• Want to Promote Your Business? Advertise With Us Today! 📞 Call Now: +91-9337223204
  • kjnbfnbwejfbcojhbwvf
  • Want to Promote Your Business? Advertise With Us Today! 📞 Call Now: +91-9337223204
  • Want to Promote Your Business? Advertise With Us Today! 📞 Call Now: +91-9337223204
  • Want to Promote Your Business? Advertise With Us Today! 📞 Call Now: +91-9337223204
24 Nov 2026, Tue

ନୂଆଦିଲ୍ଲୀ: ଏଣିକି କେବଳ ଇସ୍ତଫା ଦେଇ ଦଳବଦଳ ଆଇନରୁ ଖସିବା ସହଜ ହେବ ନାହିଁ! ବିଧାୟକ ହୁଅନ୍ତୁ କି ସାଂସଦ, ଦଳ ଛାଡ଼ି ଅନ୍ୟ ଦଳରେ ମିଶିବା ପାଇଁ ଇସ୍ତଫାକୁ ଅସ୍ତ୍ର କରୁଥିବା ଜନପ୍ରତିନିଧିଙ୍କ ଉପରେ କଟକଣା ଲଗାଇବାକୁ ଦାବି ହୋଇଛି। ଏନେଇ ସୁପ୍ରିମକୋର୍ଟରେ ଏକ ଜନସ୍ୱାର୍ଥ ମାମଲା (PIL) ଦାୟର ହୋଇଛି। ଆବେଦନର ଶୁଣାଣି କରି କେନ୍ଦ୍ର ସରକାର ଓ ଭାରତୀୟ ନିର୍ବାଚନ ଆୟୋଗଙ୍କ ସମେତ ସମ୍ପୃକ୍ତ ପକ୍ଷଙ୍କୁ ନୋଟିସ୍ ଜାରି କରିଛନ୍ତି ସର୍ବୋଚ୍ଚ ଅଦାଲତ।

ପ୍ରଧାନ ବିଚାରପତି ଜଷ୍ଟିସ୍ ସୂର୍ଯ୍ୟକାନ୍ତ, ଜଷ୍ଟିସ୍ ଜୟମାଲ୍ୟ ବାଗଚୀ ଏବଂ ଜଷ୍ଟିସ୍ ଭି. ମୋହନାଙ୍କୁ ନେଇ ଗଠିତ ଖଣ୍ଡପୀଠ ଏ. ସେଥୁଙ୍କ ପକ୍ଷରୁ ଦାଖଲ ଆବେଦନର ଶୁଣାଣି କରି ଏହି ନୋଟିସ୍ ଜାରି କରିଛନ୍ତି। ଦଳବଦଳ ଅଭିଯୋଗରେ ଅଯୋଗ୍ୟତା ପ୍ରକ୍ରିୟା ଚାଲିଥିବା ସମୟରେ କିଛି ଜନପ୍ରତିନିଧି ଇସ୍ତଫା ଦେଇ ଆଇନର କାର୍ଯ୍ୟାନୁଷ୍ଠାନରୁ ବର୍ତ୍ତିବାକୁ ଉଦ୍ୟମ କରୁଥିବା ଆବେଦନରେ ଦର୍ଶାଯାଇଛି।

କାହିଁକି ଉଠିଲା ଦଳବଦଳ ଆଇନକୁ ନେଇ ପ୍ରଶ୍ନ?

ଭାରତୀୟ ସମ୍ବିଧାନର ଦଶମ ଅନୁସୂଚୀରେ ଦଳବଦଳ ଆଇନର ବ୍ୟବସ୍ଥା ରହିଛି। ଏହି ଆଇନ ଅନୁଯାୟୀ, କୌଣସି ବିଧାୟକ କିମ୍ବା ସାଂସଦ ସ୍ୱେଚ୍ଛାରେ ନିଜ ରାଜନୈତିକ ଦଳର ସଦସ୍ୟତା ଛାଡ଼ିଲେ କିମ୍ବା ଦଳୀୟ ହ୍ୱିପ୍ ଉଲ୍ଲଂଘନ କଲେ ଅଯୋଗ୍ୟ ଘୋଷିତ ହୋଇପାରନ୍ତି। ଏଥିପାଇଁ ଆନୁଷ୍ଠାନିକ ଭାବେ ଇସ୍ତଫା ଦେବା ଜରୁରୀ ନୁହେଁ। ଜନପ୍ରତିନିଧିଙ୍କ ଆଚରଣରୁ ସେ ଦଳ ଛାଡ଼ିଥିବା ସ୍ପଷ୍ଟ ହେଲେ ମଧ୍ୟ ଅଯୋଗ୍ୟତା ପ୍ରଶ୍ନ ଉଠିପାରେ।

