ନୀତିନ ନବୀନ ହେଲେ ବିଜେପିର ରାଷ୍ଟ୍ରୀୟ ଅଧ୍ୟକ୍ଷ। ଆସନ୍ତାକାଲି ଔପଚାରିକ ଭାବେ ହେବ ଘୋଷଣା । ସେ ଜେପି ନଡ୍ଡାଙ୍କ ଠାରୁ ଦାୟିତ୍ବ ନେବେ । ଆଗାମୀ ଦିନରେ ପଶ୍ଚିମବଂଗ, ଆସାମ, କେରଳ ତାମିଲନାଡୁ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଥିବାରୁ ଏହା ତାଙ୍କ ପାଇଁ ପ୍ରଥମ ଚ୍ୟାଲେଂଜ ହେବ । ଆଜି ନାମାଙ୍କନ ଦାଖଲ କଲେ ନୀତିନ ନବୀନ।
ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ନିର୍ବାଚନ ପାଇଁ ନାମାଙ୍କନ ସରିଛି । ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ନୀତିନ ନବୀନ ନାମାଙ୍କନ ଦାଖଲ କରିଛନ୍ତି । ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ ଓ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହ ପ୍ରସ୍ତାବକ ରହିଥିଲେ । କେନ୍ଦ୍ର ମନ୍ତ୍ରୀ ଜେପି ନଡ୍ଡା, ନିତିନ ଗଡ଼କରୀ ଓ ଧର୍ମେନ୍ଦ୍ର ପ୍ରଧାନ, ଭୂପେନ୍ଦ୍ର ଯାଦବ, କିରଣ ରିଜିଜୁଙ୍କ ଉପସ୍ଥିତିରେ ଦାଖଲ ହୋଇଛି ନାମାଙ୍କନ । ଏଥିସହ ଅନେକ ରାଜ୍ୟର ମୁଖ୍ୟମନ୍ତ୍ରୀ ଓ ଉପ ମୁଖ୍ୟମନ୍ତ୍ରୀ ଉପସ୍ଥିତ ଥିଲେ । ବିଜେପିର ତୁଙ୍ଗନେତାଙ୍କ ଦ୍ବାରା ମୋଟ୍ ୩୭ ସେଟ୍ ନାମାଙ୍କନ ପତ୍ର ଦାଖଲ ହୋଇଛି ।
ଆଜି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ପାଇଁ କେବଳ ନିତିନ ନବୀନ ନାମାଙ୍କନ ଦାଖଲ କରିଥିବାରୁ ସେ ନୂଆ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବା ଏକ ପ୍ରକାର ନିଶ୍ଚିତ । କିନ୍ତୁ ଏନେଇ ଆସନ୍ତାକାଲି ବିଧିବଦ୍ଧ ଘୋଷଣା ହେବ । ଆସନ୍ତାକାଲି ବିଜେପି ମୁଖ୍ୟାଳୟରେ ଏକାଠି ହେବେ ୭ଶହ ପ୍ରତିନିଧି । ପ୍ରଧାନମନ୍ତ୍ରୀଙ୍କ ଉପସ୍ଥିତିରେ ଘୋଷଣା ହେବ ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ନାମ । ବର୍ତ୍ତମାନ କାର୍ଯ୍ୟକାରୀ ସଭାପତି ଭାବେ ଦାୟିତ୍ୱ ତୁଲାଉଥିବା ନୀତିନ ନବୀଙ୍କୁ ପୂର୍ଣ୍ଣକାଳୀନ ସଭାପତି ଭାବେ ଦାୟିତ୍ୱ ପ୍ରଦାନ କରାଯିବ। ଗତ ବର୍ଷ ଡିସେମ୍ବର ୧୪ ତାରିଖରେ ନିତିନ ନବୀନଙ୍କୁ ରାଷ୍ଟ୍ରୀୟ କାର୍ଯ୍ୟକାରୀ ସଭାପତି ଭାବେ ନିଯୁକ୍ତି କରାଯାଇଥିଲା
