ଭୁବନେଶ୍ୱର: ଆସନ୍ତା ଅକ୍ଟୋବର ୨୫ ତାରିଖରେ ଓଡ଼ିଶା ଗସ୍ତରେ ଆସିବେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ଏହି ଗସ୍ତ ଅବସରରେ ଭୁବନେଶ୍ୱର ଉପକଣ୍ଠ ଜଟଣୀର ଇନଫୋ ଭ୍ୟାଲି-୨ରେ ନିର୍ମିତ ଭାରତୀୟ ରିଜର୍ଭ ବ୍ୟାଙ୍କ (RBI)ର ଗ୍ରୀନଫିଲ୍ଡ ଡାଟା ସେଣ୍ଟର ଏବଂ ‘ଏଣ୍ଟରପ୍ରାଇଜ୍ କମ୍ପ୍ୟୁଟିଂ ଆଣ୍ଡ ସାଇବର ସିକ୍ୟୁରିଟି ଟ୍ରେନିଂ ଇନଷ୍ଟିଚ୍ୟୁଟ୍’ର ଉଦ୍ଘାଟନ କରିବେ। ଏଥିପାଇଁ ରାଜ୍ୟ ପ୍ରଶାସନ ପକ୍ଷରୁ ପ୍ରସ୍ତୁତିକୁ ଜୋରଦାର କରାଯାଇଛି।
ପ୍ରସ୍ତାବିତ କାର୍ଯ୍ୟସୂଚୀ ଅନୁଯାୟୀ, ଅକ୍ଟୋବର ୨୫ ତାରିଖ ଅପରାହ୍ନରେ ସ୍ୱତନ୍ତ୍ର ବିମାନ ଯୋଗେ ପ୍ରଧାନମନ୍ତ୍ରୀ ଭୁବନେଶ୍ୱରରେ ପହଞ୍ଚିବେ। ଏହାପରେ ହେଲିକପ୍ଟର ଯୋଗେ ଖୋର୍ଦ୍ଧା ଜିଲ୍ଲାର ନିର୍ଦ୍ଧାରିତ ହେଲିପ୍ୟାଡ୍କୁ ଯିବା ଏବଂ ସେଠାରୁ ସଡ଼କପଥରେ ଉଦ୍ଘାଟନ ସ୍ଥଳରେ ପହଞ୍ଚିବା ନେଇ ଯୋଜନା ରହିଛି। ତେବେ ଚୂଡ଼ାନ୍ତ କାର୍ଯ୍ୟସୂଚୀରେ ପରିବର୍ତ୍ତନ ହୋଇପାରେ।
ପ୍ରଧାନମନ୍ତ୍ରୀଙ୍କ ଗସ୍ତକୁ ଦୃଷ୍ଟିରେ ରଖି ରାଜ୍ୟ ସରକାରଙ୍କ ପକ୍ଷରୁ ଉଚ୍ଚସ୍ତରୀୟ ପ୍ରସ୍ତୁତି ବୈଠକ କରାଯାଇଛି। ମୁଖ୍ୟ ଶାସନ ସଚିବ ଅନୁ ଗର୍ଗଙ୍କ ଅଧ୍ୟକ୍ଷତାରେ ହୋଇଥିବା ବୈଠକରେ ସୁରକ୍ଷା, ଯାତାୟାତ, ରାସ୍ତାଘାଟ ମରାମତି, ପରିମଳ, ପାନୀୟ ଜଳ ଏବଂ ଜରୁରୀକାଳୀନ ଚିକିତ୍ସା ସେବା ଭଳି ବିଭିନ୍ନ ବିଷୟ ଉପରେ ଆଲୋଚନା ହୋଇଛି। ଗସ୍ତ କାର୍ଯ୍ୟକ୍ରମକୁ ଶୃଙ୍ଖଳିତ ଭାବେ ସମ୍ପନ୍ନ କରିବା ପାଇଁ ସମ୍ପୃକ୍ତ ବିଭାଗଗୁଡ଼ିକୁ ସମନ୍ୱୟ ରଖି କାମ କରିବାକୁ କୁହାଯାଇଛି।
