ମାଛଧରାଳିଙ୍କ ଛୋଟ ଗାଁରୁ ଆଜି ବିଶ୍ୱର ଅନ୍ୟତମ ଅତ୍ୟାଧୁନିକ ଟେକ୍ନୋଲୋଜି ସହର। ଯେଉଁଠି ରାସ୍ତାରେ ଚାଲୁଛି ଡ୍ରାଇଭରବିହୀନ ଟ୍ୟାକ୍ସି, ଆକାଶରେ ଉଡ଼ୁଛି ଡ୍ରୋନ୍ ଏବଂ ରୋବଟ୍ କରୁଛି ବିଭିନ୍ନ କାମ। ଏହା ହେଉଛି ଚୀନର ଶେନଝେନ୍ ସହର। ଆଜି ଏହି ସହର କେବଳ ଚୀନର ଅର୍ଥନୈତିକ ଶକ୍ତିର ପରିଚୟ ନୁହେଁ, ବରଂ ଆଧୁନିକ ପ୍ରଯୁକ୍ତିବିଦ୍ୟାର ଏକ ବଡ଼ କେନ୍ଦ୍ର ଭାବେ ଉଭା ହୋଇଛି।
ମନିଲାରେ ଆସିଆନ୍ ଶିଖର ସମ୍ମିଳନୀ ପରେ ଏବେ ଚୀନର ଶେନଝେନ୍ ସହର ଉପରେ ଅନ୍ତର୍ଜାତୀୟ ନଜର ରହିଛି। ନଭେମ୍ବର ୧୮ରୁ ୧୯ ତାରିଖ ପର୍ଯ୍ୟନ୍ତ ଏଠାରେ ଏସିଆ-ପ୍ରଶାନ୍ତ ଅର୍ଥନୈତିକ ସହଯୋଗ (APEC) ଶିଖର ସମ୍ମିଳନୀ ଆୟୋଜନ ହେବାକୁ ଥିବା ଖବର ଆସିଛି। ଏହି ବୈଠକକୁ ନେଇ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ, ଚୀନ୍ ରାଷ୍ଟ୍ରପତି ସି ଜିନପିଙ୍ଗ୍ ଏବଂ ରୁଷ ରାଷ୍ଟ୍ରପତି ଭ୍ଲାଦିମିର ପୁଟିନଙ୍କ ସମ୍ଭାବ୍ୟ ସାକ୍ଷାତକୁ ନେଇ ମଧ୍ୟ ଚର୍ଚ୍ଚା ଜୋର ଧରିଛି।
ତେବେ ପ୍ରଶ୍ନ ଉଠୁଛି, ଏକଦା ଏକ ଛୋଟ ସୀମାନ୍ତ ଅଞ୍ଚଳ ଥିବା ଶେନଝେନ୍କୁ ଚୀନ୍ କାହିଁକି ଏତେ ବଡ଼ ଅନ୍ତର୍ଜାତୀୟ ସମ୍ମିଳନୀ ପାଇଁ ବାଛିଛି? ଏହାର ଉତ୍ତର ଲୁଚି ରହିଛି ଏହି ସହରର ଅସାଧାରଣ ପରିବର୍ତ୍ତନ ଓ ବୈଷୟିକ ସଫଳତାରେ।
ଶେନଝେନ୍ର ଇତିହାସ ଆଜିର ଚକାଚକ୍ ସହରଠାରୁ ସମ୍ପୂର୍ଣ୍ଣ ଭିନ୍ନ। ଏକଦା ଏହା ‘ବାଓଆନ୍’ ନାମରେ ପରିଚିତ ଥିଲା। ଏଠାକାର ଲୋକମାନେ ମୁଖ୍ୟତଃ ମାଛ ଧରି ଜୀବିକା ନିର୍ବାହ କରୁଥିଲେ। ଅଞ୍ଚଳଟିରେ ଥିଲା ଛୋଟ ଛୋଟ ଗ୍ରାମୀଣ ବସ୍ତି ଏବଂ ସୀମିତ ଭିତ୍ତିଭୂମି।
