୨୦୨୬ରେ ହେବାକୁ ଥିବା ଟି-୨୦ ବିଶ୍ବକପ୍ ପାଇଁ ଘୋଷଣା ହେଲା କାର୍ଯ୍ୟସୂଚୀ । ଫେବ୍ରୁଆରୀ ୭ରୁ ମାର୍ଚ୍ଚ ୮ ପର୍ଯ୍ୟନ୍ତ ଚାଲିବ ଫଟାଫଟ୍ କ୍ରିକେଟ୍ର ମହାକୁମ୍ଭ । ତେବେ ୨୦୨୬ ଟି-୨୦ ବିଶ୍ବକପ୍ ଭାରତ ଓ ଶ୍ରୀଲଙ୍କା ମିଳିତ ଭାବେ ଆୟୋଜନ କରିବାକୁ ଯାଉଛି । ଏହି ମେଗା ଟୁର୍ଣ୍ଣାମେଣ୍ଟରେ ଭାରତ ତା’ର ପ୍ରଥମ ମ୍ୟାଚ୍ ଆମେରିକା ବିପକ୍ଷରେ ଖେଳିବ । ସେହିପରି ଫେବୃଆରୀ ୧୫ରେ ଭାରତ-ପାକିସ୍ତାନ ମଧ୍ୟ ମହାମୁକାବିଲା ହେବ ।
ତେବେ ଆଗାମୀ ଟି-୨୦ ବିଶ୍ବକପ୍ରେ ୨୦ ଟିମ୍ ସାମିଲ ହେବେ । ତେବେ ଆଗାମୀ ଟି-୨୦ ବିଶ୍ବକପ୍ ପାଇଁ ଟିମ୍ ଇଣ୍ଡିଆର ପୂର୍ବତନ ଅଧିନାୟକ ରୋହିତ ଶର୍ମାଙ୍କୁ ଆଇସିସି ବ୍ରାଣ୍ଡ ଆମ୍ବାସାଡାର କରିଛି । ଏହି ମେଗା ଟୁର୍ଣ୍ଣାମେଣ୍ଟ ଭାରତର ୫ଟି ଓ ଶ୍ରୀଲଙ୍କାର ୩ଟି ଷ୍ଟାଡିୟମରେ ଖେଳାଯିବ । ଭାରତର ଅରୁଣ ଜେଟଲୀ ଷ୍ଟାଡିୟମ, ନରେନ୍ଦ୍ର ମୋଦି ଷ୍ଟାଡିୟମ, ଓ୍ବାଙ୍ଖେଡେ ଷ୍ଟାଡିୟମ, ଇଡେନ୍ ଗାର୍ଡେନ୍ସ ଓ ଏମ୍ ଏମ୍ ଚିଦାମ୍ବରମ ଷ୍ଟାଡିୟମରେ ଖେଳାଯିବ ।
ତେବେ ଆଗାମୀ ଟି-୨୦ ବିଶ୍ବକପ୍ରେ ପାକିସ୍ତାନ ତା’ର ସମସ୍ତ ମ୍ୟାଚ୍ ଶ୍ରୀଲଙ୍କାରେ ଖେଳିବ । ସେହିପରି ପ୍ରଥମ ସେମିଫାଇନାଲ ମ୍ୟାଚ୍ ୪ ମାର୍ଚ୍ଚରେ କୋଲକାତାର ଇଡେନ୍ ଗାର୍ଡେନ୍ସରେ ଖେଳାଯିବ । ଯଦି ପାକିସ୍ତାନ ସେମିଫାଇନାଲରେ ସ୍ଥାନ ପକ୍କା କରେ ତେବେ ପ୍ରଥମ ସେମିଫାଇନାଲ ମ୍ୟାଚ୍ କଲମ୍ବୋରେ ଖେଳାଯିବ । ସେହିପରି ଦ୍ବିତୀୟ ସେମିଫାଇନାଲ ମ୍ୟାଚ୍ ୫ ମାର୍ଚ୍ଚରେ ମୁମ୍ବାଇର ଓ୍ବାଙ୍ଖେଡେ ଷ୍ଟାଡିୟମରେ ଖେଳାଯିବ । ସେହିପରି ଫାଇନାଲ ମ୍ୟାଚ୍ ଅହମ୍ମଦାବାଦର ନରେନ୍ଦ୍ର ମୋଦି ଷ୍ଟାଡିୟମରେ ମାର୍ଚ୍ଚ ୮ରେ ଖେଳାଯିବ ।