କିନ୍ତୁ ଅନେକ କ୍ଷେତ୍ରରେ ଅଯୋଗ୍ୟତା ମାମଲାର ନିଷ୍ପତ୍ତି ଆସିବା ପୂର୍ବରୁ ଜନପ୍ରତିନିଧିମାନେ ଇସ୍ତଫା ଦେଉଥିବା ଅଭିଯୋଗ ହୋଇଛି। ଏହାଦ୍ୱାରା ବାଚସ୍ପତିଙ୍କ ନିକଟରେ ବିଚାରାଧୀନ ଥିବା ଅଯୋଗ୍ୟତା ମାମଲାର ଭବିଷ୍ୟତକୁ ନେଇ ପ୍ରଶ୍ନ ଉଠୁଛି। ଆବେଦନକାରୀଙ୍କ ଯୁକ୍ତି ହେଉଛି, ଏଭଳି ଇସ୍ତଫା ଗଣତାନ୍ତ୍ରିକ ବ୍ୟବସ୍ଥା ଓ ଭୋଟରଙ୍କ ଜନାଦେଶକୁ ପ୍ରଭାବିତ କରୁଛି।

ଦଳ ମିଶ୍ରଣ ପାଇଁ କ’ଣ ରହିଛି ନିୟମ?

ଦଳବଦଳ ଆଇନରେ ଦଳ ମିଶ୍ରଣ ପାଇଁ ଏକ ସ୍ୱତନ୍ତ୍ର ବ୍ୟବସ୍ଥା ରହିଛି। କୌଣସି ରାଜନୈତିକ ଦଳର ବିଧାୟକ ଦଳର ଅତିକମ୍‌ରେ ଦୁଇ-ତୃତୀୟାଂଶ ସଦସ୍ୟ ଅନ୍ୟ ଦଳ ସହ ମିଶ୍ରଣକୁ ସମର୍ଥନ କଲେ ଏହାକୁ ଆଇନଗତ ମିଶ୍ରଣ ଭାବେ ଗ୍ରହଣ କରାଯାଇପାରେ। କିନ୍ତୁ କେବଳ କିଛି ବିଧାୟକ ଏକାଠି ହୋଇ ଦଳ ଛାଡ଼ିଲେ ଏହି ସୁବିଧା ମିଳିବ ନାହିଁ।

ଏଠାରେ ଉଲ୍ଲେଖଯୋଗ୍ୟ, ପୂର୍ବରୁ ଏକ-ତୃତୀୟାଂଶ ସଦସ୍ୟଙ୍କ ଦଳ ବିଭାଜନକୁ ଦଳବଦଳ ଆଇନରୁ ଛାଡ଼ ମିଳୁଥିଲା। କିନ୍ତୁ ୯୧ତମ ସମ୍ବିଧାନ ସଂଶୋଧନ ଦ୍ୱାରା ଏହି ବ୍ୟବସ୍ଥାକୁ ହଟାଇ ଦିଆଯାଇଛି।

ଇସ୍ତଫା ପରେ ବି ଜାରି ରହିପାରିବ ଅଯୋଗ୍ୟତା ମାମଲା

୨୦୧୯ରେ କର୍ଣ୍ଣାଟକର ବିଧାୟକଙ୍କ ସମ୍ପର୍କିତ ମାମଲାରେ ସୁପ୍ରିମକୋର୍ଟ ଏହି ପ୍ରସଙ୍ଗରେ ଗୁରୁତ୍ୱପୂର୍ଣ୍ଣ ମତ ରଖିଥିଲେ। ଶ୍ରୀମନ୍ତ ବାଲାସାହେବ ପାଟିଲ୍ ମାମଲାରେ କୋର୍ଟ ସ୍ପଷ୍ଟ କରିଥିଲେ ଯେ, ଅଯୋଗ୍ୟତାର କାରଣ ଇସ୍ତଫା ପୂର୍ବରୁ ଘଟିଥିଲେ, ପରେ ଇସ୍ତଫା ଦେଲେ ମଧ୍ୟ ଅଯୋଗ୍ୟତା ପ୍ରକ୍ରିୟା ଜାରି ରହିପାରିବ। ଏଥିସହ ବିଧାୟକଙ୍କ ଇସ୍ତଫା ସ୍ୱେଚ୍ଛାକୃତ ଓ ପ୍ରକୃତ କି ନୁହେଁ, ତାହା ଯାଞ୍ଚ କରିବାର ଦାୟିତ୍ୱ ବାଚସ୍ପତିଙ୍କର ରହିଛି।

