ବହୁ ଶୀଘ୍ର ଇସ୍ରାଏଲ୍ ଗସ୍ତ କରିପାରନ୍ତି ପ୍ରଧାନମନ୍ତ୍ରୀ ମୋଦି । ମୁମ୍ବାଇରେ ଅବସ୍ଥାପିତ ଇସ୍ରାଏଲର କନସୁଲ ଜେନେରାଲ୍ ୟାନିଭ୍ ରେଭାଚ୍ ଦୁଇ ଦେଶ ମଧ୍ୟରେ ଥିବା ସମ୍ପର୍କକୁ ରଣନୈତିକ ବୋଲି ବର୍ଣ୍ଣନା କରିଛନ୍ତି । ଭାରତ ଏବଂ ଇସ୍ରାଏଲ ମଧ୍ୟରେ ଥିବା ବନ୍ଧୁତା ବିଶ୍ୱ ରାଜନୀତିରେ ଏକ ନିର୍ଣ୍ଣାୟକ ଭୂମିକା ଗ୍ରହଣ କରୁଛି । ଯଦିଓ ପୂର୍ବରୁ ଇସ୍ରାଏଲ ପ୍ରଧାନମନ୍ତ୍ରୀ ବେଞ୍ଜାମିନ୍ ନେତନ୍ୟାହୁଙ୍କ ଭାରତ ଗସ୍ତ କିଛି ସପ୍ତାହ ପାଇଁ ସ୍ଥଗିତ ରଖାଯାଇଥିଲା, ତଥାପି ଦୁଇ ଦେଶ ମଧ୍ୟରେ ଥିବା ସହଯୋଗ ଆଦୌ ହ୍ରାସ ପାଇନାହିଁ। ପ୍ରଧାନମନ୍ତ୍ରୀ ମୋଦିଙ୍କ ଆଗାମୀ ଇସ୍ରାଏଲ ଗସ୍ତ ଦ୍ୱାରା ପ୍ରତିରକ୍ଷା, କୃଷି, ଜଳ ପରିଚାଳନା ଏବଂ ବିଶେଷ କରି ଆତଙ୍କବାଦ ବିରୋଧୀ ଅଭିଯାନରେ ଏକ ନୂଆ ଗତି ଆସିବ। ରେଭାଚ୍ଙ୍କ ଅନୁଯାୟୀ, ଭାରତ ଏକ ଶକ୍ତିଶାଳୀ ବନ୍ଧୁ ଏବଂ ଉଭୟ ଦେଶର ଲକ୍ଷ୍ୟ ଏକାଭଳି।
ଅନ୍ୟପଟେ ଆଶଙ୍କା କରାଯାଉଛି ଭେନେଜୁଏଲା ପରେ, ଆଉ ପାଞ୍ଚଟି ଦେଶ ଉପରେ ଏବେ ଆମେରିକାର ନଜରରେ ରହିଛି । କଲମ୍ବିଆଠାରୁ ଇରାନ ପର୍ଯ୍ୟନ୍ତ ଦେଶ ଉପରେ ଆକ୍ରମଣ ପାଇଁ ଟ୍ରମ୍ପ୍ଙ୍କ ପାଖରେ ବିଭିନ୍ନ ବାହାନା ଅଛି । ଡୋନାଲ୍ଡ ଟ୍ରମ୍ପ୍ଙ୍କ ଆକ୍ରମଣ ଧମକ କେବଳ ଭେନେଜୁଏଲା ପାଇଁ ଉଦ୍ଦିଷ୍ଟ ନଥିଲା। ସେ କଲମ୍ବିଆ, କ୍ୟୁବା, ଇରାନ, ଗ୍ରୀନଲ୍ୟାଣ୍ଡ (ଡେନମାର୍କର ଅଂଶ) ଏବଂ ମେକ୍ସିକୋକୁ ମଧ୍ୟ ଧମକ ଦେଇଛନ୍ତି । ତେଣୁ ସାରା ବିଶ୍ୱରେ ଏଭଳି ପରିସ୍ଥିତି ଲାଗି ରହିଥିବା ବେଳେ ଭାରତ ବେଳ ଥାଉ ଥାଉ ବନ୍ଧ ବାନ୍ଧୁଛି । କୌଣସି ବି ମୁହୁର୍ତ୍ତରେ ଯଦି ଭାରତ ଉପରେ ବିଶ୍ୱର କେହି ବି ଦେଶ ଆକ୍ରମଣ କରନ୍ତି, ତେବେ ଏହାର ଜବାବ ଦେବାକୁ ପ୍ରସ୍ତୁତ ରହିଛି ଭାରତ । ଅତ୍ୟାଧୁନିକ ଅସ୍ତ୍ରଶସ୍ତ୍ର ସହ ଭାରତୀୟ ସେନା ତୟାର ରହିଛି ।
ବାଂଲାଦେଶରେ ଏବେ ବି ଅଶାନ୍ତି ଲାଗି ରହିଛି । ହିନ୍ଦୁଙ୍କ ଉପରେ ଖୁଲମଖୁଲା ଅତ୍ୟାଚାର କରାଯାଉଛି । ଜଣକ ପରେ ଜଣେ ହିନ୍ଦୁଙ୍କ ଜାଳିଦେଉଛନ୍ତି । ଏବେ ବି ବାଂଲାଦେଶରେ ହିଂସା ଜାରି ରହିଛି । ଭାରତ ବିରୋଧୀ ତତ୍ୱମାନେ ଅଧିକ ସକ୍ରିୟ ରହିଛନ୍ତି । ଭାରତ ବିରୋଧୀ ସ୍ଲୋଗାନ ଦେଉଛନ୍ତି । କିଛି ବିଦେଶୀ ତତ୍ୱ ବାଂଲାଦେଶ ଜରିଆରେ ଭାରତରେ ଅସ୍ଥିରତା ସୃଷ୍ଟି କରିବାକୁ ଚେଷ୍ଟା କରୁଛନ୍ତି । କିନ୍ତୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଦୃଢ଼ ନେତୃତ୍ୱ ଓ ଦେଶର ସଫଳ କୁଟନୀତି ଯୋଗୁଁ ବିଦେଶୀ ଶତ୍ରୁ ବାରମ୍ବାର ବିଫଳ ହେଉଛନ୍ତି । ତେଣୁ ମୋଦିଙ୍କ ଏହି ଇସ୍ରାଏଲ ଗସ୍ତକୁ ଖୁବ୍ ଗୁରୁତ୍ୱପୂର୍ଣ୍ଣ ବୋଲି ବିବେଚନା କରାଯାଉଛି । ଇସ୍ରାଏଲ ସବୁବେଳେ ଭାରତ ସପକ୍ଷରେ ଖୋଲାଖୋଲି କହି ଆସୁଛି । ଭାରତର ଶତ୍ରୁ ଦେଶମାନଙ୍କୁ ସିଧା ସଳଖ ସମାଲୋଚନା କରିବାକୁ ବି ପଛଘୁଞ୍ଚା ଦିଏ ନାହିଁ ।

