ଭାରତୀୟ କ୍ରିକେଟ୍ର ଷ୍ଟାର ଖେଳାଳି ବିରାଟ କୋହଲି ଓ ତାଙ୍କ ପତ୍ନୀ ଅନୁଷ୍କା ଶର୍ମାଙ୍କର ପ୍ରେମାନନ୍ଦ ମହାରାଜଙ୍କ ପ୍ରତି ଗଭୀର ଆସ୍ଥା ରହିଛି। ଦୁହେଁ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ଏକାଧିକ ଥର ଯାଇଛନ୍ତି। ତେବେ ଏହି ସମ୍ପର୍କକୁ ନେଇ ନିକଟରେ ଏକ ବଡ଼ ଦାବି ସୋସିଆଲ ମିଡିଆରେ ଚର୍ଚ୍ଚାରେ ଆସିଥିଲା।
ଫାଲାହାରୀ ମହାରାଜ ଦିନେଶ ଶର୍ମା ବିରାଟ କୋହଲିଙ୍କୁ ନେଇ ଏକ ଅଭିଯୋଗ କରିଥିବା ଦାବି କରାଯାଇଥିଲା। ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମକୁ ଆସିବା ପାଇଁ କୋହଲି ୫ କୋଟି ଟଙ୍କା ନେଇଥିବା ନେଇ ଏହି ଦାବି ଥିଲା।
ଏହି ଦାବି ସୋସିଆଲ ମିଡିଆରେ ଭାଇରାଲ ହେବା ପରେ ବିରାଟ କୋହଲି ଓ ପ୍ରେମାନନ୍ଦ ମହାରାଜଙ୍କ ସମ୍ପର୍କକୁ ନେଇ ଚର୍ଚ୍ଚା ବଢ଼ିଥିଲା।
ଏବେ ଏହି ଦାବି ଉପରେ ବିରାଟ କୋହଲିଙ୍କ ଟିମ୍ ପ୍ରତିକ୍ରିୟା ରଖିଛି। କୋହଲିଙ୍କ ମୁଖପାତ୍ରଙ୍କ ପକ୍ଷରୁ ଜାରି ବିବୃତ୍ତିରେ ଏହି ଦାବିକୁ ସମ୍ପୂର୍ଣ୍ଣ ମିଥ୍ୟା, ଭିତ୍ତିହୀନ ଓ ତଥ୍ୟଗତ ଭାବେ ଭୁଲ ବୋଲି କୁହାଯାଇଛି।
ବିବୃତ୍ତି ଅନୁସାରେ, ପ୍ରେମାନନ୍ଦ ମହାରାଜଙ୍କ ପ୍ରତି ବିରାଟ କୋହଲିଙ୍କ ଗଭୀର ବିଶ୍ୱାସ ଓ ଭକ୍ତି ରହିଛି। ଏହି କାରଣରୁ ସେ ତାଙ୍କୁ ଭେଟିବାକୁ ଆଶ୍ରମ ଯାଇଛନ୍ତି ବୋଲି କୋହଲିଙ୍କ ଟିମ୍ ସ୍ପଷ୍ଟ କରିଛି।
କୋହଲିଙ୍କ ଟିମ୍ ଆହୁରି କହିଛି ଯେ ଏଭଳି ଦାବିକୁ ଗଣମାଧ୍ୟମରେ ପ୍ରଚାର କିମ୍ବା ରିପୋର୍ଟ କରିବା ପୂର୍ବରୁ ଯଥୋଚିତ ତଥ୍ୟ ଯାଞ୍ଚ ଓ ଦାୟିତ୍ୱପୂର୍ଣ୍ଣ ରିପୋର୍ଟିଂ ହେବା ଆବଶ୍ୟକ।
ବିରାଟ କୋହଲି ନିଜେ ଜଣେ ବଡ଼ ବ୍ରାଣ୍ଡ ଏବଂ ବିଭିନ୍ନ ବ୍ରାଣ୍ଡ ଏଣ୍ଡୋର୍ସମେଣ୍ଟ ଓ ବ୍ୟବସାୟିକ କାର୍ଯ୍ୟକଳାପରୁ ତାଙ୍କର ବଡ଼ ଆୟ ରହିଛି। ତେଣୁ ତାଙ୍କ ନାଁରେ ଏଭଳି ଦାବି ପ୍ରଚାର କରିବା ପୂର୍ବରୁ ତଥ୍ୟ ଯାଞ୍ଚ ଉପରେ ଜୋର ଦେଇଛି ତାଙ୍କ ଟିମ୍।
ବିରାଟ କୋହଲି ଓ ଅନୁଷ୍କା ଶର୍ମା ୨୦୨୩ ଜାନୁଆରୀରେ ପ୍ରଥମଥର ପାଇଁ ପ୍ରେମାନନ୍ଦ ମହାରାଜଙ୍କ ଆଶ୍ରମ ପରିଦର୍ଶନ କରିଥିବା ଜଣାପଡ଼ିଥିଲା। ଏହା ପରେ ମଧ୍ୟ ଦୁହେଁ ଏକାଧିକ ଥର ଆଶ୍ରମକୁ ଯାଇଛନ୍ତି।
ତେବେ ୫ କୋଟି ଟଙ୍କା ନେଇଥିବା ଦାବିକୁ କୋହଲିଙ୍କ ଟିମ୍ ଦୃଢ଼ ଭାବେ ଖଣ୍ଡନ କରିଛି। ଏହା ସହ ଭବିଷ୍ୟତରେ ବିରାଟ କୋହଲିଙ୍କ ନାଁରେ ଭୁଲ ତଥ୍ୟ ପ୍ରଚାର ନକରିବାକୁ ମଧ୍ୟ ସତର୍କ କରାଯାଇଛି।

