ଆମେରିକା ଓ ଋଷ ମଧ୍ୟରେ ଜାରି ଉତ୍ତେଜନାମୂଳକ ସ୍ଥିତି ବିପଜ୍ଜନକ ମୋଡ଼ରେ ପହଞ୍ଚିଯାଇଛି। ଉତ୍ତର ଆଟଲାଣ୍ଟିକ ମହାସାଗରରେ କିଛି ସପ୍ତାହ ଧରି ଚାଲିଥିବା ହାଇ ଭୋଲଟେଜ୍ ଡ୍ରାମା ପରେ ଋଷ ପତାକା ଲାଗିଥିବା ତୈଳ ଟ୍ୟାଙ୍କର ମରିନେରାକୁ ନିଜ କବଜାକୁ ନେଇଛି ଆମେରିକା । ଏହି ସାମରିକ କାର୍ଯ୍ୟାନୁଷ୍ଠାନ ବୈଶ୍ବିକ ରାଜନୀତିରେ ହଇଚଇ ଖେଳାଇ ଦେଇଛି। କାରଣ ଏହି ଅପରେସନ ସମୟରେ ଋଷ ନୌସେନାର ଯୁଦ୍ଧ ଜାହାଜ ଓ ବୁଡ଼ା ଜାହାଜ ବି ସେହି ଅଞ୍ଚଳରେ ଥିଲେ।
ଆମେରିକାର ୟୁରୋପୀୟ କମାଣ୍ଡ ପକ୍ଷରୁ ବୁଧବାର ସ୍ପଷ୍ଟ କରାଯାଇଛି ଯେ ଭେନିଜୁଏଲାର ତୈଳ ବ୍ୟବସାୟ ସହ ସମ୍ପୃକ୍ତ ଋଷର ଟ୍ୟାଙ୍କର ମରିନେରାକୁ ଆମେରିକୀୟ ସେନା ଓ କୋଷ୍ଟଗାର୍ଡ ମିଳିତ ଅପରେସନରେ ନିଜ କବଜାକୁ ନେଇଛନ୍ତି। ଫେଡେରାଲ କୋର୍ଟର ୱାରେଣ୍ଟ ଆଧାରରେ କରାଯାଇଥିବା ଏହି କାର୍ଯ୍ୟାନୁଷ୍ଠାନ ପ୍ରତିବନ୍ଧକର ଉଲ୍ଲଂଘନ ଅଭିଯୋଗରେ କରାଯାଇଛି।
ଏହି ଟ୍ୟାଙ୍କରକୁ ସେତେବେଳେ ଜବତ କରାଗଲା ଯେତେବେଳେ ଆଇସଲ୍ୟାଣ୍ଡ ପାଖ ସମୁଦ୍ରରେ ଋଷ ନୌସେନାର ଏକ ବୁଡ଼ାଜାହାଜ ଓ ବହୁ ଯୁଦ୍ଧ ଜାହାଜ ମୁତୟନ ଥିଲେ। ପ୍ରତିରକ୍ଷା ବିଶେଷଜ୍ଞଙ୍କ ଅନୁସାରେ ଋଷ ପତାକା ଲାଗିଥିବା ଏହି ଜାହାଜକୁ ଜବରଦସ୍ତ ଜବତ କରିବା ଫଳରେ ଆମେରିକା-ଋଷ ସହ ସିଧାସଳଖ ସାମରିକ ସଂଘର୍ଷର ବିପଦ ବଢ଼ିଯାଇଛି। ଏହି ଜାହାଜ ବେଶ୍ କିଛି ସପ୍ତାହ ଧରି ଆମେରିକାର ନାକାବନ୍ଦୀକୁ ଚକମା ଦେବାକୁ ଉଦ୍ୟମ କରୁଥିଲା ଏବଂ ଅନେକ ଥର ଆମେରିକୀୟ କୋଷ୍ଟ ଗାର୍ଡର ନିର୍ଦ୍ଦେଶକୁ ମାନିବାକୁ ମନା କରିଥିଲା।
ଅନ୍ୟପଟେ ଭେନେଜୁଏଲାରେ ଆମେରିକାର ସାମରିକ କାର୍ଯ୍ୟାନୁଷ୍ଠାନ ପରେ ଏବେ କଲମ୍ବିଆ ଉପରେ ଆଖି ପକାଇଛନ୍ତି ଟ୍ରମ୍ପ । ଯାହାଫଳରେ ଏବେ କଲମ୍ବିଆ ଏବଂ ଆମେରିକା ସମ୍ପର୍କରେ ଉତ୍ତେଜନା ଦେଖିବାକୁ ମିଳୁଛି । ଏସବୁ ମଧ୍ୟରେ କଲମ୍ବିଆ ରାଷ୍ଟ୍ରପତି ଗୁସ୍ତାଭୋ ପେଟ୍ରୋ ସିଧାସଳଖ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପଙ୍କୁ ଚ୍ୟାଲେଞ୍ଜ କରି କହିଛନ୍ତି, ‘ଆସନ୍ତୁ ଏବଂ ମୋତେ ଧରନ୍ତୁ, ମୁଁ ଏଠାରେ ଅପେକ୍ଷା କରିଛି ।”
ପେଟ୍ରୋଙ୍କ ଏହି ବୟାନ ଲାଟିନ୍ ଆମେରିକାରେ ରାଜନୈତିକ ଅସ୍ଥିରତା ସୃଷ୍ଟି କରିଛି । ସେ ଭେନେଜୁଏଲାରେ ଆମେରିକାର କାର୍ଯ୍ୟାନୁଷ୍ଠାନକୁ ମଧ୍ୟ କଡ଼ା ସମାଲୋଚନା କରିଛନ୍ତି । ସେ ଚେତାବନୀ ଦେଇଛନ୍ତି ଯେ ଯଦି ଆମେରିକା ଆକ୍ରମଣ କରେ, ତେବେ ଦେଶର ଚାଷୀମାନେ ଅସ୍ତ୍ର ଉଠାଇପାରିବେ ଏବଂ ପାହାଡ଼ରେ ଗରିଲା ଯୁଦ୍ଧ ଆରମ୍ଭ ହୋଇପାରେ ।
ପେଟ୍ରୋ କହିଛନ୍ତି ଯେ ଯଦି ଆମେରିକା ସେହି ରାଷ୍ଟ୍ରପତିଙ୍କୁ ଗିରଫ କରେ, ଯାହାଙ୍କୁ ଦେଶର ଅଧିକାଂଶ ଲୋକ ଭଲ ପାଆନ୍ତି ଏବଂ ସମ୍ମାନ କରନ୍ତି । ତେବେ ଜନ ଆକ୍ରୋଶ ଜାଗୁଆର ପରି ବ୍ୟାପିବ । ସେ ଏହା ମଧ୍ୟ କହିଛନ୍ତି ଯେ ସେ ୧୯୯୦ ଦଶକରେ ଅସ୍ତ୍ର ପରିତ୍ୟାଗ କରିଥିଲେ, କିନ୍ତୁ ଦେଶକୁ ରକ୍ଷା କରିବା ପାଇଁ ପୁଣି ଅସ୍ତ୍ର ଉଠାଇବାକୁ ସଂକୋଚ କରିବେ ନାହିଁ।

