ବୟସ ବଢ଼ିବା ସହ ତ୍ୱଚାରେ ଫାଇନ୍ ଲାଇନ୍, ଓ ଢିଲାପଣ ଦେଖାଯିବା ସାଧାରଣ କଥା । ଏହାକୁ ନେଇ ଅନେକେ ବଜାରର ମହଙ୍ଗା ଆଣ୍ଟି-ଏଜିଂ କ୍ରିମ୍ ଓ ସିରମ୍ ବ୍ୟବହାର କରନ୍ତି । କିନ୍ତୁ ଆଜତକ୍ର ଏକ ଲାଇଫ୍ଷ୍ଟାଇଲ୍ ରିପୋର୍ଟରେ ଘରେ ଥିବା କିଛି ସାଧାରଣ ସାମଗ୍ରୀରେ ଏକ ଘରୋଇ କ୍ରିମ୍ ପ୍ରସ୍ତୁତ କରିବାର ଉପାୟ ଦିଆଯାଇଛି । ଏହି ଘରୋଇ ମିଶ୍ରଣ ପାଇଁ ମୁଖ୍ୟତଃ ଦରକାର ହେବ ଚାଉଳ ଗୁଣ୍ଡ, ଅଳସୀ, ତାଜା ଆଲୋଭେରା ଜେଲ୍, ଗୋଲାପ ଜଳ ଏବଂ ବାଦାମ ତେଲ କିମ୍ବା ଭିଟାମିନ୍-ଇ କ୍ୟାପ୍ସୁଲ୍ । ରିପୋର୍ଟ ଅନୁସାରେ ଚାଉଳ ଗୁଣ୍ଡ ଏବଂ ଅଳସୀର ଜେଲ୍ ସହ ଆଲୋଭେରା ତ୍ୱଚାକୁ ଆର୍ଦ୍ରତା ଦେବା ପାଇଁ ବ୍ୟବହାର କରାଯାଏ । ତେବେ ଏହି କ୍ରିମ୍ ତିଆରି କରିବା ପ୍ରକ୍ରିୟା ମଧ୍ୟ ବେଶ୍ ସହଜ । ପ୍ରଥମେ ଏକ କପ୍ ପାଣିରେ ୨ ଚାମଚ ଅଳସୀ ଦେଇ ୫ରୁ ୭ ମିନିଟ୍ ଧୀମା ଆଞ୍ଚରେ ଫୁଟାଇବାକୁ ପଡ଼ିବ । ପାଣି ଘନ ଓ ଜେଲ୍ ଭଳି ହେଲେ ଏହାକୁ ଛାଣି ଅଲଗା କରନ୍ତୁ ।
ଅନ୍ୟ ଏକ ପାତ୍ରରେ ୧ ଚାମଚ ଚାଉଳ ଗୁଣ୍ଡକୁ ୨ରୁ ୩ ଚାମଚ ଗୋଲାପ ଜଳ ସହ ମିଶାଇ ଧୀମା ଆଞ୍ଚରେ ୧ରୁ ୨ ମିନିଟ୍ ରନ୍ଧନ୍ତୁ । ଏହା ଏକ ସ୍ମୁଥ୍ କ୍ରିମି ପେଷ୍ଟ୍ ଭଳି ହୋଇଗଲେ ଆଞ୍ଚରୁ ଓହ୍ଲାଇ ଥଣ୍ଡା କରନ୍ତୁ । ଏବେ ଏକ ପାତ୍ରରେ ଅଳସୀର ଜେଲ୍, ଚାଉଳ ଗୁଣ୍ଡର ପେଷ୍ଟ୍, ୨ ଚାମଚ ତାଜା ଆଲୋଭେରା ଜେଲ୍ ଏବଂ ୧ ଚାମଚ ବାଦାମ ତେଲ କିମ୍ବା ଗୋଟିଏ ଭିଟାମିନ୍-ଇ କ୍ୟାପ୍ସୁଲ୍ ମିଶାନ୍ତୁ । ସବୁ ସାମଗ୍ରୀକୁ ଭଲ ଭାବେ ଫେଣ୍ଟିଲେ ଏହା କ୍ରିମ୍ ଭଳି ଟେକ୍ସଚର୍ ନେଇଆସିବ । ତିଆରି ହୋଇଥିବା କ୍ରିମ୍କୁ ଏକ ପରିଷ୍କାର ଓ ଶୁଖିଲା କାଚ ବାଟିରେ ଭରି ଫ୍ରିଜ୍ରେ ରଖିବାକୁ ରିପୋର୍ଟରେ କୁହାଯାଇଛି । ଏହାକୁ ୧୦ରୁ ୧୨ ଦିନ ମଧ୍ୟରେ ବ୍ୟବହାର କରିବାର କଥା ଉଲ୍ଲେଖ ଅଛି । ବ୍ୟବହାର କରିବା ସମୟରେ ରାତିରେ ମୁହଁକୁ ଭଲ ଭାବେ ସଫା କରି ଅଳ୍ପ ପରିମାଣର କ୍ରିମ୍ ମୁହଁ ଓ ଗଳାରେ ଲଗାଇ ୨ରୁ ୩ ମିନିଟ୍ ହାଲୁକା ହାତରେ ମସାଜ୍ କରିବାକୁ କୁହାଯାଇଛି ।
ପରେ ରାତିସାରା ରଖି ସକାଳେ ପାଣିରେ ଧୋଇଦିଆଯାଇପାରେ ବୋଲି ରିପୋର୍ଟରେ ଦିଆଯାଇଛି । ତେବେ ଗୋଟିଏ କଥା ମନେ ରଖିବା ଜରୁରୀ—ଘରୋଇ ଉପାଦାନ ହେଲେ ମଧ୍ୟ ସମସ୍ତଙ୍କ ତ୍ୱଚାରେ ସମାନ ଭାବେ ସୁଟ୍ କରିବ ବୋଲି ନିଶ୍ଚିତ କୁହିହେବ ନାହିଁ । ପ୍ରଥମେ ଛୋଟ ଅଞ୍ଚଳରେ ପ୍ୟାଚ୍ ଟେଷ୍ଟ୍ କରିବା ଭଲ । ଜ୍ୱାଳା, ଖୁଜୁଳି କିମ୍ବା ଲାଲ୍ ହେବା ଭଳି ପ୍ରତିକ୍ରିୟା ହେଲେ ବ୍ୟବହାର ବନ୍ଦ କରିବା ଉଚିତ । ଅର୍ଥାତ୍ ମହଙ୍ଗା ସ୍କିନ୍କେୟାର୍ ପ୍ରଡକ୍ଟ୍ ପଛରେ ଦୌଡ଼ିବା ପୂର୍ବରୁ ଘରେ ଥିବା ସାମଗ୍ରୀରେ ଏଭଳି ଏକ ସହଜ ନୁସ୍ଖା ଚେଷ୍ଟା କରିପାରିବେ । ତେବେ ସ୍କିନ୍କେୟାର୍ରେ ନିୟମିତ ସନ୍ସ୍କ୍ରିନ୍, ସଠିକ୍ ମଏସ୍ଚରାଇଜର୍ ଓ ଭଲ ଖାଦ୍ୟାଭ୍ୟାସ ମଧ୍ୟ ସମାନ ଗୁରୁତ୍ୱପୂର୍ଣ୍ଣ ।

