ଦୀର୍ଘ ବିଳମ୍ବରୁ ନେଇ ବିମାନ ବାତିଲ୍ ପର୍ଯ୍ୟନ୍ତ ସପ୍ତାହେ ହେଲାଣି ଚର୍ଚ୍ଚାରେ ଇଣ୍ଡିଗୋ । ଏୟାରପୋର୍ଟରେ ଯାତ୍ରୀଙ୍କ ରାଗ ଅଭିମାନ ଚରମରେ ପହଞ୍ଚିଛି । ଯେଉଁ ଇଣ୍ଡିଗୋ ଦିନେ କମ୍ ମୂଲ୍ୟ ପାଇଁ ସମସ୍ତଙ୍କ ପ୍ରଥମ ପସନ୍ଦ ସାଜିଥିଲା ଆଜି ସେହି ଇଣ୍ଡିଗୋ ନାଁ ଶୁଣିଲେ ଯାତ୍ରୀ ତାତି ଉଠୁଛନ୍ତି ।ସମୟାନୁବର୍ତ୍ତିତା ପାଇଁ ଦିନେ ଜଣାଶୁଣା ଥିଲା ଇଣ୍ଡିଗୋ । ଏବେ ଶତାଧିକ ବିମାନ ବାତିଲ ଓ ବିଳମ୍ବକୁ ନେଇ ମୁଣ୍ଡାଉଛି ଅପବାଦ । ଇଣ୍ଡିଗୋର ପରିଚାଳନାଗତ ତ୍ରୁଟି ପାଇଁ ଯାତ୍ରୀ କେତେ ଯେ ହନ୍ତସନ୍ତ ହେଉଛନ୍ତି ସୋସିଆଲ୍ ମିଡିଆ ଦେଖିଲେ ବାରି ହୋଇ ପଡ଼ୁଛି । ବିମାନବନ୍ଦରରେ ମାଳ ମାଳ ଲଗେଜ୍, ବୋର୍ଡିଂ ଗେଟ୍ରେ ଅସମ୍ଭାଳ ଭିଡ଼… କହୁଛି ଯାତ୍ରୀଙ୍କ ବେଦନା ।
ଯଦିଓ ଏବେ ଇଣ୍ଡିଗୋ ଭାରତର ସବୁଠୁ ବଡ଼ ଏୟାରଲାଇନ୍ । ୬୦ ପ୍ରତିଶତରୁ ଅଧିକ ମାର୍କେଟ ଇଣ୍ଡିଗୋ କବ୍ଜାରେ ରହିଛି । ଆଉ ବର୍ତ୍ତମାନ ଇଣ୍ଡିଗୋ ସଂକଟ ମନେ ପକାଇ ଦେଉଛି ଭାରତ ଦେଖିଥିବା ସେହି ସମୟକୁ… ଯେଉଁଠି ବିମାନ କ୍ଷେତ୍ରରେ ଥିଲା ଅସ୍ଥିରତା ଆଉ ଅସ୍ଥିରତା । ଏୟାରଲାଇନ୍ସ ଗୁଡ଼ିକ ଆକାଶରେ ଉଡ଼ନ୍ତି, ସୁନାମ ବି ଆଣି ଚର୍ଚ୍ଚାରେ ରୁହନ୍ତି । ପୁଣି ଆସେ ସେହିଦିନ… ଯେବେ ବିଗିଡ଼ି ଯାଏ ଆର୍ଥିକ ସ୍ଥିତି, ତୁଟିଯାଏ ସମ୍ପର୍କ । ଅଥବା ସମୟ ସହ ତାଳ ଦେଇ ପରିଚାଳନା ଶୈଳୀ ବଦଳାଇବାରେ ବିଫଳ ଯୋଗୁଁ ଉଚ୍ଚତାରେ ଉଡ଼ୁଥିବା ବିମାନ ହଠାତ ଭୂମିରେ ଧରାଶାୟୀ ହୋଇଯାଏ ।
ବିଗତ ଅଢ଼େଇ ଦଶନ୍ଧିରେ ଭାରତ ଏଭଳି ୯ଟି ବିମାନ ସେବା ପ୍ରଦାନକାରୀ ସଂସ୍ଥା ଦେଖିଛି । ଯେଉଁମାନେ ଦିନେ ଚର୍ଚ୍ଚାରେ ଥିଲେ, ଭାରତର ବିମାନ ଚଳାଚଳ କ୍ଷେତ୍ରରେ ବିପ୍ଳବ ଆଣିଥିଲେ । କିନ୍ତୁ ସମୟ କ୍ରମେ ସେମାନେ ଏବେ ଇତିହାସ । ସେହି ଏୟାରଲାଇନ୍ସ ଗୁଡ଼ିକର ଭୂମିକା ରହିଛି ଇଣ୍ଡିଗୋର ଉତ୍ଥାନ ପଛରେ ।

