ବିଦେଶୀ ନାଗରିକଙ୍କ ପାଇଁ ଭାରତ ଆସିବା ହେବ ଅଧିକ ସହଜ। ଭିସା ଆବେଦନ ପ୍ରକ୍ରିୟାକୁ ସରଳ ଓ ସୁବିଧାଜନକ କରିବା ପାଇଁ କେନ୍ଦ୍ର ସରକାର ଆଣିଛନ୍ତି ବଡ଼ ସଂସ୍କାର। ପୁରୁଣା ଟୁରିଷ୍ଟ ଭିସାର ନାମ ପରିବର୍ତ୍ତନ କରି ଭିଜିଟର୍ ଭିସା ରଖାଯାଇଥିବା ବେଳେ ଭିସା ବର୍ଗ ଓ ଆବେଦନ ଫର୍ମରେ ମଧ୍ୟ ବଡ଼ ପରିବର୍ତ୍ତନ କରାଯାଇଛି। ନୂଆ ବ୍ୟବସ୍ଥାରେ ଆବେଦନକାରୀଙ୍କୁ ପୂର୍ବ ଅପେକ୍ଷା ୬୫ରୁ ୭୦ ପ୍ରତିଶତ କମ୍ ତଥ୍ୟ ପୂରଣ କରିବାକୁ ପଡ଼ିବ।
ବିଦେଶୀ ନାଗରିକଙ୍କ ପାଇଁ ଭାରତ ଭ୍ରମଣ, ଶିକ୍ଷା, ଗବେଷଣା, ଚିକିତ୍ସା ଓ ବ୍ୟବସାୟିକ କାର୍ଯ୍ୟକୁ ଅଧିକ ସହଜ କରିବା ଲକ୍ଷ୍ୟରେ ଭିସା ବ୍ୟବସ୍ଥାରେ ସଂସ୍କାର ଆଣିଛନ୍ତି କେନ୍ଦ୍ର ସରକାର। ଗୃହ ମନ୍ତ୍ରାଳୟର ସୂଚନା ଅନୁସାରେ, ପୁରୁଣା ଭିସା ବ୍ୟବସ୍ଥାକୁ ସରଳ କରିବା ସହ ଅନେକ ବର୍ଗ ଓ ଉପ-ବର୍ଗକୁ ଏକାଠି କରାଯାଇଛି।
ଏହି ପରିବର୍ତ୍ତନର ସବୁଠାରୁ ଚର୍ଚ୍ଚିତ ଦିଗ ହେଉଛି ଟୁରିଷ୍ଟ ଭିସାର ନାମ ପରିବର୍ତ୍ତନ। ଏଣିକି ଏହାକୁ ଭିଜିଟର୍ ଭିସା ଭାବେ ଜଣାଯିବ। ଏହା କେବଳ ପର୍ଯ୍ୟଟନ ପାଇଁ ସୀମିତ ରହିବ ନାହିଁ। ବିଭିନ୍ନ ଉଦ୍ଦେଶ୍ୟରେ ଭାରତ ଆସୁଥିବା ବିଦେଶୀ ନାଗରିକ ଏହାର ସୁବିଧା ପାଇପାରିବେ।
ନୂଆ ସଂସ୍କାର ଅନୁଯାୟୀ, ଭାରତରେ ଭିସାର ମୁଖ୍ୟ ବର୍ଗ ସଂଖ୍ୟା ୧୩ରୁ କମାଇ ୯ କରାଯାଇଛି। ସେହିପରି ଉପ-ବର୍ଗ ସଂଖ୍ୟା ୪୯ରୁ ହ୍ରାସ ପାଇ ୨୩ ହୋଇଛି। ଏହାଦ୍ୱାରା ଭିସା ବ୍ୟବସ୍ଥାରେ ଥିବା ଜଟିଳତା କମିବା ସହ ଆବେଦନକାରୀଙ୍କ ପାଇଁ ନିଜ ଆବଶ୍ୟକତା ଅନୁସାରେ ଉପଯୁକ୍ତ ଭିସା ବାଛିବା ସହଜ ହେବ।
ନୂଆ ଭିଜିଟର୍ ଭିସାରେ ପର୍ଯ୍ୟଟନ ବ୍ୟତୀତ ବ୍ୟବସାୟିକ ବୈଠକ, ଚିକିତ୍ସା ପରାମର୍ଶ ଏବଂ ସାଂସ୍କୃତିକ କାର୍ଯ୍ୟକ୍ରମ ଭଳି ବିଭିନ୍ନ ଉଦ୍ଦେଶ୍ୟକୁ ସାମିଲ କରାଯାଇଛି। ଏହାକୁ ଦୁଇଟି ଭାଗରେ ବିଭକ୍ତ କରାଯାଇଥିବା ସୂଚନା ମିଳିଛି।
ନୂଆ ଭିସା ବ୍ୟବସ୍ଥାର ସବୁଠାରୁ ବଡ଼ ଆକର୍ଷଣ ହେଉଛି ଆବେଦନ ଫର୍ମର ସରଳୀକରଣ। ପୂର୍ବରୁ ଭିସା ପାଇଁ ଆବେଦନ କରିବା ସମୟରେ ଅନେକ ତଥ୍ୟ ପୂରଣ କରିବାକୁ ପଡ଼ୁଥିଲା। ଏହାଦ୍ୱାରା ଆବେଦନକାରୀଙ୍କୁ ଅଧିକ ସମୟ ଦେବାକୁ ପଡ଼ୁଥିଲା।
