ନୂଆଦିଲ୍ଲୀ: ଦିଲ୍ଲୀର ସ୍ୱରୂପ ନଗର ଅଞ୍ଚଳରୁ ଜଣେ ୧୭ ବର୍ଷୀୟା ନାବାଳିକାଙ୍କୁ ଗଣଦୁଷ୍କର୍ମ ପରେ ହତ୍ୟା କରାଯାଇଥିବା ନେଇ ଗୁରୁତର ଅଭିଯୋଗ ସାମ୍ନାକୁ ଆସିଛି। ଏହି ମାମଲାରେ ପୁଲିସ ୪ ଜଣଙ୍କୁ ଅଟକ ରଖିଛି। ସେମାନଙ୍କ ମଧ୍ୟରେ ୩ ଜଣ ନାବାଳକ ଥିବାବେଳେ, ଅନ୍ୟ ଜଣେ ସାବାଳକ ବୋଲି ପୁଲିସ ସୂଚନା ଦେଇଛି।
ପୁଲିସ ଅନୁସାରେ, ସେପ୍ଟେମ୍ବର ୧୩ ତାରିଖ ସକାଳେ ସ୍ୱରୂପ ନଗରର କୁଶକ ରୋଡ୍ ନିକଟ ଏକ ଖୋଲା ପଡ଼ିଆରୁ ନାବାଳିକାଙ୍କ ମୃତଦେହ ମିଳିଥିଲା। ମୃତଦେହଟି ଦୀର୍ଘ ସମୟ ଧରି ସେଠାରେ ପଡ଼ି ରହିଥିବାରୁ ଅବସ୍ଥା ଗୁରୁତର ହୋଇଯାଇଥିବା ପୁଲିସ କହିଛି।
ତଦନ୍ତରୁ ଜଣାପଡ଼ିଛି ଯେ ନାବାଳିକା ଏବଂ ଅଭିଯୁକ୍ତମାନେ ପରସ୍ପରକୁ ଜାଣିଥିଲେ। ଘଟଣା ଦିନ ସେ ଅଭିଯୁକ୍ତମାନଙ୍କ ସହ ଏକ ଅଟୋରେ ଯାଇଥିବା ପୁଲିସ ଦାବି କରିଛି। ଅଭିଯୋଗ ଅନୁସାରେ, ଅଟୋ ଭିତରେ ଅଭିଯୁକ୍ତମାନେ ମଦ୍ୟପାନ କରିବା ପରେ ନାବାଳିକାଙ୍କ ସହ ଯୌନ ଅପରାଧ କରିଥିଲେ ଏବଂ ପରେ ତାଙ୍କୁ ହତ୍ୟା କରି ମୃତଦେହକୁ ଏକ ଖୋଲା ପଡ଼ିଆରେ ଫିଙ୍ଗି ଦେଇଥିବା ପୁଲିସ କହିଛି।

ମାମଲାର ତଦନ୍ତରେ ପୁଲିସ ୫୦ରୁ ଅଧିକ ସିସିଟିଭି କ୍ୟାମେରାର ଫୁଟେଜ୍ ଯାଞ୍ଚ କରିଥିଲା। ଏହି ଫୁଟେଜ୍ରେ ଏକ ଅଟୋର ଗତିବିଧି ସନ୍ଦେହ ସୃଷ୍ଟି କରିଥିଲା। ରାତିର ଅନ୍ଧାର ଯୋଗୁଁ ପ୍ରଥମେ ଅଟୋର ନମ୍ବର ସ୍ପଷ୍ଟ ହୋଇନଥିଲେ ମଧ୍ୟ ପରବର୍ତ୍ତୀ ତଦନ୍ତରେ ପୁଲିସ ଅଟୋଟିକୁ ଠାବ କରିଥିଲା।
ଅଟୋ ଚାଳକଙ୍କୁ ପଚରାଉଚରା ପରେ ମିଳିଥିବା ସୂଚନା ଆଧାରରେ ଅନ୍ୟ ୩ ଜଣଙ୍କୁ ମଧ୍ୟ ପୁଲିସ ଧରିଥିଲା। ଏମାନଙ୍କ ମଧ୍ୟରେ ୧୬ରୁ ୧୭ ବର୍ଷ ବୟସର ୩ ଜଣ ନାବାଳକ ଥିବାବେଳେ, ଶିବମ ଓରଫ ସୁଦାମା ନାମକ ଜଣେ ସାବାଳକ ରହିଛନ୍ତି।
ତଦନ୍ତ ସମୟରେ ପୁଲିସ ଦୁଇଟି ଛୁରୀ ଜବତ କରିଛି। ଏହା ସହ ଅଭିଯୁକ୍ତମାନେ ଘଟଣା ସମୟରେ ପିନ୍ଧିଥିବା ପୋଷାକ ମଧ୍ୟ ଜବତ କରାଯାଇଛି। ପୁଲିସ କହିଛି ଯେ, ଏହି ପୋଷାକରେ ରକ୍ତଦାଗ ଥିବା ଦେଖାଯାଇଛି। ଜବତ ସାମଗ୍ରୀକୁ ଫରେନସିକ୍ ଯାଞ୍ଚ ପାଇଁ ପଠାଯାଇପାରେ।
ପୁଲିସର ସୂଚନା ଅନୁସାରେ, ନାବାଳିକା ନିଖୋଜ ହେବା ନେଇ ପରିବାର ପକ୍ଷରୁ ପୂର୍ବରୁ କୌଣସି ଅଭିଯୋଗ ଦିଆଯାଇନଥିଲା। ପରିବାର ଲୋକେ କହିଥିଲେ ଯେ ସେ ପ୍ରାୟତଃ ଘରୁ ବାହାରକୁ ଯାଇ କିଛି ଦିନ ପରେ ଫେରୁଥିଲେ।
ଏହି ମାମଲାରେ ଭାରତୀୟ ନ୍ୟାୟ ସଂହିତାର ସମ୍ପୃକ୍ତ ଧାରା ସହ ପୋକ୍ସୋ ଆଇନର ଧାରା ୬ ଅନୁସାରେ ମାମଲା ରୁଜୁ ହୋଇଛି। ଘଟଣାରେ ଆଉ କେହି ସମ୍ପୃକ୍ତ ଅଛନ୍ତି କି ନାହିଁ ଏବଂ ଘଟଣାର ସମ୍ପୂର୍ଣ୍ଣ କ୍ରମ କ’ଣ ଥିଲା, ତାହା ଜାଣିବା ପାଇଁ ପୁଲିସର ତଦନ୍ତ ଜାରି ରହିଛି।