କିନ୍ତୁ ୧୯୭୯ ମସିହାରେ ଏହି ସହରର ଭାଗ୍ୟ ବଦଳିବା ଆରମ୍ଭ ହୋଇଥିଲା। ଚୀନ୍ର ତତ୍କାଳୀନ ନେତା ଡେଙ୍ଗ୍ ସିଆଓପିଙ୍ଗ୍ ଶେନଝେନ୍କୁ ଦେଶର ପ୍ରଥମ ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ (Special Economic Zone) ମଧ୍ୟରୁ ଗୋଟିଏ ଭାବେ ଗଢ଼ିବାର ପଦକ୍ଷେପ ନେଇଥିଲେ।
ଏହାପରେ ଏଠାରେ ବିଦେଶୀ ପୁଞ୍ଜିନିବେଶ, ମୁକ୍ତ ବ୍ୟବସାୟ ଏବଂ ଘରୋଇ ଉଦ୍ୟୋଗକୁ ପ୍ରୋତ୍ସାହନ ମିଳିଥିଲା। ଧୀରେ ଧୀରେ ଶିଳ୍ପ, ବାଣିଜ୍ୟ ଓ ନିର୍ମାଣ କ୍ଷେତ୍ରରେ ଏହି ସହର ଦ୍ରୁତ ଅଭିବୃଦ୍ଧି କରିବାକୁ ଲାଗିଲା। କିଛି ଦଶନ୍ଧି ମଧ୍ୟରେ ଶେନଝେନ୍ର ଚିତ୍ର ସମ୍ପୂର୍ଣ୍ଣ ବଦଳିଗଲା।
ଆଜି ଏହା ୧ କୋଟି ୮୦ ଲକ୍ଷରୁ ଅଧିକ ଲୋକସଂଖ୍ୟା ବିଶିଷ୍ଟ ଏକ ବିଶାଳ ମହାନଗର। ଏଠାରେ ଆକାଶଛୁଆଁ ଅଟ୍ଟାଳିକା, ଆଧୁନିକ ରାସ୍ତା ଏବଂ ଅତ୍ୟାଧୁନିକ ପରିବହନ ବ୍ୟବସ୍ଥା ରହିଛି। ସହରର ପ୍ରମୁଖ ଆକର୍ଷଣ ମଧ୍ୟରେ ରହିଛି ବିଶାଳ ‘ପିଙ୍ଗ୍ ଆନ୍ ଫାଇନାନ୍ସ ସେଣ୍ଟର’।
ଶେନଝେନ୍ର ପରିଚୟ ଏବେ କେବଳ ଶିଳ୍ପ ଓ ବାଣିଜ୍ୟ ମଧ୍ୟରେ ସୀମିତ ନାହିଁ। ଆଧୁନିକ ପ୍ରଯୁକ୍ତିବିଦ୍ୟା, କୃତ୍ରିମ ବୁଦ୍ଧିମତ୍ତା (AI), ରୋବୋଟିକ୍ସ ଏବଂ ଡ୍ରୋନ୍ ନିର୍ମାଣ କ୍ଷେତ୍ରରେ ଏହା ଏକ ପ୍ରମୁଖ କେନ୍ଦ୍ର ପାଲଟିଛି।
ଏହି ସହରର ରାସ୍ତାରେ ବିନା ଡ୍ରାଇଭରରେ ଚାଲୁଥିବା ଟ୍ୟାକ୍ସି, ଇଲେକ୍ଟ୍ରିକ୍ ଗାଡ଼ି ଏବଂ ବିଭିନ୍ନ ପ୍ରକାରର ରୋବଟ୍ ଦେଖିବାକୁ ମିଳେ। ଡ୍ରୋନ୍ ମାଧ୍ୟମରେ ଲୋକଙ୍କ ପାଖରେ ଖାଦ୍ୟ ଓ ପାନୀୟ ପହଞ୍ଚାଇବା ଭଳି ସେବା ମଧ୍ୟ ଏଠାରେ ଚାଲିଛି।
