ସଙ୍ଗୀତଜ୍ଞ ଅଭିଜିତ ମଜୁମଦାରଙ୍କ ସ୍ଵାସ୍ଥ୍ୟାବସ୍ଥା ପୁଣି ଥରେ ବିଗିଡ଼ିଛି ।ପୁଣିଥରେ ଆଇସିୟୁରେ ଭର୍ତ୍ତି ହେଲେ ଅଭିଜିତ ।ସ୍ନାୟୁଜନିତ ସମସ୍ୟାରେ ସୁଧାର ନ ଆସିବାରୁ ଅଭିଜିତ୍ଙ୍କୁ ICU ସ୍ଥାନାନ୍ତର କରାଯାଇଥିବା ଜଣାପଡ଼ିଛି। ବିଗତ ୨୪ ଘଣ୍ଟାରେ ଅଭିଜିତଙ୍କ ସ୍ୱାସ୍ଥ୍ୟାବସ୍ଥାରେ ଅବନତି ପରିଲକ୍ଷିତ ହୋଇଛି।
ଗତ ସେପ୍ଟେମ୍ୱର ୪ ତାରିଖରୁ ଅଭିଜିତ୍ ଭୁବନେଶ୍ଵର AIIMSରେ ଚିକିତ୍ସାଧୀନ ଅଛନ୍ତି । ସେପ୍ଟେମ୍ବର ୨୫ ତାରିଖରେ ଅଭିଜିତଙ୍କ ସ୍ଵାସ୍ଥ୍ଯରେ ସୁଧାର ଆସିବା ପରେ ତାଙ୍କୁ ଜେନେରାଲ୍ ୱାର୍ଡକୁ ଅଣା ଯାଇଥିଲା । ଏକ ସ୍ନାୟୁ ଜନୀତ ରୋଗରେ ସେ ପୀଡ଼ିତ ଅର୍ଥାତ ତାଙ୍କର ନିମୋନିଆ ସହିତ ଫୁସଫୁସରେ ସଂକ୍ରମଣ ହୋଇଛି । ରକ୍ତରେ ଜୀବାଣୁ ସଂକ୍ରମଣ ଓ ପୁରୁଣା ଯକୃତ୍ ରୋଗ ସମସ୍ୟା ଏବଂ ଭିଟାମିନ ‘ଡି’ ଓ ଫଲିକ ଏସିଡ ଭଳି ପୋଷକ ତତ୍ତ୍ବର ଅଭାବ ରହିଛି ।
ତେବେ ଅଭିଜିତଙ୍କୁ ସେପ୍ଟେମ୍ବର ୨୫ ଗୁରୁବାର ସକାଳ ୧୧ଟାରେ ଆଇସିୟୁରୁ ଜେନେରାଲ୍ ୱାର୍ଡକୁ ସ୍ଥାନାନ୍ତରିତ କରାଯାଇଥିଲା । ସୂଚନା ଅନୁସାରେ, ଶରୀରରେ ସୋଡିୟମ ଲେବୁଲ କମିଯିବାରୁ ତାଙ୍କୁ କିଛି ଦିନ ତଳେ ପ୍ରଥମେ କଟକର ଏକ ଘରୋଇ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ସେଠାରେ ପ୍ରାୟ ଏକ ସପ୍ତାହ ଧରି ତାଙ୍କ ଚିକିତ୍ସା ଜାରି ରହିଥିଲା । ଏହାପରେ ତାଙ୍କ ସ୍ଵାସ୍ଥ୍ୟବସ୍ଥା ଗୁରୁତର ହେବାରୁ ତାଙ୍କୁ ଭୁବନେଶ୍ଵର ଏମ୍ସକୁ ସ୍ଥାନାନ୍ତର କରାଯାଇଥିଲା । ସେଠାରେ ଏକ ସ୍ଵତନ୍ତ୍ର ଡାକ୍ତରୀ ଦଳ ତାଙ୍କୁ ଚିକିତ୍ସା କରାଉଥିବା ଜଣାପଡିଛି । 
ତେବେ ଓଡ଼ିଆ ଫିଲ୍ମ ଇଣ୍ଡଷ୍ଟ୍ରିରେ ଦାଦା ନାମରେ ସେ ବେଶ ଜଣା। ପ୍ରଥମେ ସେ ୨୦୦୦ ମସିହାରେ ‘କାସିଆ କପିଳା’ରେ ଦେଇଥିଲେ ସଙ୍ଗୀତ ନିର୍ଦ୍ଦେଶନା । ଏହା ପରେ ଅଭିଜିତ ଆଉ ପଛକୁ ଫେରି ନଥିଲେ ।
ଓଲିଉଡକୁ ଦେଇଛନ୍ତି ବ୍ୟାକ୍ ଟୁ ବ୍ୟାକ୍ ହିଟ୍ ଗୀତ । ୨୦୦୮ ରେ ‘ତୋ ବିନା ଭଲ ଲାଗେନା’, ୨୦୧୦ରେ ‘ତୁ ଥାଆ ମୁଁ ଯାଉଛି ରୁଷି’, ୨୦୧୨ରେ ‘ମ୍ୟାଟ୍ରିକ୍ ଫେଲ୍’, ୨୦୧୩ରେ ‘ଲଭ୍ ହେଲା ଏମିତିରେ’, ୨୦୧୪ରେ ‘ପୁଣି ଦେଖା ହେବ ଆର ଜନ୍ମରେ’, ୨୦୧୬ରେ ‘ଲଭ୍ ଷ୍ଟେସନ୍’, ‘ସିଷ୍ଟର ଶ୍ରୀଦେବୀ’ ଏବଂ ‘ସୁନା ପିଲା ଟିକେ ସ୍କ୍ରୁ ଢିଲା’ରେ ସଙ୍ଗୀତ ନିର୍ଦ୍ଦେଶନା ଦେଇଥିଲେ ଅଭିଜିତ।
ତେବେ ତାଙ୍କର ଅସୁସ୍ଥତା ପାଇଁ ଏବେ ତାଙ୍କର ଦର୍ଶକ ଏବଂ ପ୍ରଶଂସଙ୍କ ମନରେ କଠୋର ଆଘାତ ଲାଗିଛି।