ଜଟଣୀର ଇନଫୋ ଭ୍ୟାଲି-୨ରେ ନିର୍ମିତ ଏହି ଡାଟା ସେଣ୍ଟର ପ୍ରାୟ ୧୮.୫୫ ଏକର ଜମିରେ ବିକଶିତ ହୋଇଛି। ଏହା ମୁମ୍ବାଇରେ ଥିବା RBIର ମୁଖ୍ୟ ଡାଟା ସେଣ୍ଟର ପାଇଁ ଏକ ବିକଳ୍ପ ଓ ବ୍ୟାକ୍ଅପ୍ ବ୍ୟବସ୍ଥା ଭାବେ କାର୍ଯ୍ୟ କରିବ। ଏହାଦ୍ୱାରା ଦେଶର ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ତଥ୍ୟର ସୁରକ୍ଷା, ଡାଟା ପୁନରୁଦ୍ଧାର ଏବଂ ବ୍ୟାଙ୍କିଂ ବ୍ୟବସ୍ଥାର ନିରବଚ୍ଛିନ୍ନ କାର୍ଯ୍ୟକୁ ସୁଦୃଢ଼ କରିବା ଲକ୍ଷ୍ୟ ରହିଛି।
ଡିଜିଟାଲ୍ ବ୍ୟାଙ୍କିଂ, ପେମେଣ୍ଟ ଓ ସେଟଲମେଣ୍ଟ ସିଷ୍ଟମ୍ ସହ ଜଡ଼ିତ ଗୁରୁତ୍ୱପୂର୍ଣ୍ଣ କାର୍ଯ୍ୟଗୁଡ଼ିକରେ ଏହି ଭିତ୍ତିଭୂମି ସହାୟକ ହେବ। ଅନ୍ୟପଟେ, ଏହି କ୍ୟାମ୍ପସ୍ରେ ଥିବା ଏଣ୍ଟରପ୍ରାଇଜ୍ କମ୍ପ୍ୟୁଟିଂ ଓ ସାଇବର ସିକ୍ୟୁରିଟି ଟ୍ରେନିଂ ଇନଷ୍ଟିଚ୍ୟୁଟ୍ ଆଧୁନିକ କମ୍ପ୍ୟୁଟିଂ ପ୍ରଯୁକ୍ତି, ସାଇବର ସୁରକ୍ଷା, ଗବେଷଣା ଏବଂ ଦକ୍ଷତା ବିକାଶ କ୍ଷେତ୍ରରେ ଗୁରୁତ୍ୱ ବହନ କରିବ।
ଏହି ପ୍ରକଳ୍ପର ଶିଳାନ୍ୟାସ ୨୦୨୩ ମସିହା ମାର୍ଚ୍ଚ ୨୨ ତାରିଖରେ ତତ୍କାଳୀନ RBI ଗଭର୍ଣ୍ଣର ଶକ୍ତିକାନ୍ତ ଦାସଙ୍କ ଦ୍ୱାରା କରାଯାଇଥିଲା।
ଜଟଣୀରେ ଏହି ଗୁରୁତ୍ୱପୂର୍ଣ୍ଣ ଆର୍ଥିକ ଓ ପ୍ରଯୁକ୍ତିଭିତ୍ତିକ ପ୍ରକଳ୍ପର ଉଦ୍ଘାଟନ ଓଡ଼ିଶା ପାଇଁ ଏକ ଉଲ୍ଲେଖନୀୟ ଘଟଣା। ଏହା ରାଜ୍ୟକୁ ଜାତୀୟ ସ୍ତରର ଡିଜିଟାଲ୍ ଭିତ୍ତିଭୂମି ମାନଚିତ୍ରରେ ଆହୁରି ଗୁରୁତ୍ୱ ଦେବା ସହ ଆର୍ଥିକ ତଥ୍ୟ ସୁରକ୍ଷା ଏବଂ ସାଇବର ସୁରକ୍ଷା ଦକ୍ଷତା ବିକାଶରେ ସହାୟକ ହେବ ବୋଲି ଆଶା କରାଯାଉଛି।
ପ୍ରଧାନମନ୍ତ୍ରୀଙ୍କ ଏହି ଗସ୍ତକୁ ନେଇ ପ୍ରଶାସନିକ ପ୍ରସ୍ତୁତି ଚାଲିଥିବାବେଳେ, ନିର୍ଦ୍ଧାରିତ ଦିନରେ ଉଦ୍ଘାଟନ କାର୍ଯ୍ୟକ୍ରମ ଉପରେ ସମସ୍ତଙ୍କ ନଜର ରହିଛି।

