ମିଶରରେ ଭୟଙ୍କର ରେଳ ଦୁର୍ଘଟଣା। ଦୁଇଟି ଯାତ୍ରୀବାହୀ ଟ୍ରେନ୍ ମଧ୍ୟରେ ହୋଇଛି ଜୋରଦାର ଧକ୍କା। ଏହି ଦୁର୍ଘଟଣାରେ ଏକାଧିକ ବଗି ଲାଇନ୍ଚ୍ୟୁତ ହୋଇଥିବା ବେଳେ ଏଯାଏଁ ୭ ଜଣଙ୍କ ଜୀବନ ଯାଇଛି। ଅନ୍ୟପଟେ ୧୨୫ ଜଣ ଆହତ ହୋଇଛନ୍ତି। ଏହି ଘଟଣା ପରେ ସମଗ୍ର ଅଞ୍ଚଳରେ ହଇଚଇ ସୃଷ୍ଟି ହୋଇଛି।
ସୂଚନା ଅନୁସାରେ, ନଭେମ୍ବର ୮ ତାରିଖ ରବିବାର ମିଶରର ରାଜଧାନୀ କାହିରା ନିକଟ ଗିଜା ପ୍ରଦେଶର ଅଲ୍-ଆୟାତ୍ ଅଞ୍ଚଳରେ ଏହି ଦୁର୍ଘଟଣା ଘଟିଛି। ଗିଜାରୁ ଫୟୂମ୍ ଅଭିମୁଖେ ଯାଉଥିବା ଟ୍ରେନ୍ ନମ୍ବର ୧୩୪, କାହିରାରୁ ଆସୱାନ୍ ଯାଉଥିବା ଟ୍ରେନ୍ ନମ୍ବର ୨୦୧୦କୁ ପଛପଟୁ ଧକ୍କା ଦେଇଥିଲା। ଧକ୍କା ଏତେ ଜୋର୍ଦାର ଥିଲା ଯେ ଟ୍ରେନ୍ର ଅନେକ ବଗି ରେଳ ଧାରଣାରୁ ଖସିପଡ଼ିଥିଲା।
ପ୍ରାଥମିକ ସୂଚନା ଅନୁସାରେ, ଆଗରେ ଯାଉଥିବା ଟ୍ରେନ୍ଟି ରେଳ ଧାରଣାରେ ଅଟକି ରହିଥିଲା। ଏହି ସମୟରେ ପଛରୁ ଆସୁଥିବା ଅନ୍ୟ ଟ୍ରେନ୍ଟି ତାହାକୁ ଧକ୍କା ଦେଇଥିଲା। ତେବେ ଟ୍ରେନ୍ଟି କେଉଁ କାରଣରୁ ଅଟକିଥିଲା ଏବଂ ପଛରୁ ଆସୁଥିବା ଟ୍ରେନ୍ଟି କାହିଁକି ଧକ୍କା ରୋକିପାରିଲା ନାହିଁ, ତାହା ଏବେ ତଦନ୍ତର ବିଷୟ ପାଲଟିଛି।
ଦୁର୍ଘଟଣା ଘଟିବା ପରେ ତୁରନ୍ତ ଆରମ୍ଭ ହୋଇଥିଲା ଉଦ୍ଧାର କାର୍ଯ୍ୟ। ଘଟଣାସ୍ଥଳରେ ଉଦ୍ଧାରକାରୀ ଦଳ ପହଞ୍ଚି ଆହତ ଯାତ୍ରୀଙ୍କୁ ଟ୍ରେନ୍ରୁ ବାହାର କରିଥିଲେ। ପରେ ସେମାନଙ୍କୁ ନିକଟସ୍ଥ ହସ୍ପିଟାଲଗୁଡ଼ିକୁ ନିଆଯାଇଥିଲା। ଏହି ଦୁର୍ଘଟଣାରେ ମୋଟ ୧୨୫ ଜଣ ଆହତ ହୋଇଥିବା ବେଳେ ସେମାନଙ୍କ ମଧ୍ୟରୁ ୭୦ରୁ ଅଧିକ ଜଣ ଚିକିତ୍ସା ପରେ ହସ୍ପିଟାଲରୁ ଡିସ୍ଚାର୍ଜ ହୋଇଥିବା ରିପୋର୍ଟ ମିଳିଛି।
