ଦିନ ଥିଲା କ୍ରିକେଟ୍ ପଡ଼ିଆରେ ୱେଷ୍ଟଇଣ୍ଡିଜ୍ ଟିମ୍ ପାଦ ଥାପିଲେ ବିପକ୍ଷ ଦଳର ଛାତି ଥରୁଥିଲା। କିନ୍ତୁ ଏବେ ସମୟ ବଦଳିଛି । ୨୦୨୭ ଦିନିକିଆ ବିଶ୍ୱକପ୍ ପାଇଁ ସିଧାସଳଖ କ୍ୱାଲିଫାଏ କରିବାରୁ ବଞ୍ଚିତ ହୋଇଛି ଏହି ଦୁଇ ଥରର ବିଶ୍ୱ ଚାମ୍ପିଅନ୍ ଟିମ୍ । ଆଫଗାନିସ୍ତାନର ବିଜୟ ପରେ କାରିବିୟାନ୍ ଦଳର ସିଧାସଳଖ ଏଣ୍ଟ୍ରି ଆଶା ସବୁଦିନ ପାଇଁ ମଉଳି ଯାଇଛି । ଏବେ କାରବିୟାନ୍ ଟିମ୍ କେମିତି ପାଇବ ବିଶ୍ବକପ୍ ଟିକେଟ୍ ? କ’ଣ କହୁଛି ଗଣିତ ଆସନ୍ତୁ ଦେଖିବା ।
୧୯୭୫ ଓ ୧୯୭୯ ମସିହା… କ୍ରିକେଟ୍ ଇତିହାସରେ ଏହି ଦୁଇ ବର୍ଷ କେବଳ ୱେଷ୍ଟଇଣ୍ଡିଜ୍ ନାଁରେ ହିଁ ଲେଖା ହୋଇଥିଲା । ଗୋଟିଏ ପରେ ଗୋଟିଏ ବିଶାଳକାୟ ଖେଳାଳି, ଘାତକ ଫାଷ୍ଟ ବୋଲିଂ ଏବଂ ଛକା ଚୌକାର ବର୍ଷା କରୁଥିବା ଏହି ମହାରଥୀ ଦଳର ଅବସ୍ଥା ଆଜି ଅତ୍ୟନ୍ତ ଶୋଚନୀୟ ହୋଇପଡ଼ିଛି। ଗତ ୧୦ ବର୍ଷ ହେବ ଲଗାତାର ବିପର୍ଯ୍ୟୟର ସମ୍ମୁଖୀନ ହେଉଥିବା ୱେଷ୍ଟଇଣ୍ଡିଜ୍ କ୍ରିକେଟକୁ ଏବେ ଲାଗିଛି ଆଉ ଏକ ବଡ଼ ଝଟକା । ୨୦୨୭ ଦିନିକିଆ ବିଶ୍ୱକପରେ ସିଧାସଳଖ ଖେଳିବା ପାଇଁ ଟିକେଟ୍ ହାତେଇବାରୁ ବଞ୍ଚିତ ହୋଇଛି କାରିବିୟାନ୍ ବ୍ରିଗେଡ୍ । ନିଜର ଦମଦାର ପ୍ରଦର୍ଶନ ବଳରେ ଆଫଗାନିସ୍ତାନ ସିଧାସଳଖ ବିଶ୍ୱକପ୍ ଟିକେଟ୍ ହାତେଇ ନେବା ପରେ, ଦିନିକିଆ ମାନ୍ୟତା ତାଲିକାରେ ୧୦ମ ସ୍ଥାନରେ ସଂଘର୍ଷ କରୁଥିବା ୱେଷ୍ଟଇଣ୍ଡିଜ୍ ପାଇଁ ସିଧାସଳଖ କ୍ୱାଲିଫାଏ କରିବାର ସମସ୍ତ ରାସ୍ତା ସମ୍ପୂର୍ଣ୍ଣ ବନ୍ଦ ହୋଇଯାଇଛି ।