ଏହି ପରିବର୍ତ୍ତନ ଶେନଝେନ୍କୁ ଭବିଷ୍ୟତର ସହର ଭାବେ ପରିଚିତ କରାଇଛି। ଅନେକ ଲୋକ ଏହାକୁ ଚୀନର ‘AI ସହର’ ବୋଲି କହୁଛନ୍ତି।
ବିଶ୍ୱର ପ୍ରମୁଖ ଟେକ୍ନୋଲୋଜି କେନ୍ଦ୍ର ଭାବେ ଆମେରିକାର ସିଲିକନ୍ ଭ୍ୟାଲିର ନାଁ ଆସିଥାଏ। କିନ୍ତୁ ଚୀନ୍ ମଧ୍ୟ ନିଜର ବୈଷୟିକ କ୍ଷମତା ବଢ଼ାଇବା ପାଇଁ ଶେନଝେନ୍କୁ ଏକ ବଡ଼ ନବସୃଜନ କେନ୍ଦ୍ର ଭାବେ ବିକଶିତ କରିଛି।
ବିଶ୍ୱର ଅନେକ ପ୍ରମୁଖ ଟେକ୍ନୋଲୋଜି କମ୍ପାନୀର ମୁଖ୍ୟାଳୟ ଏଠାରେ ରହିଛି। ଏଥିମଧ୍ୟରେ ରହିଛି ହୁଆୱେଇ, ଟେନ୍ସେଣ୍ଟ ଏବଂ DJI ଭଳି ବଡ଼ କମ୍ପାନୀ।
ହୁଆୱେଇ ଟେଲିକମ୍ ଓ ଅତ୍ୟାଧୁନିକ ପ୍ରଯୁକ୍ତି କ୍ଷେତ୍ରରେ ଏକ ବିଶ୍ୱସ୍ତରୀୟ ନାଁ। ଚିପ୍ ଉତ୍ପାଦନ ଓ AI କ୍ଷେତ୍ରରେ ଚୀନର ଆତ୍ମନିର୍ଭରଶୀଳତା ବଢ଼ାଇବା ପ୍ରୟାସରେ ଏହି କମ୍ପାନୀର ଭୂମିକା ଗୁରୁତ୍ୱପୂର୍ଣ୍ଣ।
ସେହିପରି ଟେନ୍ସେଣ୍ଟ ସୋସିଆଲ୍ ମିଡିଆ ଓ ଡିଜିଟାଲ୍ ସେବା କ୍ଷେତ୍ରରେ ଏକ ବଡ଼ କମ୍ପାନୀ। ଅନ୍ୟପଟେ DJI ଡ୍ରୋନ୍ ନିର୍ମାଣ କ୍ଷେତ୍ରରେ ବିଶ୍ୱର ଅଗ୍ରଣୀ କମ୍ପାନୀ ମଧ୍ୟରୁ ଅନ୍ୟତମ।
ଏହି କମ୍ପାନୀଗୁଡ଼ିକର ଉପସ୍ଥିତି ଶେନଝେନ୍କୁ ବିଶ୍ୱର ଟେକ୍ନୋଲୋଜି ମାନଚିତ୍ରରେ ଏକ ସ୍ୱତନ୍ତ୍ର ସ୍ଥାନ ଦେଇଛି।
ଶେନଝେନ୍ର ଅନ୍ୟତମ ପରିଚୟ ହେଉଛି ଇଲେକ୍ଟ୍ରିକ୍ ଗାଡ଼ି ନିର୍ମାଣ। ବିଶ୍ୱର ପ୍ରମୁଖ ବିଦ୍ୟୁତ୍ ଚାଳିତ ଯାନ ନିର୍ମାତା କମ୍ପାନୀ BYDର ମୁଖ୍ୟାଳୟ ଏହି ସହରରେ ଅବସ୍ଥିତ।
