ୍ୱାରା ଅନାବଶ୍ୟକ ଡିଜିଟାଲ୍ ପେମେଣ୍ଟ ଚ୍ୟାନେଲ୍ ସବୁବେଳେ ଖୋଲା ରଖିବାର ଆବଶ୍ୟକତା ରହିବ ନାହିଁ। ଚ୍ୟାନେଲ୍ ବନ୍ଦ ଥିବା ସମୟରେ ସେହି ମାଧ୍ୟମରେ ଟଙ୍କା ଡେବିଟ୍ ହୋଇପାରିବ ନାହିଁ।
RBIର ଏହି ପ୍ରସ୍ତାବ ମଧ୍ୟରେ ସବୁଠାରୁ ଚର୍ଚ୍ଚିତ ବ୍ୟବସ୍ଥା ହେଉଛି ‘ଷ୍ଟପ୍ ସୁଇଚ୍’। ଧରନ୍ତୁ, ହଠାତ୍ ଆପଣଙ୍କୁ ସନ୍ଦେହ ହେଲା ଯେ ଆପଣଙ୍କ ବ୍ୟାଙ୍କ ଆକାଉଣ୍ଟର ତଥ୍ୟ କୌଣସି ସାଇବର ଠକଙ୍କ ହାତରେ ପଡ଼ିଛି। କିମ୍ବା ଆପଣଙ୍କ ଆକାଉଣ୍ଟରୁ ବେଆଇନ ଭାବେ ଟଙ୍କା ଟ୍ରାନ୍ସଫର୍ ହେବାର ଆଶଙ୍କା ରହିଛି।
ଏଭଳି ସ୍ଥିତିରେ ଏହି ଷ୍ଟପ୍ ସୁଇଚ୍ ବ୍ୟବହାର କରି ଆକାଉଣ୍ଟରୁ ହେବାକୁ ଥିବା ଡେବିଟ୍ କାରବାରକୁ ତୁରନ୍ତ ବନ୍ଦ କରିବାର ସୁବିଧା ମିଳିପାରେ।
ଏହାଦ୍ୱାରା ଠକମାନେ ଆପଣଙ୍କ ଆକାଉଣ୍ଟରୁ ଆଉ ଟଙ୍କା ଉଠାଇବା କିମ୍ବା ଅନ୍ୟ ଆକାଉଣ୍ଟକୁ ପଠାଇବାର ସୁଯୋଗ ପାଇବେ ନାହିଁ। ଅର୍ଥାତ୍ ଠକେଇର ସନ୍ଦେହ ହେବା ମାତ୍ରେ ଟଙ୍କା ଯିବା ରାସ୍ତାକୁ ବନ୍ଦ କରିବାର ଏକ ବ୍ୟବସ୍ଥା ହୋଇପାରେ।
ନୂଆ ପ୍ରସ୍ତାବ ଅନୁଯାୟୀ, ଗ୍ରାହକ ନିଜ ଇଚ୍ଛା ଅନୁସାରେ ଟଙ୍କା ଟ୍ରାନ୍ସଫର୍ର ସୀମା ଧାର୍ଯ୍ୟ କରିପାରିବେ।
ଗୋଟିଏ ଟ୍ରାନ୍ସଫର୍ରେ ସର୍ବାଧିକ କେତେ ଟଙ୍କା ପଠାଇବେ, ଜଣେ ବ୍ୟକ୍ତିଙ୍କୁ ଦିନକରେ କେତେ ଟଙ୍କା ପଠାଇବେ ଏବଂ ଦିନକୁ ମୋଟ କେତେ ଟଙ୍କା ଟ୍ରାନ୍ସଫର୍ କରିବେ, ସେସବୁର ସୀମା ନିଜେ ସ୍ଥିର କରିବାର ବିକଳ୍ପ ମିଳିପାରେ।
ଉଦାହରଣ ସ୍ୱରୂପ, ଆପଣ ଯଦି ଜଣେ ବ୍ୟକ୍ତିଙ୍କୁ ଦିନକୁ ସର୍ବାଧିକ ୨୦ ହଜାର ଟଙ୍କା ପଠାଇବାର ସୀମା ରଖିଛନ୍ତି, ତେବେ ସେହି ସୀମାଠାରୁ ଅଧିକ ଟଙ୍କା ଟ୍ରାନ୍ସଫର୍ କରିବା ସମ୍ଭବ ହେବନାହିଁ।
