ରେକର୍ଡ ଭାଙ୍ଗୁଛି ଶୀତ, ଯେମିତି ଥରାଉଛି ସେମିତି ଥଣ୍ଡା ରେକର୍ଡ ଭାଙ୍ଗିବାରେ ଲାଗିଛି। ଝାରସୁଗୁଡ଼ାରେ ଥଣ୍ଡା ୭୩ ବର୍ଷର ରେକର୍ଡ ଭାଙ୍ଗିଥିବା ବେଳେ ଭୁବନେଶ୍ଵରରେ ୨୨ ବର୍ଷର ରେକର୍ଡକୁ ଅତିକ୍ରମ କରିଛି । ଆଜି ରାଉରକେଲାରେ ରାଜ୍ୟର ସର୍ବନିମ୍ନ ରାତି ତାପମାତ୍ରା ୪.୧ ଡିଗ୍ରୀ ରହିଛି । ସେହିଭଳି ଝାରସୁଗୁଡ଼ାରେ ୪.୫ ଡିଗ୍ରୀ, କେନ୍ଦୁଝରରେ ୭.୪ ଡିଗ୍ରୀ, ଭୁବନେଶ୍ୱର ୯.୨ ଡିଗ୍ରୀ, ସମ୍ବଲପୁର ୯.୪ ଡିଗ୍ରୀ, ହୀରାକୁଦ ୯.୯ ଡିଗ୍ରୀ ତାପମାତ୍ରା ରେକର୍ଡ କରାଯାଇଛି ।
ଚଳିତ ଶୀତ ଋତୁରେ ପୂର୍ବରୁ ଦୁଇ ଥର ସର୍ବକାଳୀନ ରେକର୍ଡ ଭାଙ୍ଗିଥିବା ଝାରସୁଗୁଡ଼ା ନୂଆ ରେକର୍ଡ କରିଛି । ପୁଣି ଆଉ ଥରେ ଗତକାଲିର ରେକର୍ଡ ଆଜି ଭାଙ୍ଗିଛି ଝାରସୁଗୁଡ଼ା । ୧୯୫୩ ଠାରୁ ୭୩ ବର୍ଷର ରେକର୍ଡ ଭାଙ୍ଗି ଆଜି ଝାରସୁଗୁଡ଼ାରେ ସବୁଠାରୁ ଥଣ୍ଡା ରାତି ଅନୁଭୂତ ହୋଇଛି । ଝାରସୁଗୁଡ଼ାରେ ୨୦୧୩ ଜାନୁଆରୀ ୭ରେ ସର୍ବନିମ୍ନ ତାପମାତ୍ରା ୫.୬ ଡିଗ୍ରୀ ରହିଥିବା ବେଳେ ୨୦୨୬ ଜାନୁଆରୀ ୭ରେ ୫.୧ ଡିଗ୍ରୀ, ଜାନୁଆରୀ ୯ରେ ୪.୬ ଡିଗ୍ରୀ ଏବଂ ଆଜି ଜାନୁଆରୀ ୧୦ରେ ପାରଦ ସର୍ବନିମ୍ନ ୪.୬ ଡିଗ୍ରୀ ରହିଛି ।
ସେହିଭଳି ଭୁବନେଶ୍ୱରରେ ମଧ୍ୟ ୨୨ବର୍ଷ ରେକର୍ଡ କରିଛି ଥଣ୍ତା । ୨୦୦୪ରୁ ଏଯାବତ୍ ସବୁଠାରୁ ଥଣ୍ଡା ରାତି ହୋଇଛି ଜାନୁଆରୀ ୧୦ । ୨୦୦୪ ଠାରୁ ଏତେ ଥଣ୍ଡା ରାଜଧାନୀରେ କେବେବି ଅନୁଭୂତ ହୋଇ ନଥିଲା । ଜାନୁଆରୀ ମାସରେ ତୃତୀୟ ସର୍ବନିମ୍ନ ରାତ୍ରି ତାପମାତ୍ରା ଆଜି ରେକର୍ଡ ହୋଇଛି । ଭୁବନେଶ୍ଵରରେ ଆଜି ସର୍ବନିମ୍ନ ରାତି ତାପମାତ୍ରା ୯.୨ ଡିଗ୍ରୀ ରେକର୍ଡ କରାଯାଇଛି । ଆଞ୍ଚଳିକ ପାଣିପାଗ ବିଜ୍ଞାନ କେନ୍ଦ୍ର ଭୁବନେଶ୍ଵରର ଆକଳନ ଅନୁସାରେ, ଶନିବାର ସୁନ୍ଦରଗଡ଼, ଝାରସୁଗୁଡ଼ା, ଅନୁଗୁଳ ଓ ଢେଙ୍କାନାଳରେ ଶୀତ ଲହରୀ ଲଗି ରହିବ । ଏହି ୪ ଜିଲ୍ଲାକୁ ଆଜି ପାଇଁ ୟେଲୋ ୱାର୍ଣ୍ଣିଂ ଦିଆଯାଇଛି ।
ଆଗାମୀ ୭ ଦିନ ପର୍ଯ୍ୟନ୍ତ ରାଜ୍ୟରେ ପାଗ ମୁଖ୍ୟତଃ ଶୁଖିଲା ରହିବ । ୨୪ ଘଣ୍ଟାରେ ରାତି ତାପମାତ୍ରାରେ ସେଭଳି ବଡ଼ ପରିବର୍ତ୍ତନ ହେବ ନାହିଁ । ପରବର୍ତ୍ତୀ ୨ ଦିନରେ ତାପମାତ୍ରା ୨ରୁ ୩ ଡିଗ୍ରୀ ବୃଦ୍ଧି ପାଇବା ସମ୍ଭାବନା ରହିଛି ।

