କୋଇଡା: ଖଣିଜ ସମ୍ପଦରେ ସମୃଦ୍ଧ ସୁନ୍ଦରଗଡ଼ ଜିଲ୍ଲାର କୋଇଡା ଅଞ୍ଚଳ ରାଜ୍ୟର ଅର୍ଥନୀତିକୁ ଗୁରୁତ୍ୱପୂର୍ଣ୍ଣ ଅବଦାନ ଦେଉଛି। ଖଣିଜ ସମ୍ପଦ ଉତ୍ତୋଳନରୁ ଏହି ଅଞ୍ଚଳରେ ଜିଲ୍ଲା ଖଣିଜ ପ୍ରତିଷ୍ଠାନ ବା DMF (District Mineral Foundation) ପାଣ୍ଠି ମଧ୍ୟ ଗଠିତ ହୋଇଛି। ଅଞ୍ଚଳର ବିକାଶ ଓ ଲୋକଙ୍କ ଆବଶ୍ୟକତା ପୂରଣ ପାଇଁ ଏହି ପାଣ୍ଠିରୁ ବିଭିନ୍ନ ପ୍ରକଳ୍ପରେ ଅର୍ଥ ଖର୍ଚ୍ଚ ହେଉଛି। ହେଲେ ଏବେ କୋଇଡାରେ ଛାତ୍ରଛାତ୍ରୀଙ୍କ ପରିବହନ ସମସ୍ୟା ଏହି ପାଣ୍ଠିର ବ୍ୟବହାରକୁ ନେଇ ପ୍ରଶ୍ନ ଉଠାଇଛି।
ପ୍ରାୟ ଏକ ମାସ ହେଲା ବସ୍ ଚଳାଚଳ ବନ୍ଦ। ଫଳରେ ପାଟମୁଣ୍ଡା ପଞ୍ଚାୟତର ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳର ୫୦ରୁ ଅଧିକ ଛାତ୍ରଛାତ୍ରୀ ନିଜ ଜୀବନକୁ ବିପଦରେ ପକାଇ ପ୍ରତିଦିନ କଲେଜ୍ ଯାଉଥିବା ଅଭିଯୋଗ ହୋଇଛି।
କୋଇଡା ବ୍ଲକ୍ରେ ଥିବା ଏକମାତ୍ର କଲେଜ୍କୁ ପାଟମୁଣ୍ଡା ପଞ୍ଚାୟତର ଦୁର୍ଗମ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳର ଛାତ୍ରଛାତ୍ରୀଙ୍କ ଯାତାୟାତ ପାଇଁ DMF ସହାୟତାରେ ଗୋଟିଏ ବସ୍ ଯୋଗାଇ ଦିଆଯାଇଥିଲା।
ଏହି ବସ୍ ମାଧ୍ୟମରେ ଦୁର୍ଗମ ଅଞ୍ଚଳର ଛାତ୍ରଛାତ୍ରୀମାନେ ନିୟମିତ ଭାବେ କଲେଜ୍ ଯାଉଥିଲେ। କିନ୍ତୁ ବସ୍ରେ ଯାନ୍ତ୍ରିକ ତ୍ରୁଟି ଦେଖାଦେବା ପରେ ପ୍ରାୟ ଏକ ମାସ ହେଲା ଏହାର ଚଳାଚଳ ବନ୍ଦ ରହିଛି।
ବସ୍ ଚାଲୁ ନଥିବାରୁ ଏବେ ଛାତ୍ରଛାତ୍ରୀଙ୍କୁ ନିଜ ବ୍ୟବସ୍ଥାରେ କଲେଜ୍ ଯିବାକୁ ପଡ଼ୁଛି।
ବସ୍ ସେବା ବନ୍ଦ ହେବା ପରେ ପ୍ରତିଦିନ ପ୍ରାୟ ୧୦ରୁ ୧୫ କିଲୋମିଟର ଦୂର ରାସ୍ତା ଅତିକ୍ରମ କରି ଛାତ୍ରଛାତ୍ରୀମାନେ କଲେଜ୍ରେ ପହଞ୍ଚୁଛନ୍ତି। ରାସ୍ତାର ଅନେକ ଅଂଶ ଜଙ୍ଗଲ ଓ ପାହାଡ଼ିଆ ଅଞ୍ଚଳ ଦେଇ ଯାଇଥିବାରୁ ଯାତାୟାତ ମଧ୍ୟ ସହଜ ନୁହେଁ।
ସ୍ଥାନୀୟ ଅଞ୍ଚଳରେ ହାତୀ ଚଳାଚଳ ଯୋଗୁଁ ମଧ୍ୟ ଭୟ ରହୁଥିବା ଛାତ୍ରଛାତ୍ରୀ କହିଛନ୍ତି। ବିଶେଷକରି ସକାଳେ କଲେଜ୍ ଯିବା ଓ ଅପରାହ୍ଣରେ ଫେରିବା ସମୟରେ ଜଙ୍ଗଲ ରାସ୍ତାରେ ସୁରକ୍ଷା ନେଇ ଚିନ୍ତା ରହୁଛି।
