ଫେବୃଆରୀ ୭ରୁ ଆରମ୍ଭ ହେବାକୁ ଯାଉଛି ଟି-୨୦ ବିଶ୍ବକପ୍ । ଭାରତ-ଶ୍ରୀଲଙ୍କାରେ ଆୟୋଜିତ ହେବ ଆଇସିସିର ଏହି ମେଗା ଟୁର୍ଣ୍ଣାମେଣ୍ଟ । ଟି-୨୦ ବିଶ୍ବକପ୍ ପାଇଁ ଦକ୍ଷିଣ ଆଫ୍ରିକା ତା’ର ୧୫ ଜଣିଆ ଦଳ ଘୋଷଣା କରିଛି । ଏଡେନ୍ ମାର୍କରାମଙ୍କ ନେତୃତ୍ବରେ ବିଶ୍ବକପ୍ ଖେଳିବ ଦକ୍ଷିଣ ଆଫ୍ରିକା । ତେବେ ଘୋଷଣା ହୋଇଥିବା ଦଳରେ ଦୁଇ ବିସ୍ଫୋରକ ବ୍ୟାଟ୍ସମ୍ୟାନ୍ ରିଆନ୍ ରିକେଲଟନ୍ ଏବଂ ଟ୍ରିଷ୍ଟାନ୍ ଷ୍ଟବ୍ସଙ୍କୁ ବାଦ୍ ଦିଆଯାଇଛି ।
ଆଘାତ ଯୋଗୁଁ ଭାରତ ବିପକ୍ଷ ସିରିଜ୍ ହରାଇଥିବା କାଗିସୋ ରାବାଡା ବିଶ୍ୱକପ୍ ପାଇଁ ଦକ୍ଷିଣ ଆଫ୍ରିକା ଦଳକୁ ଫେରିଛନ୍ତି । ଦକ୍ଷିଣ ଆଫ୍ରିକା ଦଳରେ ଅନେକ ଖେଳାଳି ଅଛନ୍ତି ଯେଉଁମାନେ ସେମାନଙ୍କର ପ୍ରଥମ ଟି୨୦ ବିଶ୍ୱକପ୍ ଖେଳିବେ । କ୍ୱେନା ମ୍ଫାକା, କର୍ବିନ୍ ବୋଶ୍, ଡେୱାଲ୍ଡ ବ୍ରେଭିସ୍, ଜର୍ଜ ଲିଣ୍ଡେ ଏବଂ ଜାସନ୍ ସ୍ମିଥ୍ ପ୍ରଥମ ଥର ପାଇଁ ବିଶ୍ୱକପ୍ ରେ ଅଂଶଗ୍ରହଣ କରିବେ ।
ସେହିପରି ଜାସନ୍ ସ୍ମିଥ୍ଙ୍କ ଦଳରେ ସାମିଲ ହେବା ଆଶ୍ଚର୍ଯ୍ୟଜନକ । କାରଣ ସେ ଏପର୍ଯ୍ୟନ୍ତ କେବଳ ପାଞ୍ଚଟି ଅନ୍ତର୍ଜାତୀୟ ମ୍ୟାଚ୍ ଖେଳିଛନ୍ତି । ତଥାପି ସେ CSAT20 ଚ୍ୟାଲେଞ୍ଜର ପ୍ଲେଅଫ୍ ମ୍ୟାଚରେ ୧୯ ବଲରେ ବିସ୍ଫୋରକ ୬୮ ରନ୍ କରି କ୍ରିକେଟ୍ ଜଗତରେ ଏକ ଚର୍ଚ୍ଚା ସୃଷ୍ଟି କରିଥିଲେ । ଭାରତ, ଶ୍ରୀଲଙ୍କା, ଅଷ୍ଟ୍ରେଲିଆ, ଓମାନ ଏବଂ ଆଫଗାନିସ୍ତାନ ପୂର୍ବରୁ ସେମାନଙ୍କର ବିଶ୍ୱକପ୍ ଦଳ ଘୋଷଣା କରିସାରିଛନ୍ତି।
ଦକ୍ଷିଣ ଆଫ୍ରିକାକୁ ୨୦୨୬ ଟି-20 ବିଶ୍ୱକପ୍ ପାଇଁ ଗ୍ରୁପ୍ ‘ଡି’ରେ ଆଫଗାନିସ୍ତାନ, ନ୍ୟୁଜିଲ୍ୟାଣ୍ଡ, କାନାଡା ଏବଂ ୟୁଏଇ ସହିତ ରଖାଯାଇଛି । ଦକ୍ଷିଣ ଆଫ୍ରିକା ଫେବୃଆରୀ ୯ ତାରିଖରେ କାନାଡା ବିପକ୍ଷରେ ବିଶ୍ୱକପ୍ ଅଭିଯାନ ଆରମ୍ଭ କରିବ। ଟି-20 ବିଶ୍ୱକପ୍ ଫେବୃଆରୀ ୭ ତାରିଖରେ ଆରମ୍ଭ ହେବ ଏବଂ ଫାଇନାଲ୍ ମାର୍ଚ୍ଚ ୮ ତାରିଖରେ ଅନୁଷ୍ଠିତ ହେବ ।
ଟି-୨୦ ବିଶ୍ୱକପ୍ ପାଇଁ ଦକ୍ଷିଣ ଆଫ୍ରିକାର ଦଳ: ଏଡେନ୍ ମାର୍କରାମ (ଅଧିନାୟକ), କର୍ବିନ୍ ବୋଶ୍, ଡେୱାଲ୍ଡ ବ୍ରେଭିସ୍, କ୍ୱିଣ୍ଟନ୍ ଡି କକ୍, ଟୋନି ଡି ଜୋରଜି, ଡୋନୋଭାନ୍ ଫେରେରା, ମାର୍କୋ ଜାନସେନ୍, ଜର୍ଜ ଲିଣ୍ଡେ, କେଶବ ମହାରାଜ, କ୍ୱେନା ମ୍ଫାକା, ଡେଭିଡ୍ ମିଲର୍, ଲୁଙ୍ଗି ଏନଗିଡି, ଆନରିଚ୍ ନର୍କିଆ, କାଗିସୋ ରାବାଡା, ଜାସନ୍ ସ୍ମିଥ୍

