ପୁରୀ ଶ୍ରୀମନ୍ଦିରକୁ ଯାଉଥିବା ଭକ୍ତଙ୍କ ପାଇଁ ବଡ଼ ଖବର। ନୂଆବର୍ଷ ପୂର୍ବରୁ ଶ୍ରୀମନ୍ଦିରରେ ଆରମ୍ଭ ହେବ ଧାଡ଼ି ଦର୍ଶନ ବ୍ୟବସ୍ଥା। ଭକ୍ତଙ୍କ ସୁବିଧାଜନକ ଓ ଶୃଙ୍ଖଳିତ ଦର୍ଶନ ସହ ମନ୍ଦିର ଭିତରେ ଭିଡ଼ ନିୟନ୍ତ୍ରଣ କରିବା ଲକ୍ଷ୍ୟରେ ଏହି ନୂଆ ବ୍ୟବସ୍ଥା ଲାଗୁ କରାଯିବ। ଏନେଇ ସୂଚନା ଦେଇଛନ୍ତି ରାଜ୍ୟ ଆଇନ ମନ୍ତ୍ରୀ ପୃଥ୍ୱୀରାଜ ହରିଚନ୍ଦନ।
ମନ୍ତ୍ରୀଙ୍କ ସୂଚନା ଅନୁଯାୟୀ, କାର୍ତ୍ତିକ ବ୍ରତ ଶେଷ ହେବା ପରେ ଧାଡ଼ି ଦର୍ଶନ ବ୍ୟବସ୍ଥାକୁ କାର୍ଯ୍ୟକାରୀ କରାଯିବ। ନୂଆବର୍ଷ ପୂର୍ବରୁ ଏହା ଆରମ୍ଭ କରିବାକୁ ଯୋଜନା ରହିଛି। ଏଥିପାଇଁ ଆବଶ୍ୟକ ପ୍ରସ୍ତୁତି ଓ ପ୍ରକ୍ରିୟା ଏବେ ଶେଷ ପର୍ଯ୍ୟାୟରେ ପହଞ୍ଚିଛି।
ନୂଆ ଧାଡ଼ି ଦର୍ଶନ ବ୍ୟବସ୍ଥାରେ ଏକାସାଙ୍ଗରେ ୮ଟି ରାମ୍ପ ମାଧ୍ୟମରେ ଶ୍ରଦ୍ଧାଳୁମାନେ ମହାପ୍ରଭୁଙ୍କ ଦର୍ଶନ କରିପାରିବେ। ଏହି ବ୍ୟବସ୍ଥା ଦ୍ୱାରା ଘଣ୍ଟାକ ମଧ୍ୟରେ ପ୍ରାୟ ୧୦ ହଜାର ଭକ୍ତ ଦର୍ଶନ କରିପାରିବେ ବୋଲି ଆଇନ ମନ୍ତ୍ରୀ ସୂଚନା ଦେଇଛନ୍ତି।
ଏହା ଫଳରେ ଅଧିକ ସଂଖ୍ୟକ ଭକ୍ତ କମ୍ ସମୟ ମଧ୍ୟରେ ଶୃଙ୍ଖଳିତ ଭାବେ ଦର୍ଶନ କରିପାରିବେ ବୋଲି ଆଶା କରାଯାଉଛି।
ମନ୍ଦିର ଭିତରେ ସାତପାହାଚ ପରେ ଗରୁଡ଼ ସ୍ତମ୍ଭରୁ ବାହାର କାଠ ମଧ୍ୟରେ ଏହି ଧାଡ଼ି ଦର୍ଶନ ବ୍ୟବସ୍ଥା କରାଯିବ। ଏହି ରାସ୍ତା ଦେଇ ଭକ୍ତମାନେ ଧାଡ଼ିରେ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ।
ତେବେ ବ୍ୟବସ୍ଥାକୁ ଲାଗୁ କରିବା ପୂର୍ବରୁ ଏହାର ସମସ୍ତ ଦିଗକୁ ଭଲ ଭାବେ ଅନୁଧ୍ୟାନ କରାଯିବ।
ଧାଡ଼ି ଦର୍ଶନ ବ୍ୟବସ୍ଥା ଆରମ୍ଭ ପୂର୍ବରୁ ଛତିଶା ନିଯୋଗ ଏବଂ ଶ୍ରୀମନ୍ଦିର ପରିଚାଳନା କମିଟିର ସଦସ୍ୟମାନେ ନୂଆ ବ୍ୟବସ୍ଥାର ପରିଦର୍ଶନ କରିବେ। ସେମାନଙ୍କ ଅନୁଧ୍ୟାନ ଓ ମତାମତ ପରେ ଏହାକୁ କାର୍ଯ୍ୟକାରୀ କରାଯିବ।
ଶ୍ରୀମନ୍ଦିରରେ ପ୍ରତିଦିନ ହଜାର ହଜାର ଭକ୍ତଙ୍କ ଭିଡ଼ ଜମୁଥିବା ବେଳେ ପର୍ବପର୍ବାଣି ଓ ନୂଆବର୍ଷ ଭଳି ସମୟରେ ଶ୍ରଦ୍ଧାଳୁଙ୍କ ସଂଖ୍ୟା ଆହୁରି ବଢ଼ିଯାଏ। ଏଭଳି ସ୍ଥିତିରେ ଧାଡ଼ି ଦର୍ଶନ ବ୍ୟବସ୍ଥା ଭିଡ଼ ନିୟନ୍ତ୍ରଣ ସହ ଭକ୍ତଙ୍କ ଦର୍ଶନକୁ ଅଧିକ ସୁବ୍ୟବସ୍ଥିତ କରିବାରେ ସହାୟକ ହେବ ବୋଲି ଆଶା କରାଯାଉଛି।
ତେବେ ନୂଆବର୍ଷ ପୂର୍ବରୁ ଏହି ବ୍ୟବସ୍ଥା କେବେଠାରୁ ସମ୍ପୂର୍ଣ୍ଣ ଭାବେ ଲାଗୁ ହେବ ଏବଂ ଭକ୍ତଙ୍କ ଦର୍ଶନ ପ୍ରକ୍ରିୟା କିପରି ରହିବ, ତାହା ଉପରେ ଏବେ ସମସ୍ତଙ୍କ ନଜର ରହିଛି।

