• Want to Promote Your Business? Advertise With Us Today! 📞 Call Now: +91-9337223204
  • kjnbfnbwejfbcojhbwvf
  • Want to Promote Your Business? Advertise With Us Today! 📞 Call Now: +91-9337223204
  • Want to Promote Your Business? Advertise With Us Today! 📞 Call Now: +91-9337223204
  • Want to Promote Your Business? Advertise With Us Today! 📞 Call Now: +91-9337223204
22 Nov 2026, Sun

ଚୀନ୍‌ର ଚକଚକିଆ ଅର୍ଥନୀତି ପଛରେ ଲୁଚିଛି ଏକ ବଡ଼ ସଙ୍କଟ! ବିଶ୍ୱର ଶକ୍ତିଶାଳୀ ଅର୍ଥନୀତି ମଧ୍ୟରେ ଗଣାଯାଉଥିବା ଚୀନ୍‌ରେ ଏବେ କୋଟି କୋଟି ସାଧାରଣ ଲୋକ ଋଣ ବୋଝରେ ଚାପି ହୋଇପଡ଼ିଛନ୍ତି। ବ୍ୟକ୍ତିଗତ ଋଣ ପରିଶୋଧ କରିବାରେ ପ୍ରାୟ ୧୦ କୋଟି ଲୋକ ଅସମର୍ଥ ହେଉଥିବା ନେଇ ଏକ ରିପୋର୍ଟରେ ଦାବି କରାଯାଇଛି। ବ୍ୟବସାୟରେ କ୍ଷତି, ଚାକିରି ହରାଇବା ଏବଂ ଆୟ କମିବା ଯୋଗୁଁ ଲୋକଙ୍କ ଆର୍ଥିକ ସ୍ଥିତି ଦିନକୁ ଦିନ ଦୁର୍ବଳ ହେଉଛି।

ବ୍ଲୁମବର୍ଗ ବିଜନେସ୍‌ୱିକ୍‌ର ଏକ ରିପୋର୍ଟ ଅନୁଯାୟୀ, ଚୀନ୍‌ରେ ବକେୟା ଗ୍ରାହକ ଋଣର ପରିମାଣ ଗତ କିଛି ବର୍ଷ ମଧ୍ୟରେ ଅତ୍ୟଧିକ ବୃଦ୍ଧି ପାଇଛି। ୨୦୨୧ରେ ବ୍ୟାଙ୍କଗୁଡ଼ିକର ବକେୟା ଗ୍ରାହକ ଋଣ ପ୍ରାୟ ୧୮.୬ ବିଲିୟନ ୟୁଆନ୍‌ ଥିଲା। କିନ୍ତୁ ୨୦୨୫ ଶେଷ ସୁଦ୍ଧା ଏହା ବୃଦ୍ଧି ପାଇ ୪୫୪ ବିଲିୟନ ୟୁଆନ୍‌ରେ ପହଞ୍ଚିଛି। ଅର୍ଥାତ୍‌ ମାତ୍ର ଚାରି ବର୍ଷ ମଧ୍ୟରେ ବକେୟା ଋଣର ପରିମାଣ ୨୦ ଗୁଣରୁ ଅଧିକ ବଢ଼ିଛି।

ଋଣ ଆଦାୟ ପାଇଁ ଦିନକୁ ୨୦୦ରୁ ୩୦୦ ଫୋନ୍‌ କଲ୍‌

ଚୀନ୍‌ରେ ଋଣ ପରିଶୋଧ ନକରିପାରୁଥିବା ଲୋକଙ୍କ ସଂଖ୍ୟା ବଢ଼ିବା ସହ ଋଣ ଆଦାୟକାରୀଙ୍କ କାମ ମଧ୍ୟ ବଢ଼ିଯାଇଛି। ରିପୋର୍ଟ ଅନୁଯାୟୀ, ଋଣ ଆଦାୟ ପାଇଁ କର୍ମଚାରୀମାନେ ଦିନକୁ ୨୦୦ରୁ ୩୦୦ ପର୍ଯ୍ୟନ୍ତ ଫୋନ୍‌ କଲ୍‌ କରୁଛନ୍ତି।

ଚାକିରି ହରାଇଥିବା ଯୁବକ, ବ୍ୟବସାୟରେ କ୍ଷତି ସହିଥିବା ବ୍ୟବସାୟୀ ଏବଂ ବେକାର ସ୍ନାତକଧାରୀଙ୍କ ପାଖକୁ ଯାଉଛି ଏହି ଫୋନ୍‌। ଯେଉଁମାନେ ଋଣ ପରିଶୋଧ କରିବାକୁ ଚାହିଁଲେ ମଧ୍ୟ ଆର୍ଥିକ ଅସୁବିଧା ଯୋଗୁଁ ତାହା କରିପାରୁନାହାନ୍ତି, ସେମାନଙ୍କ ଉପରେ ଚାପ ବଢ଼ୁଛି। ଅନ୍ୟପଟେ, ବାରମ୍ବାର ଋଣ ଆଦାୟ କରିବାକୁ ପଡ଼ୁଥିବାରୁ ଆଦାୟକାରୀ କର୍ମଚାରୀମାନେ ମଧ୍ୟ ମାନସିକ ଚାପରେ ରହୁଛନ୍ତି।

