ଶ୍ରାବଣ ସୋମବାର ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ। ଶ୍ରାବଣ ଟଙ୍କା ଭାଗବଣ୍ଟାକୁ ନେଇ ବିବାଦ ଦେଖାଦେଇଛି। ପୂଜପଣ୍ଡା ସେବାୟତ ଓ ବଡୁ ସେବାୟତଙ୍କ ମଧ୍ୟରେ ବିବାଦ ପାଇଁ ଲିଙ୍ଗରାଜଙ୍କ ନୀତିକାନ୍ତି ବନ୍ଦ ରହିଛି। ଆଜି ସକାଳୁ ବଡୁ ସେବକ ଆସି ତାଙ୍କ ନୀତିକାନ୍ତି କରିଥିବା ବେଳେ ପୂଜାପଣ୍ଡା ସେବାୟତ ତାଙ୍କ ନୀତି କରିନାହାନ୍ତି। ତେଣୁ ବିନା ପୂଜାରେ ଜଳ ଲାଗି କରୁଛନ୍ତି ଶ୍ରଦ୍ଧାଳୁ। ନୀତି ବନ୍ଦ ନେଇ ପୂଜାପଣ୍ଡା ନିଯୋଗକୁ ଦାୟୀ କରିଛି ବଡ଼ୁ ନିଯୋଗ।
ବଡ଼ୁ ନିଯୋଗ କହିଛି ଯେ, ଭୋର ୩ଟାରେ ମନ୍ଦିର ଖୋଲି ଠାକୁରଙ୍କ ସମସ୍ତ ସେବା କଲୁ। ୪ଟା ପର୍ଯ୍ୟନ୍ତ ପୂଜାପଣ୍ଡା ସେବକମାନଙ୍କୁ ଅପେକ୍ଷା କଲୁ। ହେଲେ ସେମାନେ ଆସିଲେନି। ତେଣୁ ଅବକାଶ କରି କାଉଡ଼ିଆଙ୍କ ଜଳଲାଗି ପାଇଁ ମନ୍ଦିର ଖୋଲି ଦେଇଛୁ। ଶ୍ରାବଣ ପାଉଣା ଅଧା ନେବା ପାଇଁ ଆମେ ୧୯୯୧ରୁ ଦାବି କରି ଆସୁଛୁ। ହେଲେ ସେମାନେ କୋର୍ଟ କଚେରୀକୁ ଯାଇ ପାଉଣା ବନ୍ଦ କରିଥିଲେ।
୨୦୨୪ରେ କୋର୍ଟଙ୍କ ନିର୍ଦ୍ଦେଶ ପରେ ବି ଆମକୁ ପାଉଣା ମିଳୁନଥିଲା। ଏବେ ଆମେ ପାଉଣା ପାଇବା ପାଇଁ ନିଷ୍ପତ୍ତି ହେବାରୁ ସେମାନେ ସେବା ବନ୍ଦ କରିଛନ୍ତି ବୋଲି କହିଛନ୍ତି ବଡୁ ସେବାୟତ। ଏ ସଂପର୍କରେ ପୂଜପଣ୍ଡା ସେବାୟତଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।