ଏହାର ସବୁଠାରୁ ବଡ଼ ଲାଭ ହେଉଛି, ଯଦି କୌଣସି ଠକ ଆପଣଙ୍କ ଆକାଉଣ୍ଟକୁ ଟାର୍ଗେଟ୍ କରେ, ତେବେ ଆପଣଙ୍କ ଦ୍ୱାରା ଧାର୍ଯ୍ୟ ଟ୍ରାନ୍ସଫର୍ ସୀମା ଏକ ଅତିରିକ୍ତ ସୁରକ୍ଷା କବଚ ଭାବେ କାମ କରିପାରିବ।
RBIର ଆଉ ଏକ ପ୍ରସ୍ତାବ ହେଉଛି ‘ଟ୍ରଷ୍ଟେଡ୍ ପର୍ସନ୍ ମେକାନିଜମ୍’। ଏହି ବ୍ୟବସ୍ଥାରେ ଗ୍ରାହକ ନିଜର ଜଣେ ବିଶ୍ୱସ୍ତ ବ୍ୟକ୍ତିଙ୍କୁ ଚୟନ କରିପାରିବେ।
ନିର୍ଦ୍ଦିଷ୍ଟ ଉଚ୍ଚ ମୂଲ୍ୟର ଟଙ୍କା ଟ୍ରାନ୍ସଫର୍ କରିବା ସମୟରେ ସେହି ବ୍ୟକ୍ତିଙ୍କ ଅନୁମତି ଆବଶ୍ୟକ ହୋଇପାରେ। ଏହାଦ୍ୱାରା ବିଶେଷ କରି ବୟସ୍କ ବ୍ୟକ୍ତି ଓ ଡିଜିଟାଲ୍ ବ୍ୟାଙ୍କିଂରେ ଅଭ୍ୟସ୍ତ ନଥିବା ଗ୍ରାହକଙ୍କୁ ଅତିରିକ୍ତ ସୁରକ୍ଷା ମିଳିପାରିବ।
କୌଣସି ବଡ଼ ଟ୍ରାନ୍ସଫର୍ କରିବା ପୂର୍ବରୁ ଆଉ ଜଣେ ବିଶ୍ୱସ୍ତ ବ୍ୟକ୍ତିଙ୍କ ସହମତି ନେବାର ବ୍ୟବସ୍ଥା ଠକେଇର ଆଶଙ୍କାକୁ କମ୍ କରିପାରେ।
RBIର ଏହି ପ୍ରସ୍ତାବଗୁଡ଼ିକ ଲାଗୁ ହେଲେ ଗ୍ରାହକ ନିଜ ଡିଜିଟାଲ୍ ପେମେଣ୍ଟ ଉପରେ ଅଧିକ ନିୟନ୍ତ୍ରଣ ପାଇପାରିବେ। ଅନାବଶ୍ୟକ ପେମେଣ୍ଟ ଚ୍ୟାନେଲ୍ ବନ୍ଦ ରଖିବା, ଟ୍ରାନ୍ସଫର୍ ସୀମା ନିର୍ଦ୍ଧାରଣ କରିବା ଏବଂ ଠକେଇର ସନ୍ଦେହ ହେଲେ ଟଙ୍କା ଡେବିଟ୍ ଅଟକାଇବା ଭଳି ବିକଳ୍ପ ମିଳିପାରିବ।
ତେବେ ଏଠାରେ ଗୋଟିଏ କଥା ମନେ ରଖିବା ଜରୁରୀ। ଏହି ସମସ୍ତ ବ୍ୟବସ୍ଥା ଏବେ ପ୍ରସ୍ତାବ ସ୍ତରରେ ରହିଛି। ଏଗୁଡ଼ିକୁ ଚୂଡ଼ାନ୍ତ ନିୟମ ଭାବେ ଧରିନେବା ଠିକ୍ ନୁହେଁ। RBI ପକ୍ଷରୁ ଚୂଡ଼ାନ୍ତ ନିୟମ ଘୋଷଣା ଓ ଲାଗୁ ହେବା ପରେ ହିଁ ଗ୍ରାହକ ଏହି ସୁବିଧା ପାଇପାରିବେ।
ସେପର୍ଯ୍ୟନ୍ତ ଅନଲାଇନ୍ ପେମେଣ୍ଟ କରିବା ସମୟରେ ସତର୍କ ରୁହନ୍ତୁ। ଅଜଣା ଲିଙ୍କ୍ରେ କ୍ଲିକ୍ କରନ୍ତୁ ନାହିଁ, OTP ଓ PIN କାହା ସହିତ ସେୟାର କରନ୍ତୁ ନାହିଁ ଏବଂ ସନ୍ଦେହଜନକ କାରବାର ଦେଖିଲେ ତୁରନ୍ତ ନିଜ ବ୍ୟାଙ୍କକୁ ଜଣାନ୍ତୁ।

