ବିଜେଡିର ଆଉ ଜଣେ ଟାଣୁଆ ନେତା ଦଳ ବିରୋଧରେ କରିଛନ୍ତି ବିଷୋଦଗାର । ବାଲେଶ୍ବର, ଗଞ୍ଜାମର ଶଙ୍ଖ ଦଳିଆ ନେତାଙ୍କ ପରେ ଖୁଲମଖୁଲା ଦଳ ବିରୋଧୀ ବୟାନ ଦେଉଛନ୍ତି କେନ୍ଦୁଝରିଆ ନେତା । ବଦ୍ରି ପାତ୍ରଙ୍କ ପରେ ଏବେ ସନାତନ ମହାକୁଡ଼ । ସନା ଖାଲି ନିଜ ଦଳ ବିରୋଧରେ ବିଷ ଓଗାଳିଛନ୍ତି ତାହା ନୁହେଁ, ମୁଖ୍ୟମନ୍ତ୍ରୀଙ୍କୁ ବି ଖୁବ୍ ପ୍ରଶଂସା କରିଛନ୍ତି ।
ବାଲେଶ୍ୱର, ଗଞ୍ଜାମ ପରେ ଏବେ ଚର୍ଚ୍ଚାରେ କେନ୍ଦୁଝର ବିଜେଡି । ବଦ୍ରିଙ୍କ ପରେ ବିଷ ଓଗାଳିଲେ ସନା ମହାକୁଡ଼ । ଜିଲ୍ଲାରୁ ଜିଲ୍ଲା ଡେଉଁଛି ନେତାଙ୍କ ଅସନ୍ତୋଷ ନିଆଁ । ମୁଖ୍ୟମନ୍ତ୍ରୀ ମୋହନ ମାଝୀଙ୍କୁ ବି କଲେ ଭୁରି ଭୁରି ପ୍ରଶଂସା କଲେ ସନା ମହାକୁଡ଼ । ଅସନ୍ତୁଷ୍ଟ ନେତାଙ୍କ ଉପରେ ଅଛି ତ ନବୀନଙ୍କ ନଜର !
କିଛି ଦିନ ତଳେ ବିନା ନବୀନଙ୍କ ଫଟୋରେ ଗେରୁଆ ବ୍ୟାନର ମାରିଥିଲେ । ଏବେ ଖୋଲା ଖୋଲି ଅସନ୍ତୋଷ ଜାହିର କଲେ । ପୁଣି ଚର୍ଚ୍ଚା ରେ ଚମ୍ପୁଆର ଟାଣୁଆ ବିଜେଡି ବିଧାୟକ ସନା ମହାକୁଡ଼ । ଜିଲ୍ଲାରେ ବିଜେଡି ସଂଗଠନ ଦୁର୍ବଳ ହେଉଥିବା ଚର୍ଚ୍ଚା ଭିତରେ ନିଜ ଦଳ ଉପରେ ବର୍ଷିଛନ୍ତି ସନା । ବିଜେଡି ସରକାର ୨୪ ବର୍ଷରେ କେନ୍ଦୁଝରର ବିକାଶ ପାଇଁ କିଛି କରିନାହିଁ କହି ଅସନ୍ତୋଷ ଝାଡ଼ିଛନ୍ତି ସନା ।
କିଛି ଦିନ ତଳେ ବିଜେଡି ପ୍ରତିଷ୍ଠା ଦିବସ ପାଳନ ବେଳେ ମଞ୍ଚ ଉପରୁ ବବି ଓ ପାଣ୍ଡିଆନଙ୍କୁ ନିଶାନା କରିଥିଲେ ବିଧାୟକ ବଦ୍ରି ପାତ୍ର । ଏହା ପରେ ପରେ ଗଞ୍ଜାମର ୧୦ଟି ସିଟରେ ପ୍ରାର୍ଥୀଙ୍କୁ ଜାଣି ଶୁଣି ହରାଇ ଥିବା କହି ଦଳ ଭିତରେ ବଡ଼ ବୋମା ପକାଇଥିଲେ ଲତିକା । ସେପଟେ ଜିଲ୍ଲା ସ୍ତରରୁ ନେତାଙ୍କ ଅସନ୍ତୋଷ ବଢୁଥିବା ବେଳେ ସନା ନିଜେ ନିଜକୁ ସମୀକ୍ଷା କରନ୍ତୁ ବୋଲି କହିଛନ୍ତି ବିଜେଡି ବିଧାୟକ ପ୍ରଦୀପ ଦିଶାରୀ ।
ସରକାରରୁ ଯିବା ପରେ ବିଜେଡିରେ ରାଜ୍ୟରୁ ଜିଲ୍ଲା ସଂଗଠନ ପର୍ଯ୍ୟନ୍ତ ସବୁଠି ବିଦ୍ରୋହ ସ୍ଥିତି । ନେତାଙ୍କ ଭିତରେ ଛକାପଞ୍ଝା ଯୋଗୁଁ ବାଲେଶ୍ୱର ଓ ଖୋର୍ଦ୍ଧାରେ ଏ ପର୍ଯ୍ୟନ୍ତ ଜିଲ୍ଲା ସଭାପତି ଚୟନ ହୋଇ ପାରିନାହିଁ । ଯୁବ ନେତା ମେଳି କରୁଛନ୍ତି, ପାଣ୍ଡିଆନଙ୍କୁ ବି ନିଶାନା କରୁଛନ୍ତି । ନେତାଙ୍କ ଅସନ୍ତୋଷ ଭିତରେ ସୁପ୍ରିମୋଙ୍କ ନୀରବତା ଅନେକ ପ୍ରଶ୍ନ ସୃଷ୍ଟି କରୁଛି । ଏସବୁ ଭିତରେ ଅସନ୍ତୋଷ ଆହୁରି ବଢିଲେ ବିଜେଡି ଭାଙ୍ଗିଯିବା ଆଶଙ୍କାକୁ ଏଡାଇ ଦିଆଯାଇ ନ ପାରେ ।