BYD ଇଲେକ୍ଟ୍ରିକ୍ ଯାନ ଓ ବ୍ୟାଟେରୀ ନିର୍ମାଣ କ୍ଷେତ୍ରରେ ବିଶ୍ୱସ୍ତରରେ ନିଜର ପରିଚୟ ସୃଷ୍ଟି କରିଛି। ଟେସ୍ଲା ସହ ଏହାର ପ୍ରତିଯୋଗିତା ମଧ୍ୟ ବିଶ୍ୱ ଅଟୋମୋବାଇଲ୍ ବଜାରରେ ଚର୍ଚ୍ଚାର ବିଷୟ।
APEC ସମ୍ମିଳନୀରେ ମଧ୍ୟ BYDର ଅତ୍ୟାଧୁନିକ ଯାନଗୁଡ଼ିକ ସରକାରୀ ପରିବହନ ବ୍ୟବସ୍ଥାରେ ବ୍ୟବହୃତ ହେବାର ଯୋଜନା ଥିବା ଖବର ଆସିଛି। ଏହା ମାଧ୍ୟମରେ ଚୀନ୍ ନିଜର ଇଲେକ୍ଟ୍ରିକ୍ ଯାନ ଶିଳ୍ପର ଶକ୍ତିକୁ ବିଶ୍ୱ ସମ୍ମୁଖରେ ଦେଖାଇବାକୁ ଚାହୁଁଛି।
ଶେନଝେନ୍ର ପରିବର୍ତ୍ତନ କେବଳ ଟେକ୍ନୋଲୋଜି କିମ୍ବା ଶିଳ୍ପ କ୍ଷେତ୍ରରେ ହୋଇନାହିଁ। ଏହା ବିଶ୍ୱ ବ୍ୟବସାୟ ଓ ଜୀବନଶୈଳୀର ମଧ୍ୟ ଏକ ପ୍ରମୁଖ କେନ୍ଦ୍ର ପାଲଟିଛି।
ସୋସିଆଲ୍ ମିଡିଆ କମ୍ପାନୀ ଟେନ୍ସେଣ୍ଟ, ଡ୍ରୋନ୍ ନିର୍ମାତା DJI ଏବଂ ଇଲେକ୍ଟ୍ରିକ୍ ଯାନ ନିର୍ମାତା BYD ଭଳି କମ୍ପାନୀ ଏହି ସହରର ଆର୍ଥିକ ପରିଚୟକୁ ଆହୁରି ମଜଭୁତ କରିଛନ୍ତି।
ଏହି ସହର ସହ ଆଉ ଏକ ରୋଚକ ତଥ୍ୟ ଜଡ଼ିତ। ୧୯୯୦ ମସିହାରେ ଚୀନର ପ୍ରଥମ ମ୍ୟାକ୍ଡୋନାଲ୍ଡସ୍ ରେଷ୍ଟୁରାଣ୍ଟ ଶେନଝେନ୍ରେ ଖୋଲିଥିଲା। ଏହା ଚୀନର ବିଶ୍ୱ ବ୍ୟବସାୟ ଓ ଉପଭୋକ୍ତା ସଂସ୍କୃତି ସହ ଯୋଡ଼ିହେବାର ଏକ ପ୍ରତୀକ ଭାବେ ଦେଖାଯାଏ।
ଚୀନର ଅର୍ଥନୈତିକ ବିକାଶ ଅଧ୍ୟୟନ କରୁଥିବା ବିଶେଷଜ୍ଞଙ୍କ ମତରେ, ଶେନଝେନ୍ କେବଳ ଏକ ସ୍ୱତନ୍ତ୍ର ଅର୍ଥନୈତିକ ଅଞ୍ଚଳ ହୋଇ ରହିନାହିଁ। ଏହା ଶିଳ୍ପ ଉତ୍ପାଦନରୁ ଆଗକୁ ବଢ଼ି ନବସୃଜନ, ଗବେଷଣା ଓ ଆଧୁନିକ ପ୍ରଯୁକ୍ତିର ଏକ ବଡ଼ କେନ୍ଦ୍ରରେ ପରିଣତ ହୋଇଛି।
