ଭୁବନେଶ୍ୱର, ୧୫/୧୦: ଦୀର୍ଘ ୮ ବର୍ଷର ବ୍ୟବଧାନ ପରେ ରାଜ୍ୟରେ ଅନୁଷ୍ଠିତ ହୋଇଛି ଛାତ୍ର ସଂସଦ ନିର୍ବାଚନ। ଗୁରୁବାର ରାଜ୍ୟର ୩୪୩ଟି କଲେଜ ଓ ୧୨ଟି ବିଶ୍ୱବିଦ୍ୟାଳୟରେ ମତଦାନ ପ୍ରକ୍ରିୟା ଶେଷ ହୋଇଛି। ସକାଳ ୮ଟାରୁ ଆରମ୍ଭ ହୋଇଥିବା ଭୋଟିଂ ଅପରାହ୍ନ ୨ଟା ପର୍ଯ୍ୟନ୍ତ ଚାଲିଥିଲା। ଏହି ନିର୍ବାଚନରେ ନିଜ ପସନ୍ଦର ଛାତ୍ରନେତାଙ୍କୁ ବାଛିବା ପାଇଁ ଛାତ୍ରଛାତ୍ରୀମାନେ ମତଦାନ କରିଛନ୍ତି।
ଦୀର୍ଘ ବର୍ଷ ପରେ ଛାତ୍ର ସଂସଦ ନିର୍ବାଚନ ହେଉଥିବାରୁ କଲେଜ ଓ ବିଶ୍ୱବିଦ୍ୟାଳୟଗୁଡ଼ିକରେ ଏହାକୁ ନେଇ ଉତ୍ସାହ ଦେଖିବାକୁ ମିଳିଥିଲା। ନିଜ ନିଜ ପସନ୍ଦର ପ୍ରାର୍ଥୀଙ୍କୁ ଜିତାଇବା ପାଇଁ ଛାତ୍ରଛାତ୍ରୀମାନେ ମତଦାନରେ ଅଂଶଗ୍ରହଣ କରିଥିଲେ। ଏହି ନିର୍ବାଚନ ମାଧ୍ୟମରେ ଛାତ୍ରଛାତ୍ରୀମାନେ ନିଜର ପ୍ରତିନିଧି ବାଛିବା ସହ କ୍ୟାମ୍ପସ୍ରେ ନିଜ ନେତୃତ୍ୱ ଚୟନ କରିଛନ୍ତି।
ସୂଚନା ଅନୁସାରେ, ୧୨ଟି ବିଶ୍ୱବିଦ୍ୟାଳୟରେ ୩୮ ଜଣ ସଭାପତି ପ୍ରାର୍ଥୀ ଏବଂ କଲେଜଗୁଡ଼ିକରେ ୮୨୮ ଜଣ ସଭାପତି ପ୍ରାର୍ଥୀଙ୍କ ଭାଗ୍ୟ ଭୋଟ୍ ବାକ୍ସରେ ବନ୍ଦ ହୋଇଛି। ମତଦାନ ପ୍ରକ୍ରିୟା ଶେଷ ହେବା ପରେ ଏବେ ସମସ୍ତଙ୍କ ନଜର ଫଳାଫଳ ଉପରେ ରହିଛି।
ନିର୍ବାଚନରେ କେଉଁ ପ୍ରାର୍ଥୀ ବାଜିମାତ୍ କରିବେ ଏବଂ କାହା ହାତକୁ ଛାତ୍ର ସଂସଦର ନେତୃତ୍ୱ ଯିବ, ତାହା ଫଳାଫଳ ପ୍ରକାଶ ପରେ ସ୍ପଷ୍ଟ ହେବ। ସୂଚନା ଅନୁସାରେ, ଆଜି ସନ୍ଧ୍ୟା ସୁଦ୍ଧା ନିର୍ବାଚନ ଫଳାଫଳ ପ୍ରକାଶ ପାଇବାର ଆଶା ରହିଛି।
ଦୀର୍ଘ ୮ ବର୍ଷ ପରେ ହୋଇଥିବା ଏହି ଛାତ୍ର ସଂସଦ ନିର୍ବାଚନ କ୍ୟାମ୍ପସ୍ ରାଜନୀତିକୁ ପୁଣି ସକ୍ରିୟ କରିଛି। ଏବେ ଛାତ୍ରଛାତ୍ରୀଙ୍କ ରାୟ କାହା ସପକ୍ଷରେ ଯାଇଛି ଏବଂ କେଉଁମାନେ ବିଜୟୀ ହେଉଛନ୍ତି, ସେନେଇ ଅପେକ୍ଷା ରହିଛି।