ଅନ୍ୟପଟେ ଦୁର୍ଘଟଣାଗ୍ରସ୍ତ ଟ୍ରେନ୍ର ବଗିଗୁଡ଼ିକୁ ହଟାଇବା ପାଇଁ କ୍ରେନ୍ ଓ ଅନ୍ୟାନ୍ୟ ଉପକରଣର ସହାୟତା ନିଆଯାଇଛି। ରେଳ ଧାରଣାରୁ କ୍ଷତିଗ୍ରସ୍ତ ବଗିଗୁଡ଼ିକୁ ହଟାଇବା ସହ ରେଳ ଚଳାଚଳକୁ ପୁଣି ସ୍ୱାଭାବିକ କରିବା ପାଇଁ ଉଦ୍ୟମ ଜାରି ରହିଛି।
ଏହି ଭୟଙ୍କର ଦୁର୍ଘଟଣାକୁ ନେଇ ମିଶରର ରାଷ୍ଟ୍ରପତି ଅବଦେଲ୍ ଫତାହ୍ ଅଲ୍-ସିସି ଗଭୀର ଉଦ୍ବେଗ ପ୍ରକାଶ କରିଛନ୍ତି। ଘଟଣାର ତୁରନ୍ତ ତଦନ୍ତ କରିବାକୁ ସେ ନିର୍ଦ୍ଦେଶ ଦେବା ସହ ଯଦି କାହାର ଅବହେଳା ସାମ୍ନାକୁ ଆସେ, ତେବେ ସମ୍ପୃକ୍ତ ବ୍ୟକ୍ତିଙ୍କୁ ଦାୟୀ କରାଯିବ ବୋଲି କହିଛନ୍ତି।
ଅନ୍ୟପଟେ ମାମଲାର ତଦନ୍ତ ଆରମ୍ଭ କରିଛି ସରକାରୀ ଓକିଲଙ୍କ କାର୍ଯ୍ୟାଳୟ। ଦୁର୍ଘଟଣାର ପ୍ରକୃତ କାରଣ ଜାଣିବା ପାଇଁ ରେଳ ଧାରଣା, କ୍ଷତିଗ୍ରସ୍ତ ବଗି ଏବଂ ରେଳ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯିବ। ଏହାସହ ଟ୍ରେନ୍ ଚଳାଚଳ ସମୟରେ କୌଣସି ବୈଷୟିକ ତ୍ରୁଟି କିମ୍ବା ମାନବୀୟ ଅବହେଳା ହୋଇଥିଲା କି ନାହିଁ, ତାହା ମଧ୍ୟ ଯାଞ୍ଚ ପରିସରକୁ ଆସିବ।
ତେବେ ଏହି ଦୁର୍ଘଟଣା ପୁଣି ଥରେ ମିଶରର ରେଳ ସୁରକ୍ଷା ବ୍ୟବସ୍ଥାକୁ ନେଇ ପ୍ରଶ୍ନ ଉଠାଇଛି। ଯାତ୍ରୀଙ୍କ ସୁରକ୍ଷାରେ କେଉଁଠି ତ୍ରୁଟି ରହିଲା, ଦୁଇଟି ଟ୍ରେନ୍ ମଧ୍ୟରେ ଧକ୍କା କିପରି ହେଲା ଏବଂ ଏଥିପାଇଁ କିଏ ଦାୟୀ, ତାହା ତଦନ୍ତ ପରେ ହିଁ ସ୍ପଷ୍ଟ ହେବ।