ସେହିପରି ସମ୍ବିଧାନର ଧାରା ୧୬୪(୧B) ଅନୁଯାୟୀ, ଦଳବଦଳ ଆଇନରେ ଅଯୋଗ୍ୟ ଘୋଷିତ ବିଧାୟକ ବିଧାନସଭାର କାର୍ଯ୍ୟକାଳ ଶେଷ ହେବା କିମ୍ବା ପୁନର୍ବାର ନିର୍ବାଚିତ ହେବା ପର୍ଯ୍ୟନ୍ତ ମନ୍ତ୍ରୀ ପଦ ଧାରଣ କରିପାରିବେ ନାହିଁ। ଅନ୍ୟ କେତେକ ଲାଭଜନକ ରାଜନୈତିକ ପଦ ଉପରେ ମଧ୍ୟ କଟକଣା ରହିଛି।

ସୁପ୍ରିମକୋର୍ଟରେ କ’ଣ ଦାବି କରାଯାଇଛି?

ସୁପ୍ରିମକୋର୍ଟରେ ଦାଖଲ ନୂଆ PILରେ କିଛି ଗୁରୁତ୍ୱପୂର୍ଣ୍ଣ ପ୍ରସ୍ତାବ ରଖାଯାଇଛି।

  • ଅଯୋଗ୍ୟତା ପ୍ରକ୍ରିୟା ଚାଲିଥିବା ସମୟରେ ଜନପ୍ରତିନିଧି ଇସ୍ତଫା ଦେଲେ ମଧ୍ୟ ମାମଲା ବନ୍ଦ ନହେଉ।
  • ଅଯୋଗ୍ୟତା ସମ୍ପର୍କିତ ଆବେଦନର ନିଷ୍ପତ୍ତି ପାଇଁ ସର୍ବାଧିକ ତିନି ମାସର ସମୟସୀମା ଧାର୍ଯ୍ୟ ହେଉ।
  • ଇସ୍ତଫା ସ୍ୱେଚ୍ଛାକୃତ ଓ ପ୍ରକୃତ କି ନୁହେଁ, ବାଚସ୍ପତି କାରଣ ସହ ନିଷ୍ପତ୍ତି ଦିଅନ୍ତୁ।
  • ଅଯୋଗ୍ୟତା ମାମଲାର ନିଷ୍ପତ୍ତି ନଆସିବା ପର୍ଯ୍ୟନ୍ତ ସମ୍ପୃକ୍ତ ଜନପ୍ରତିନିଧିଙ୍କୁ ମନ୍ତ୍ରୀ ପଦ କିମ୍ବା ଅନ୍ୟ ଲାଭଜନକ ରାଜନୈତିକ ପଦରେ ନିଯୁକ୍ତି ନଦିଆଯାଉ।

ତେବେ ଏହି ପ୍ରସ୍ତାବଗୁଡ଼ିକ ଏବେ ଆବେଦନରେ ଉଠାଯାଇଥିବା ଦାବି ମାତ୍ର। ସୁପ୍ରିମକୋର୍ଟ ଏଯାଏଁ ଏନେଇ କୌଣସି ନୂଆ ନିୟମ ଲାଗୁ କରିନାହାନ୍ତି। କେବଳ ସମ୍ପୃକ୍ତ ପକ୍ଷଙ୍କୁ ନୋଟିସ୍ ଜାରି କରାଯାଇଛି। ତେଣୁ ଆଗାମୀ ଶୁଣାଣିରେ କୋର୍ଟ କ’ଣ ମତ ରଖୁଛନ୍ତି ଏବଂ ଏହି ଆବେଦନ ଉପରେ କି ନିଷ୍ପତ୍ତି ନେଉଛନ୍ତି, ତାହା ଉପରେ ଏବେ ନଜର ରହିଛି।

Leave a Reply

Your email address will not be published. Required fields are marked *