କିନ୍ତୁ ନୂଆ ବ୍ୟବସ୍ଥାରେ ଆବେଦନକାରୀଙ୍କୁ ପୂର୍ବ ତୁଳନାରେ ପ୍ରାୟ ୬୫ରୁ ୭୦ ପ୍ରତିଶତ କମ୍ ତଥ୍ୟ ଦେବାକୁ ପଡ଼ିବ। ସମସ୍ତ ୨୩ଟି ଉପ-ବର୍ଗର ଆବେଦନ ଫର୍ମକୁ ଅଧିକ ସରଳ କରାଯାଇଛି। ଫଳରେ ଭିସା ଆବେଦନ ପ୍ରକ୍ରିୟା ଅଧିକ ସହଜ ଓ ସମୟସାପେକ୍ଷ ହେବ ବୋଲି ଆଶା କରାଯାଉଛି।
ଭିସା ଆବେଦନ ପ୍ରକ୍ରିୟାକୁ ଅଧିକ ସ୍ୱଚ୍ଛ ଓ ସୁବିଧାଜନକ କରିବା ପାଇଁ ଏକକ ଅନଲାଇନ୍ ପ୍ଲାଟଫର୍ମ ଉପରେ ମଧ୍ୟ ଗୁରୁତ୍ୱ ଦିଆଯାଇଛି। ଏହାଦ୍ୱାରା ବିଦେଶୀ ନାଗରିକମାନେ ଅନଲାଇନ୍ରେ ଆବେଦନ ସମ୍ପର୍କିତ ପ୍ରକ୍ରିୟାକୁ ସହଜରେ ସମ୍ପନ୍ନ କରିପାରିବେ।
ଆବେଦନ ପ୍ରକ୍ରିୟାରେ ଅନାବଶ୍ୟକ ଜଟିଳତା କମାଇବା ସହ ଆବଶ୍ୟକ ତଥ୍ୟକୁ ଏକ ସରଳ ବ୍ୟବସ୍ଥାରେ ଉପଲବ୍ଧ କରାଇବା ଏହାର ମୁଖ୍ୟ ଉଦ୍ଦେଶ୍ୟ।
ନୂଆ ଭିସା ସଂସ୍କାର କେବଳ ପର୍ଯ୍ୟଟକଙ୍କ ପାଇଁ ନୁହେଁ। ଶିକ୍ଷା, ଗବେଷଣା, ବ୍ୟବସାୟ ଓ ଚିକିତ୍ସା ପାଇଁ ଭାରତ ଆସୁଥିବା ବିଦେଶୀ ନାଗରିକମାନେ ମଧ୍ୟ ଏହାର ଲାଭ ପାଇପାରିବେ।
ବିଶେଷକରି ରିସର୍ଚ୍ଚ ଭିସା ପାଇଁ ଆବଶ୍ୟକ କାଗଜପତ୍ରର ସଂଖ୍ୟା କମାଇବା ଉପରେ ଗୁରୁତ୍ୱ ଦିଆଯାଇଛି। ଏହାଦ୍ୱାରା ବିଦେଶୀ ଗବେଷକଙ୍କ ପାଇଁ ଭାରତରେ ଗବେଷଣା କରିବା ଅଧିକ ସୁବିଧାଜନକ ହୋଇପାରିବ।
ଏହାସହ ବିଦେଶୀ ନିବେଶ ଓ ବ୍ୟବସାୟକୁ ପ୍ରୋତ୍ସାହନ ଦେବା ଉଦ୍ଦେଶ୍ୟରେ ଦୀର୍ଘକାଳୀନ ଭିଜିଟର୍ ଭିସାର ବ୍ୟବସ୍ଥା ମଧ୍ୟ ରଖାଯାଇଛି।
ନୂଆ ଭିସା ବ୍ୟବସ୍ଥାକୁ ସମ୍ପୂର୍ଣ୍ଣ ଭାବେ ଲାଗୁ କରିବା ପାଇଁ ଆଇଟି ବ୍ୟବସ୍ଥାର ଅପଗ୍ରେଡ୍ କାମ ଚାଲିଛି। ଏହି କାମ ଶେଷ ହେବା ପରେ ୨୦୨୬ ଡିସେମ୍ବର ଶେଷ ସୁଦ୍ଧା ନୂଆ ଭିସା ବ୍ୟବସ୍ଥାକୁ ପୂର୍ଣ୍ଣ ରୂପେ ଲାଗୁ କରିବାକୁ ସରକାରଙ୍କ ଯୋଜନା ରହିଛି।
ଏହି ସଂସ୍କାର ଲାଗୁ ହେଲେ ଭାରତକୁ ଆସୁଥିବା ବିଦେଶୀ ନାଗରିକଙ୍କ ପାଇଁ ଭିସା ଆବେଦନ ପ୍ରକ୍ରିୟା ଆହୁରି ସରଳ ହେବ। ଏହାସହ ପର୍ଯ୍ୟଟନ, ଶିକ୍ଷା, ଗବେଷଣା, ଚିକିତ୍ସା ଓ ବ୍ୟବସାୟ କ୍ଷେତ୍ରରେ ଭାରତର ଆନ୍ତର୍ଜାତୀୟ ସମ୍ପର୍କ ଓ ସୁଯୋଗକୁ ଅଧିକ ବୃଦ୍ଧି କରିବାରେ ଏହା ସହାୟକ ହୋଇପାରେ।