ଶେନଝେନ୍ କେବଳ ଶିଳ୍ପ ଓ ଟେକ୍ନୋଲୋଜି ପାଇଁ ନୁହେଁ, ପର୍ଯ୍ୟଟନ ପାଇଁ ମଧ୍ୟ ଏକ ଆକର୍ଷଣୀୟ ସହର। ଏହାର ଆଧୁନିକ ଭିତ୍ତିଭୂମି, ଉଚ୍ଚ ଅଟ୍ଟାଳିକା, ପରିଷ୍କାର ରାସ୍ତା ଏବଂ ଚଳଚଞ୍ଚଳ ଜୀବନଶୈଳୀ ବିଦେଶୀ ପର୍ଯ୍ୟଟକଙ୍କୁ ଆକର୍ଷିତ କରୁଛି।
ସହରରେ ଅତ୍ୟାଧୁନିକ ପରିବହନ ବ୍ୟବସ୍ଥା ସହିତ ରହିଛି ଅନେକ ମନୋରଞ୍ଜନ ସ୍ଥଳୀ, ସପିଂ କେନ୍ଦ୍ର ଓ ପର୍ଯ୍ୟଟନସ୍ଥଳ। ଏଠାରେ ଆଧୁନିକ ସହରୀ ଜୀବନ ସହିତ ସ୍ଥାନୀୟ ସଂସ୍କୃତିର ମିଶ୍ରଣ ଦେଖିବାକୁ ମିଳେ।
ଚୀନର ଅନ୍ୟ ସହରରୁ ମଧ୍ୟ ଅନେକ ଲୋକ ଚାକିରି, ବ୍ୟବସାୟ ଓ ଉନ୍ନତ ଜୀବନଶୈଳୀର ଆଶା ନେଇ ଶେନଝେନ୍କୁ ଆସୁଛନ୍ତି। ଯୁବପିଢ଼ି, ଉଦ୍ୟୋଗୀ ଓ ଟେକ୍ନୋଲୋଜି ବିଶେଷଜ୍ଞଙ୍କ ପାଇଁ ଏହା ଏକ ଆକର୍ଷଣୀୟ ଗନ୍ତବ୍ୟସ୍ଥଳ ପାଲଟିଛି।
ଶେନଝେନ୍ର ଏହି ବିକାଶ ହିଁ ଏହାକୁ ଏକ ବଡ଼ ଅନ୍ତର୍ଜାତୀୟ ସମ୍ମିଳନୀର ଆୟୋଜନ ପାଇଁ ଆକର୍ଷଣୀୟ କରିଛି। ଏହି ସହର ମାଧ୍ୟମରେ ଚୀନ୍ ନିଜର ଅର୍ଥନୈତିକ ଶକ୍ତି, ବୈଷୟିକ ଦକ୍ଷତା ଏବଂ ଆଧୁନିକ ଭିତ୍ତିଭୂମିକୁ ବିଶ୍ୱ ସମ୍ମୁଖରେ ଉପସ୍ଥାପନ କରିପାରିବ।
ଏକଦା ମାଛଧରାଳିଙ୍କ ଗାଁ ଥିବା ଏହି ଅଞ୍ଚଳ କିପରି ଅଳ୍ପ କିଛି ଦଶନ୍ଧି ମଧ୍ୟରେ ବିଶ୍ୱର ଏକ ପ୍ରମୁଖ ଟେକ୍ନୋଲୋଜି ଓ ଶିଳ୍ପ କେନ୍ଦ୍ରରେ ପରିଣତ ହେଲା, ତାହା ଚୀନ୍ ପାଇଁ ଏକ ବଡ଼ ସଫଳତାର କାହାଣୀ।
ଏହି କାରଣରୁ ଶେନଝେନ୍କୁ କେବଳ ଏକ ସମ୍ମିଳନୀ ସ୍ଥଳ ଭାବେ ନୁହେଁ, ବରଂ ଚୀନର ଆଧୁନିକ ବିକାଶର ପ୍ରତୀକ ଭାବେ ମଧ୍ୟ ଦେଖାଯାଉଛି।