ବକେୟା ଋଣ ଆଦାୟ ଏବେ ବଡ଼ ବ୍ୟବସାୟ

ଚୀନ୍‌ରେ ଋଣ ସଙ୍କଟ ବଢ଼ିବା ସହ ବ୍ୟାଙ୍କଗୁଡ଼ିକ ମଧ୍ୟ ନିଜର ବକେୟା ଋଣକୁ ନେଇ ନୂଆ ରଣନୀତି ଆପଣାଉଛନ୍ତି। ବକେୟା ଋଣକୁ କମ୍‌ ଦାମ୍‌ରେ ନିବେଶକଙ୍କୁ ବିକ୍ରି କରାଯାଉଛି। ଏହାପରେ ନିବେଶକମାନେ ଋଣ ଆଦାୟ କରିବାକୁ ଉଦ୍ୟମ କରୁଛନ୍ତି।

ଫଳରେ ବକେୟା ଋଣ ଆଦାୟ ଏକ ବଡ଼ ବ୍ୟବସାୟରେ ପରିଣତ ହୋଇଛି। ଯେଉଁ ଋଣ ଆଦାୟ କରିବା ବ୍ୟାଙ୍କଗୁଡ଼ିକ ପାଇଁ କଷ୍ଟକର ହେଉଛି, ତାହାକୁ କମ୍‌ ମୂଲ୍ୟରେ କିଣି ଅଧିକ ଅର୍ଥ ଆଦାୟ କରିବାକୁ ନିବେଶକମାନେ ଚେଷ୍ଟା କରୁଛନ୍ତି।

ଯୁବ ବେକାରୀ ହାର ୧୮ ପ୍ରତିଶତ

ଚୀନ୍‌ର ଏହି ଆର୍ଥିକ ସଙ୍କଟ ପଛରେ ବେକାରୀ ମଧ୍ୟ ଏକ ବଡ଼ କାରଣ ଭାବେ ଉଭା ହୋଇଛି। ରିପୋର୍ଟରେ ଦିଆଯାଇଥିବା ତଥ୍ୟ ଅନୁଯାୟୀ, ସେପ୍ଟେମ୍ବରରେ ଯୁବ ବେକାରୀ ହାର ୧୮ ପ୍ରତିଶତ ରହିଥିଲା। ଚାକିରି ନମିଳିବା ଏବଂ ଆୟର ଅଭାବ ଯୋଗୁଁ ଅନେକ ଯୁବକ ନିଜର ଋଣ ପରିଶୋଧ କରିପାରୁନାହାନ୍ତି।

ବିଶେଷକରି ନୂଆ ସ୍ନାତକଧାରୀଙ୍କ ପାଇଁ ଚାକିରି ମିଳିବା ଏକ ବଡ଼ ଚ୍ୟାଲେଞ୍ଜ ହୋଇଛି। ଅନ୍ୟପଟେ ବ୍ୟବସାୟରେ କ୍ଷତି ସହିଥିବା ଲୋକମାନେ ମଧ୍ୟ ଋଣ ବୋଝରୁ ମୁକୁଳିବାର ରାସ୍ତା ପାଉନାହାନ୍ତି।

ଋଣ ଆଦାୟକାରୀଙ୍କ ଉପରେ ସରକାରଙ୍କ କଟକଣା

ଋଣ ଆଦାୟ ସମୟରେ ଗ୍ରାହକଙ୍କୁ ଧମକ ଦେବା, ଅପମାନିତ କରିବା ଏବଂ ବାରମ୍ବାର ଫୋନ୍‌ କରି ହଇରାଣ କରିବା ଭଳି ଅଭିଯୋଗ ମଧ୍ୟ ସାମ୍ନାକୁ ଆସିଛି। ଏହାକୁ ଦୃଷ୍ଟିରେ ରଖି ଚୀନ୍‌ ସରକାର ଋଣ ଆଦାୟ ପ୍ରକ୍ରିୟା ଉପରେ କଟକଣା ଲଗାଇଛନ୍ତି। ଋଣ ଆଦାୟ ନାଁରେ ଗ୍ରାହକଙ୍କୁ ଧମକ ଦେବା କିମ୍ବା ଅଯଥା ମାନସିକ ଚାପ ପକାଇବା ଉପରେ ନିୟନ୍ତ୍ରଣ ଆଣିବାକୁ ପଦକ୍ଷେପ ନିଆଯାଇଛି।

ସାରା ବିଶ୍ୱରେ ନିଜର ଶିଳ୍ପ, ବାଣିଜ୍ୟ ଓ ଅର୍ଥନୈତିକ ଶକ୍ତି ପାଇଁ ପରିଚିତ ଚୀନ୍‌ରେ ଏବେ ବ୍ୟକ୍ତିଗତ ଋଣ ସଙ୍କଟ ଏକ ବଡ଼ ଚିନ୍ତାର କାରଣ ପାଲଟିଛି। ଚକଚକିଆ ଅର୍ଥନୈତିକ ଚିତ୍ର ପଛରେ ସାଧାରଣ ଲୋକଙ୍କ ଆର୍ଥିକ ସଂଘର୍ଷ କେତେ ଗଭୀର, ଏହି ତଥ୍ୟ ତାହାର ଏକ ସଙ୍କେତ ଦେଉଛି।

Leave a Reply

Your email address will not be published. Required fields are marked *