26 Sep 2026, Sat

ବଙ୍ଗୋପସାଗରରେ ଗଭୀର ଅବପାତ: ଆଜି ରାତିରେ ଲ୍ୟାଣ୍ଡଫଲ୍, ୧୪ ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ

ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଗଭୀର ଅବପାତ ଏବେ ସ୍ଥଳଭାଗ ଆଡକୁ ଅଗ୍ରସର ହେଉଛି। ଘଣ୍ଟାପ୍ରତି ପ୍ରାୟ ୧୨ କିଲୋମିଟର ବେଗରେ ପଶ୍ଚିମ ଦିଗକୁ ଗତି କରୁଥିବା ଏହି ଗଭୀର ଅବପାତ ଆଜି ରାତି ସୁଦ୍ଧା ଉତ୍ତର ଆନ୍ଧ୍ରପ୍ରଦେଶ ଓ ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିପାରେ।

ପଶ୍ଚିମକେନ୍ଦ୍ରୀୟ ଏବଂ ସଂଲଗ୍ନ ଉତ୍ତର-ପଶ୍ଚିମ ବଙ୍ଗୋପସାଗରରେ ଥିବା ଏହି ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ପ୍ରାୟ ୧୨ କିଲୋମିଟର ବେଗରେ ପଶ୍ଚିମ ଦିଗକୁ ଗତି କରିଛି। ଏହା କଳିଙ୍ଗପଟ୍ଟନମଠାରୁ ପ୍ରାୟ ୧୦୦ କିଲୋମିଟର ଦକ୍ଷିଣ-ପୂର୍ବ, ଗୋପାଳପୁରଠାରୁ ୧୫୦ କିଲୋମିଟର ଦକ୍ଷିଣ ଏବଂ ପୁରୀଠାରୁ ପ୍ରାୟ ୨୨୦ କିଲୋମିଟର ଦକ୍ଷିଣ-ଦକ୍ଷିଣପଶ୍ଚିମରେ ଅବସ୍ଥିତ ଥିଲା।

ପାଣିପାଗ ବିଭାଗର ଆକଳନ ଅନୁସାରେ, ଏହା ପରବର୍ତ୍ତୀ ସମୟରେ ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ। ଆଜି ରାତି ସୁଦ୍ଧା ବିଶାଖାପାଟଣା ଓ ଗୋପାଳପୁର ମଧ୍ୟରେ, କଳିଙ୍ଗପଟ୍ଟନମ ନିକଟରେ ଉତ୍ତର ଆନ୍ଧ୍ରପ୍ରଦେଶ–ଦକ୍ଷିଣ ଓଡ଼ିଶା ଉପକୂଳ ଅତିକ୍ରମ କରିବାର ସମ୍ଭାବନା ରହିଛି। ଲ୍ୟାଣ୍ଡଫଲ୍ ସମୟରେ ମଧ୍ୟ ଏହା ଗଭୀର ଅବପାତ ଭାବେ ରହିପାରେ।

ଗଭୀର ଅବପାତର ପ୍ରଭାବରେ ଆନ୍ଧ୍ରପ୍ରଦେଶ ସହ ଓଡ଼ିଶାର ବିଭିନ୍ନ ଅଞ୍ଚଳରେ ବର୍ଷା ଜାରି ରହିଛି। ବିଶେଷକରି ଦକ୍ଷିଣ ଓଡ଼ିଶାରେ ଅଧିକ ବର୍ଷା ହେବାର ଆଶଙ୍କା ରହିଛି। ଏହା ସହ ପବନର ବେଗ ଘଣ୍ଟାପ୍ରତି ୬୦ରୁ ୭୦ କିଲୋମିଟର ରହିପାରେ।

ଆଗାମୀ ତିନି ଘଣ୍ଟା ପାଇଁ ୧୪ଟି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି। ଜଗତସିଂହପୁର, ପୁରୀ, ରାୟଗଡ଼ା, ମୟୂରଭଞ୍ଜ, ମାଲକାନଗିରି, ନବରଙ୍ଗପୁର, ଅନୁଗୁଳ, ଦେବଗଡ଼, କଳାହାଣ୍ଡି, କେନ୍ଦୁଝର, କୋରାପୁଟ, ସୁନ୍ଦରଗଡ଼, ଢେଙ୍କାନାଳ ଓ ବାଲେଶ୍ୱର ଜିଲ୍ଲାରେ ବର୍ଷା ନେଇ ସତର୍କ କରାଯାଇଛି।

Leave a Reply

Your email address will not be published. Required fields are marked *