ପୁଣି ଡରାଇଲାଣି ବୈତରଣୀ ବନ୍ୟା… ଘାଇ ମରାମତି ହୋଇଥିବା ସ୍ଥାନରେ ଏବେ ପ୍ରାୟ ୩ ଫୁଟ ଉଚ୍ଚରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ପୁଣି ଗାଁ ଭିତରକୁ ବନ୍ୟାପାଣି ମାଡ଼ି ଆସିବା ଆଶଙ୍କା ଦେଖାଦେଇଛି । ଏପଟେ ବନ୍ୟା ବିପନ୍ନ ଲୋକେ ଏଯାଏଁ ଘରକୁ ଫେରି ନଥିବା ବେଳେ, ପୁଣି ଲଘୁଚାପ ଜନିତ ବର୍ଷା ଓ ବନ୍ୟା ସେମାନଙ୍କ ଚିନ୍ତାକୁ ଆହୁରି ବଢ଼ାଇ ଦେଇଛି ।
ଗତ ଜୁଲାଇ ୨୯ରେ ବୈତରଣୀ ନଦୀର ଶାଖା କାଣୀ ନଦୀରେ ତରପଦା ପଞ୍ଚାୟତ ଅଧୀନ ଡୋଭାବିଲ-ପାଟଣା ନିକଟରେ ଦୁଇଟି ଘାଇ ସୃଷ୍ଟି ହୋଇଥିଲା । ଘାଇ ଯୋଗୁଁ ବନ୍ୟାଜଳ ଗାଁ ଭିତରକୁ ପଶି ଅନେକ ଅଞ୍ଚଳକୁ ପ୍ରଭାବିତ କରିଥିଲା । ପରେ ଘାଇ ମରାମତି କରାଯାଇଥିଲେ ମଧ୍ୟ ଏବେ ପୁଣି ବୈତରଣୀରେ ତୃତୀୟ ବନ୍ୟା ଆସିବା ପରେ ସ୍ଥିତି ଗମ୍ଭୀର ହୋଇପଡ଼ିଛି । ଘାଇ ମରାମତି କରାଯାଇଥିବା ସ୍ଥାନର ଉଚ୍ଚତାଠାରୁ ପ୍ରାୟ ୩ ଫୁଟ ଉପରେ ବନ୍ୟାଜଳ ପ୍ରବାହିତ ହେଉଛି । ଫଳରେ ତଳିଆ ଅଞ୍ଚଳରେ ରହୁଥିବା ଲୋକଙ୍କ ମଧ୍ୟରେ ପୁଣି ଭୟ ସୃଷ୍ଟି ହୋଇଛି । ପୁଣି ବନ୍ୟାଜଳ ଗାଁ ଭିତରକୁ ପଶିଲେ ସ୍ଥିତି ଆହୁରି ଭୟାବହ ହେବା ଆଶଙ୍କା ରହିଛି ।
ଧୀରେ ଧୀରେ ହ୍ରାସ ପାଉଛି ବୈତରଣୀ ଓ ସାଳନ୍ଦୀ ନଦୀର ଜଳ ସ୍ତର । ଆଖୁଆପଦା ଆନିକଟ ନିକଟରେ ବିପଦ ସଂକେତ ୧୮.୩୩ ମିଟର ରହିଥିବା ବେଳେ ସକାଳ ୬ ଟା ସୁଦ୍ଧା ୧୮.୦୭ ମିଟରରେ ବନ୍ୟା ଜଳ ପ୍ରବାହିତ ହେଉଛି । ସେହିପରି ରାଜଘାଟ ଠାରେ ସାଳନ୍ଦୀ ନଦୀର ବିପଦ ସଂକେତ ୧୭ ଫୁଟ ରହିଥିବା ବେଳେ ସକାଳ ୬ ଟା ସୁଦ୍ଧା ୧୬ ଫୁଟରେ ପ୍ରବାହିତ ହେଉଛି ବନ୍ୟା ଜଳ । ବନ୍ୟାଜଳ ହ୍ରାସ ପାଇବା ସତ୍ତ୍ବେ ତଳିଆ ଅଞ୍ଚଳରେ ଏବେ ବି ଦୂର ହୋଇନି ଜଳବନ୍ଦୀ ସମସ୍ୟା ।
ବନ୍ୟା ପରେ ଏବେ ଦାଉ ସାଜିଛି ଲଗାଣ ବର୍ଷା । ଫଳରେ ୧୦୦ରୁ ଉର୍ଦ୍ଧ୍ବ ପରିବାର ଏବେ ଜଳବନ୍ଦୀ ଘେରରେ । ଯାଜପୁର ଜିଲ୍ଲା ବଡ଼ଚଣା ବ୍ଲକ ବନ୍ଦାଳ ପଞ୍ଚାୟତ ଜଗନ୍ନାଥପୁର ଗ୍ରାମରୁ ସାମ୍ନାକୁ ଆସିଛି ଦୟନୀୟ ଚିତ୍ର । ଲଗାଣ ବର୍ଷା କାରଣରୁ ବଡ଼ଚଣା ବ୍ଲକର ଚାରି ଗୋଟି ପଞ୍ଚାୟତ ଏବେ ଜଳମଗ୍ନ। ଜଗନ୍ନାଥପୁର ସବୁଠୁ ଅଧିକ ପ୍ରଭାବିତ ହୋଇଥିବା ଦେଖିବାକୁ ମିଳିଛି।

