ଏବେ ମିଶନ ଚଣ୍ଡିଗଡ । ସରିଛି ବାରବାଟୀ ଟକ୍କର। କଟକ ବାରବାଟୀ ଷ୍ଟାଡିୟମରେ ଖେଳାଯାଇଥିବା ଟି-୨୦ ମ୍ୟାଚ୍ରେ ଟିମ୍ ଇଣ୍ଡିଆ ଏତେ ଭଲ ପ୍ରଦର୍ଶନ କରିଥିଲା ଯେ ଦକ୍ଷିଣ ଆଫ୍ରିକା ତିଷ୍ଠି ପାରିଲା ନାହିଁ। କହିବାକୁ ଗଲେ ଭାରତୀୟ ଟିମ୍ ଏକପାଖିଆ ଭାବରେ ମ୍ୟାଚ୍ ଜିତିଗଲା। ଯଦିଓ ମ୍ୟାଚ୍ଟି ଭାରତ ପାଇଁ ଏକ ବଡ଼ ଧରଣର ବିପର୍ଯ୍ୟୟ ସହିତ ଆରମ୍ଭ ହୋଇନଥିଲା, ହାର୍ଦ୍ଦିକ ପାଣ୍ଡ୍ୟାଙ୍କ ବିସ୍ଫୋରକ ବ୍ୟାଟିଂ ଏବଂ ବୁମରା-ଅର୍ଶଦୀପଙ୍କ ଘାତକ ବୋଲିଂ ଆଫ୍ରିକୀୟ ଦଳକୁ ସମ୍ପୂର୍ଣ୍ଣ ଭାବରେ ଅଭିଭୂତ କରିଥିଲା। ବାରବାଟୀରେ ବିଜୟ ପରେ ଏବେ ମିଶନ ଚଣ୍ଡିଗଡ ।
ସେଥିପାଇଁ ନେଟ୍ସରେ ଜୋରଦାର ପ୍ରାକ୍ଟିସ୍ ଚାଲିଥିଲା । ସକାଳୁ ସକାଳୁ ଶୀତ କାକରକୁ ଖାତିର ନକରି ବାରବାଟୀ ଷ୍ଟାଡିୟମରେ ପହଞ୍ଚିଯାଇଥିଲେ ଭାରତୀୟ କ୍ରିକେଟ ଟିମ୍ର ସ୍ପିନର ବରୁଣ । କଟକ ବାରବାଟି ଷ୍ଟାଡିୟମରେ ହଠାତ୍ ପହଞ୍ଚିଥିଲେ ବରୁଣ ଚକ୍ରବର୍ତ୍ତୀ । କାରଣ ବାରବାଟି ଆସି ନେଟ ଅଭ୍ୟାସ କରିବାର ଥିଲା ଟାର୍ଗେଟ ।
ସକାଳ ସାଢେ଼ ଆଠଟା ପାଖାପାଖି ବରୁଣ ବାରବାଟୀ ଷ୍ଟାଡିୟମ୍ ରେ ପହଞ୍ଚିଥିଲେ । ପାଖାପାଖି ଘଣ୍ଟାଏ ଝାଳ ବୁହାଇଲେ ଟି-୨୦ର ଏକ ନମ୍ୱର ସ୍ପିନର । ମଙ୍ଗଳବାରର ଦମ୍ଦାର ପ୍ରଦର୍ଶନ ପରେ ବି ଥକିନି ପାଦ । ହାତକୁ ବି ଫୁରସତ ନାହିଁ । କାରଣ ଆଗକୁ ଡିସେମ୍ୱର ୧୧ରେ ଦ୍ୱିତୀୟ ଟି-୨୦ । ସେଥିପାଇଁ ଆଜି ବାରବାଟୀରେ ପ୍ରାକ୍ଟିସ କରିଥିଲେ ବରୁଣ ।