କୋଇଡା ଅଞ୍ଚଳ ଖଣି ପାଇଁ ପରିଚିତ। ତେଣୁ ଏହି ରାସ୍ତାରେ ଖଣିଜ ବୋଝେଇ ଟ୍ରକ୍ ଓ ଟିପର୍ର ଯାତାୟାତ ମଧ୍ୟ ଅଧିକ ରହୁଛି।
ଏଭଳି ପରିସ୍ଥିତିରେ ଛାତ୍ରଛାତ୍ରୀଙ୍କୁ ପାଦରେ କିମ୍ବା ଅନ୍ୟ ବ୍ୟବସ୍ଥାରେ ଦୀର୍ଘ ରାସ୍ତା ଯିବାକୁ ପଡ଼ୁଥିବାରୁ ଦୁର୍ଘଟଣାର ଆଶଙ୍କା ରହୁଛି। ଜଙ୍ଗଲ ରାସ୍ତାରେ ହାତୀ ଭୟ ଓ ଅନ୍ୟପଟେ ଭାରୀଯାନର ଚଳାଚଳ—ଦୁଇଟି ଚ୍ୟାଲେଞ୍ଜ ମଧ୍ୟରେ ଛାତ୍ରଛାତ୍ରୀ କଲେଜ୍ ଯାଉଛନ୍ତି।
ବସ୍ ଚଳାଚଳ ତୁରନ୍ତ ଆରମ୍ଭ କରିବା ଦାବିରେ ଛାତ୍ରଛାତ୍ରୀ ଓ ସ୍ଥାନୀୟ ଲୋକଙ୍କ ପକ୍ଷରୁ ବିକ୍ଷୋଭ କରାଯାଇଥିବା ଜଣାପଡ଼ିଛି। ଲଗାତାର ୩ ଦିନ ଧରି ଆନ୍ଦୋଳନ ହେବା ପରେ ମଧ୍ୟ ସମସ୍ୟାର ସ୍ଥାୟୀ ସମାଧାନ ହୋଇନଥିବା ଅଭିଯୋଗ ହୋଇଛି।
ଛାତ୍ରଛାତ୍ରୀଙ୍କ ପ୍ରଶ୍ନ—ଯେଉଁ ବସ୍ ସେମାନଙ୍କ ନିରାପଦ ଯାତାୟାତ ପାଇଁ DMF ସହାୟତାରେ ଯୋଗାଇ ଦିଆଯାଇଥିଲା, ତାହା ଯାନ୍ତ୍ରିକ ତ୍ରୁଟି ପରେ ଏତେ ଦିନ ଧରି କାହିଁକି ମରାମତି ହୋଇପାରୁନାହିଁ?
କୋଇଡା ଭଳି ଖଣି ପ୍ରଭାବିତ ଅଞ୍ଚଳର ଲୋକଙ୍କ ଜୀବନଯାପନ, ଶିକ୍ଷା, ସ୍ୱାସ୍ଥ୍ୟ ଓ ମୌଳିକ ସୁବିଧାର ବିକାଶ ପାଇଁ DMF ପାଣ୍ଠିର ବ୍ୟବହାର ହେଉଛି। ଏଭଳି ସ୍ଥିତିରେ ଛାତ୍ରଛାତ୍ରୀଙ୍କ ସୁରକ୍ଷିତ ଯାତାୟାତ ଭଳି ମୌଳିକ ଆବଶ୍ୟକତା ଦୀର୍ଘଦିନ ଧରି ଅନିଶ୍ଚିତ ରହିବାକୁ ନେଇ ସ୍ଥାନୀୟ ମହଲରେ ପ୍ରଶ୍ନ ଉଠିଛି।
ଛାତ୍ରଛାତ୍ରୀଙ୍କ ଦାବି, ବସ୍ଟିକୁ ତୁରନ୍ତ ମରାମତି କରି ଚଳାଚଳ ଆରମ୍ଭ କରାଯାଉ। ଯଦି ମରାମତିରେ ଅଧିକ ସମୟ ଲାଗୁଛି, ତେବେ ବିକଳ୍ପ ବସ୍ ବ୍ୟବସ୍ଥା କରାଯାଇ ସେମାନଙ୍କ ଯାତାୟାତ ସୁନିଶ୍ଚିତ କରାଯାଉ।
ଦୁର୍ଗମ ଅଞ୍ଚଳର ୫୦ରୁ ଅଧିକ ଛାତ୍ରଛାତ୍ରୀଙ୍କ ପାଠପଢ଼ା ଓ ସୁରକ୍ଷା ଏବେ ଏହି ବସ୍ ସେବା ଉପରେ ନିର୍ଭର କରୁଥିବାରୁ ପ୍ରଶାସନ କେବେ ଏହାର ସମାଧାନ କରୁଛି, ତାହା ଉପରେ ନଜର ରହିଛି।

