ରବିବାର ଖେଳାଯିବା ମହାମୁକାବିଲା । ଏସିଆ କପ୍ ଫାଇନାଲରେ ମୁହାଁମୁହିଁ ହେବେ ଦୁଇ ପାରମ୍ପାରିକ ପ୍ରତିଦ୍ବନ୍ଦୀ । ୧୯ ବର୍ଷରୁ କମ୍ ଏସିଆ କପ୍ ୨୦୨୫ର ଫାଇନାଲ୍ ଭାରତ ଏବଂ ପାକିସ୍ତାନ ମଧ୍ୟରେ ଖେଳାଯିବ । ଶୁକ୍ରବାର ଦିନ ଭାରତୀୟ ୧୯ ବର୍ଷରୁ କମ୍ ଦଳ ସେମିଫାଇନାଲ୍ରେ ଶ୍ରୀଲଙ୍କାକୁ ପରାସ୍ତ କରିଥିଲା । ସେହିପରି ଦ୍ୱିତୀୟ ସେମିଫାଇନାଲ୍ରେ ପାକିସ୍ତାନ ବାଂଲାଦେଶକୁ ପରାସ୍ତ କରିଥିଲା । ଟୁର୍ଣ୍ଣାମେଣ୍ଟର ଫାଇନାଲ୍ ମ୍ୟାଚ୍ ଆସନ୍ତା ରବିବାର ଦୁବାଇର ଆଇସିସି ଏକାଡେମୀ ଗ୍ରାଉଣ୍ଡରେ ଖେଳାଯିବ ।
ଭାରତ ଏବଂ ଶ୍ରୀଲଙ୍କା ମଧ୍ୟରେ ପ୍ରଥମ ସେମିଫାଇନାଲ୍ ବର୍ଷା ଯୋଗୁଁ ବିଳମ୍ବିତ ହୋଇଥିଲା । ଏହି ୫୦ ଓଭର ଟୁର୍ଣ୍ଣାମେଣ୍ଟରେ ମ୍ୟାଚ୍ ପ୍ରତ୍ୟେକ ୨୦ ଓଭରର ହେବାକୁ ନିଷ୍ପତ୍ତି ନିଆଯାଇଥିଲା । ଭାରତ ଟସ୍ ଜିତି ପ୍ରଥମେ ବୋଲିଂ କରିବାକୁ ନିଷ୍ପତ୍ତି ନେଇଥିଲା। ଶ୍ରୀଲଙ୍କା ପ୍ରଥମେ ବ୍ୟାଟିଂ କରି ୧୩୮ ରନ୍ କରିଥିଲା। ଲକ୍ଷ୍ୟ ପିଛା କରି ଭାରତ ପାଇଁ ଆରନ୍ ଜର୍ଜ ୫୮ ରନ୍ ଏବଂ ବିହାନ ମାଲହୋତ୍ରା ୬୧ ରନ୍ କରିଥିଲେ । ଯାହାଫଳରେ ଭାରତ ଏହି ସେମିଫାଇନାଲ ମ୍ୟାଚ୍ରେ ଶ୍ରୀଲଙ୍କାକୁ ୮ ଓ୍ବିକେଟ୍ରେ ପରାସ୍ତ କରିଥିଲା । ସେହିପରି ପାକିସ୍ତାନ ବି ଦ୍ବିତୀୟ ସେମିଫାଇନାଲରେ ୮ ଓ୍ବିକେଟ୍ରେ ଜିତିଥିଲା ।
ଦ୍ୱିତୀୟ ସେମିଫାଇନାଲ୍ ମଧ୍ୟ ବର୍ଷା ଯୋଗୁଁ ୨୭ ଓଭରକୁ ହ୍ରାସ କରାଯାଇଥିଲା। ପ୍ରଥମେ ବ୍ୟାଟିଂ କରୁଥିବା ବାଂଲାଦେଶ ୧୨୧ ରନ୍ରେ ଅଲଆଉଟ୍ ହୋଇଥିଲା । ପାକିସ୍ତାନ ପକ୍ଷରୁ ଅବଦୁଲ ସୁଭାନ ୪ଟି ୱିକେଟ ନେଇଥିଲେ। ଜବାବରେ ପାକିସ୍ତାନ ୧୭ତମ ଓଭରରେ ଲକ୍ଷ୍ୟ ହାସଲ କରି ୮ଟି ୱିକେଟରେ ବିଜୟୀ ହୋଇଥିଲା। ୧୯ ବର୍ଷରୁ କମ୍ ଏସିଆ କପର ଫାଇନାଲରେ ଭାରତ ଏବଂ ପାକିସ୍ତାନ ଶେଷ ଥର ପାଇଁ ୨୦୧୪ରେ ମୁହାଁମୁହିଁ ହୋଇଥିଲେ । ସେହି ମ୍ୟାଚ୍ରେ ଭାରତ ୪୦ ରନରେ ପାକିସ୍ତାନକୁ ପରାସ୍ତ କରି ଟାଇଟଲ ଜିତିଥିଲା । ପୂର୍ବରୁ ୨୦୧୨ରେ ଦୁଇ ଦଳ ଫାଇନାଲରେ ପ୍ରତିଦ୍ୱନ୍ଦ୍ୱିତା କରିବାର ଥିଲା । କିନ୍ତୁ ମ୍ୟାଚ୍ ଟାଇରେ ଶେଷ ହୋଇଥିଲା ।
୧୯ ବର୍ଷରୁ କମ୍ ଏସିଆ କପର ପ୍ରଥମ ସଂସ୍କରଣ ୧୯୮୯ରେ ଖେଳାଯାଇଥିଲା, ଯେଉଁଠାରେ ଭାରତ ଶ୍ରୀଲଙ୍କାକୁ ପରାସ୍ତ କରି ଟାଇଟଲ ଜିତିଥିଲା। ଦ୍ୱିତୀୟ ସଂସ୍କରଣରେ ଭାରତ ଶ୍ରୀଲଙ୍କାକୁ ମଧ୍ୟ ପରାସ୍ତ କରିଥିଲା । ୨୦୧୪ରେ ଭାରତ ବନାମ ପାକିସ୍ତାନ ଫାଇନାଲ ପୁଣିଥରେ ଅନୁଷ୍ଠିତ ହୋଇଥିଲା, ଯେଉଁଥିରେ ଟିମ୍ ଇଣ୍ଡିଆ ବିଜୟୀ ହୋଇଥିଲା । ପୂର୍ବ ସଂସ୍କରଣ ୨୦୨୪ରେ ମଧ୍ୟ ଟିମ୍ ଇଣ୍ଡିଆ ଫାଇନାଲରେ ପହଞ୍ଚିଥିଲା, କିନ୍ତୁ ଫାଇନାଲରେ ବାଂଲାଦେଶଠାରୁ ପରାସ୍ତ ହୋଇଥିଲା। ପାକିସ୍ତାନ ଶେଷ ଥର ପାଇଁ ୨୦୧୭ରେ ଫାଇନାଲରେ ପହଞ୍ଚିଥିଲା, କିନ୍ତୁ ଆଫଗାନିସ୍ତାନ ଟାଇଟଲ ଜିତିଥିଲା ।