ୱେଷ୍ଟଇଣ୍ଡିଜ୍ ପାଇଁ ବର୍ତ୍ତମାନର ସମୀକରଣ କାଠିକର ପାଠ । ଆଗାମୀ ସିରିଜରେ ଯଦି ଦଳ ଶକ୍ତିଶାଳୀ ଭାରତକୁ ୨-୦ରେ ହରାଇ କ୍ଲିନ୍ ସୁଇପ୍ ମଧ୍ୟ କରେ, ତଥାପି ସେମାନଙ୍କୁ କୌଣସି ଫାଇଦା ମିଳିବ ନାହିଁ । ଆଇସିସିର ନିୟମ ଅନୁଯାୟୀ, ଦିନିକିଆ ରାଙ୍କିଙ୍ଗର ଶୀର୍ଷ ୮ଟି ଦଳ ଏବଂ ଆୟୋଜକ ଦେଶକୁ ମିଶାଇ ସିଧାସଳଖ ବିଶ୍ୱକପ୍ ଟିକେଟ୍ ପାଇଥାନ୍ତି । ଦକ୍ଷିଣ ଆଫ୍ରିକା, ଜିମ୍ବାୱେ ଏବଂ ନାମିବ୍ୟାର ମିଳିତ ଆୟୋଜନରେ ହେବାକୁ ଥିବା ଏହି ଟୁର୍ଣ୍ଣାମେଣ୍ଟରେ, ଦକ୍ଷିଣ ଆଫ୍ରିକା ଟପ୍-୮ ରେ ଥିବା ବେଳେ ବାଂଲାଦେଶ ଭଳି ଦଳ ନବମ ସ୍ଥାନରେ ରହି ମଧ୍ୟ ସୁଯୋଗ ପାଇବାର ସମ୍ଭାବନା ରହିଛି । କିନ୍ତୁ ଅନ୍ୟତମ ଆୟୋଜକ ଜିମ୍ବାୱେ ୧୧ତମ ସ୍ଥାନରେ ଥିବାରୁ, ତାଙ୍କ ସମେତ ୱେଷ୍ଟଇଣ୍ଡିଜକୁ ମଧ୍ୟ ଅନ୍ୟ ଛୋଟ ଏବଂ ଆସୋସିଏଟ୍ ଦଳଙ୍କ ସହ କଡ଼ା ମୁକାବିଲା କରିବାକୁ ପଡ଼ିବ ।
ୱେଷ୍ଟଇଣ୍ଡିଜ୍ ପାଇଁ ଏଭଳି ଦୁର୍ଦ୍ଦଶା ନୂଆ ନୁହେଁ । ଲଗାତାର ତୃତୀୟ ଥର ପାଇଁ ସେମାନେ ଟପ୍-୮ ରେ ରହିବାରେ ବିଫଳ ହୋଇଛନ୍ତି । ୨୦୧୯ ଏବଂ ୨୦୨୩ ବିଶ୍ୱକପ୍ ପୂର୍ବରୁ ମଧ୍ୟ ସେମାନଙ୍କୁ କ୍ୱାଲିଫାୟର୍ସ ଦେଇ ଗତି କରିବାକୁ ପଡ଼ିଥିଲା । ସବୁଠାରୁ ଦୁଃଖଦ ଘଟଣା ଥିଲା ୨୦୨୩ ମସିହାରେ, ଯେତେବେଳେ କ୍ୱାଲିଫାୟର୍ସରେ ହାରିବା କାରଣରୁ ବିଶ୍ୱକପ୍ ଇତିହାସରେ ପ୍ରଥମ ଥର ପାଇଁ ୱେଷ୍ଟଇଣ୍ଡିଜ୍ ଦଳ ବିଶ୍ୱକପ୍ ମହାକୁମ୍ଭରୁ ବାଦ୍ ପଡ଼ିଥିଲା । କ୍ରିକେଟ୍ ଅନିଶ୍ଚିତତାର ଖେଳ ସତ, କିନ୍ତୁ ଗୋଟିଏ ସମୟର ଶକ୍ତିଶାଳୀ ଟିମ୍ ଆଜି ଯେଭଳି ନିଜ ଅସ୍ତିତ୍ୱ ଖୋଜୁଛି ତାହା ସମଗ୍ର କ୍ରିକେଟ୍ ପ୍ରେମୀଙ୍କୁ ଦୁଖିତ କରିଛି । ଏବେ ଦେଖିବା ବାକି ରହିଲା କ୍ୱାଲିଫାୟର୍ସ ରାଉଣ୍ଡରେ କାରିବିୟାନ୍ ଟିମ୍ କିଭଳି ପ୍ରଦର୍ଶନ କରୁଛି, ଆଉ ପୁଣି ଥରେ ନିଜ ଦଳର ଅସଲ ପରିଚୟ ଫେରାଇ ଆଣିବାରେ ସକ୍ଷମ ହେଉଛି କି ନାହିଁ ।

