ପୁଣି ଚର୍ଚ୍ଚାରେ ଇମ୍ରାନ ଖାନଙ୍କ ଭଉଣୀ । ତାଙ୍କ ଉପରେ ମୋକଦ୍ଦମା ରୁଜୁ ହୋଇଛି। ପାକିସ୍ତାନ ସେନାମୁଖ୍ୟ ଅସୀମ ମୁନିର ସିଡିଏଫ ନିଯୁକ୍ତ ହେବା ପରେ ଇମ୍ରାନ ଖାନ ଓ ତାଙ୍କ ପରିବାର ପାଇଁ ବିପଦ ବଢିବାରେ ଲାଗିଛି। ଏବେ ମୁନିର ଇମ୍ରାନ ଖାନଙ୍କ ଭଉଣୀଙ୍କ ବିରୋଧରେ ଏପରି କାର୍ଯ୍ୟାନୁଷ୍ଠାନ କରିଛନ୍ତି ଯାହା ପାକିସ୍ତାନ ରାଜନୀତିକୁ ହଲଚଲ କରୁଛି। ଇମ୍ରାନ ଖାନଙ୍କ ଭଉଣୀମାନେ ମଙ୍ଗଳବାର ଜେଲରେ ଇମ୍ରାନଙ୍କୁ ଭେଟିବାକୁ ଚାହିଁଥିଲେ। ହେଲେ ଏଥିପାଇଁ ସେମାନଙ୍କୁ ଅନୁମତି ମିଳିନଥିଲା। ଏଣୁ ସେମାନେ ରାତିରେ ପିଟିଆଇର ଶହ ଶହ ସମର୍ଥକଙ୍କ ସହ ଆଦିଆଲ ଜେଲ ବାହାରେ ଧାରଣା ଆରମ୍ଭ କରିଥିଲେ।
ଏଣୁ ସେମାନଙ୍କ ବିରୋଧରେ ରୁଜୁ ହୋଇଥିବା ଏତଲାରେ ପାକିସ୍ତାନ ପେନାଲ କୋଡ ଧାରା ୧୨୦ରେ ମାମଲା ରୁଜୁ ହୋଇଛି। ଏଥିରେ ସେମାନଙ୍କ ବିରୋଧରେ ରାଜ୍ୟ ବିରୋଧରେ ଅପରାଧିକ ଷଡ଼ଯନ୍ତ୍ର କରିବା, ପୋଲିସ କର୍ମଚାରୀଙ୍କ ଉପରେ ଆକ୍ରମଣ କରିବା ଓ ଧାରା ୧୪୪ ଉଲ୍ଲଂଘନର ଅଭିଯୋଗ ହୋଇଛି। ମାମଲାରେ ପୋଲିସ ଘଟଣାସ୍ଥଳରୁ ୧୪ ଜଣଙ୍କୁ ଗିରଫ କରିଥିବା ବେଳେ ବୁଧବାର ରାଓଲପିଣ୍ଡି ଆତଙ୍କବାଦ ନିରୋଧୀ କୋର୍ଟରେ ହାଜର କରାଯାଇଛି। କୁହାଯାଉଛି ମୁନିରଙ୍କ ଆଦେଶରେ ଇମ୍ରାନ ଖାନଙ୍କ ଭଉଣୀ ଅଲିମାଙ୍କ ସମେତ ପିଟିଆଇର ୪୦୦ କାର୍ଯ୍ୟକର୍ତ୍ତାଙ୍କ ବିରୋଧରେ ଆତଙ୍କବାଦ ଧାରାରେ ମୋକଦ୍ଦମା ରୁଜୁ ହୋଇଛି।
ଏଥିରେ ଇମ୍ରାନଙ୍କ ସମର୍ଥକ ଅସନ୍ତୁଷ୍ଟ ହୋଇଥିବା ବେଳେ ପାକିସ୍ତାନ ପୋଲିସ ଉପରକୁ କାଚ ବୋତଲ ମାଡ଼ କରିଛନ୍ତି।ଇମ୍ରାନ ଖାନଙ୍କ ଭଉଣୀ ଓ ପିଟିଆଇ କାର୍ଯ୍ୟକର୍ତ୍ତା ମଙ୍ଗଳବାର ରାତିରେ ଆଦିଆଲ ଜେଲ ବାହାରେ ପୁଣି ଆନ୍ଦୋଳନ ଆରମ୍ଭ କରିଥିଲେ। ଏହା ପରେ ଏପରି କାର୍ଯ୍ୟାନୁଷ୍ଠାନ ହୋଇଛି। ଏଥିରେ ପାକିସ୍ତାନ ସଦର ବେରୋନୀ ପୋଲିସ ଷ୍ଟେସନରେ ଅଲିମା ଖାନ, ନୁରିନ ନିଆଜୀ, କାସିମ ଖାନ, ଅଲିୟା ହମଜା, ସଲମାନ ଅକ୍ରମ ରଜା, ନଇମ ପଞ୍ଜୋଥା, ଅଲ୍ଲାମା ରାଜା ନାସିର ଅବାସ ଓ ଅନ୍ୟମାନଙ୍କ ବିରୋଧରେ ଏତଲା ରୁଜୁ ହୋଇଛି।