୧୯୮୦ରେ ଜନ୍ମିତ ନିତିନ ନବୀନଙ୍କ ଜନ୍ମ ବିହାରର ପାଟନାରେ । ସେ କାୟସ୍ଥ ସମ୍ପ୍ରଦାୟରୁ ଆସିଛନ୍ତି । ତାଙ୍କ ପିତା ନବୀନ କିଶୋର ସିହ୍ନା ବିଜେପିର ବରିଷ୍ଠ ନେତା ଥିଲେ । ପିତାଙ୍କ ମୃତ୍ୟୁ ପରେ ନିତିନ ନବୀନ ସକ୍ରିୟ ରାଜନୀତିରେ ପାଦ ଦେଇ ୨୦୦୬ ଉପନିର୍ବାଚନରେ ପ୍ରଥମ ଥର ବିଜୟ ହାସଲ କଲେ । ବାଙ୍କିପୁରାରୁ ୨୦୧୦, ୨୦୧୫, ୨୦୨୦ ଓ ୨୦୨୫ ବିଧାନସଭା ନିର୍ବାଚନରେ ବିଜୟୀ ହୋଇଥିଲେ ।
୫ ଥର ବିଧାନସଭାକୁ ନିର୍ବାଚିତ ହୋଇ ବିଭିନ୍ନ ମନ୍ତ୍ରୀ ପଦ ସମ୍ଭାଳିଛନ୍ତି । ୨୦୧୬ରୁ ୨୦୧୯ ପର୍ଯ୍ୟନ୍ତ ବିଜେପି ଯୁବ ମୋର୍ଚ୍ଚାର ରାଷ୍ଟ୍ରୀୟ ସଭାପତି ରହିଛନ୍ତି । ରାଷ୍ଟ୍ରୀୟ ସ୍ତରରେ ପରିଚୟ ସୃଷ୍ଟି କରିବା ପରେ ଅନ୍ୟ ରାଜ୍ୟ ଦାୟିତ୍ବ ବି ମିଳିଥିଲା । ୨୦୧୯ରେ ସିକ୍କିମ ଓ ୨୦୨୪ରେ ଛତିଶଗଡ଼ ସଂଗଠନ ପ୍ରଭାରୀ ଦାୟିତ୍ବ ମିଳିଥିଲା । ମାତ୍ର ୪୫ ବର୍ଷରେ ନିତିନ ନବୀନ ଗତ ଡିସେମ୍ବରରୁ ବିଜେପି କାର୍ଯ୍ୟକାରୀ ସଭାପତି ଅଛନ୍ତି।
ନିତିନ ନବୀନଙ୍କୁ ମଙ୍ଗଳବାର ବିଜେପିର ସର୍ବ କନିଷ୍ଠ ରାଷ୍ଟ୍ରୀୟ ଅଧ୍ୟକ୍ଷ ଭାବେ ଘୋଷଣା କରାଯିବା ସହ ନୂଆ ଅଧ୍ୟାୟ ସୃଷ୍ଟି ହେବାକୁ ଯାଉଛି । ସେ ଜେପି ନଡ୍ଡାଙ୍କ ଠାରୁ ଦାୟିତ୍ବ ନେବେ ।ଆଗାମୀ ଦିନରେ ପଶ୍ଚିମବଂଗ, ଆସାମ, କେରଳ ତାମିଲନାଡୁ ଓ ପୁଡୁଚେରୀରେ ବିଧାନସଭା ନିର୍ବାଚନ ଥିବାରୁ ଏହା ତାଙ୍କ ପାଇଁ ପ୍ରଥମ ଚ୍ୟାଲେଂଜ ହେବ । ଏହାପରେ ୨୦୨୯ ଲୋକସଭା ନିର୍ବାଚନ ପାଇଁ ଦଳର ରଣନୀତି ତିଆରିରେ ତାଙ୍କର ପ୍ରମୁଖ ଭୂମିକା ରହିବ ।
ବିଜେପିର ଛାତ୍ର ସଂଗଠନରୁ ରାଜନୀତି ଆରମ୍ଭ କରିଥିବା ନୀତିନ ନବୀନ ଦ୍ବାଦଶ ରାଷ୍ଟ୍ରୀୟ ଅଧ୍ୟକ୍ଷ ହେବେ । ପୂର୍ବରୁ ଅଟଳ ବିହାରୀ ବାଜପାୟୀ, ଲାଲକୃଷ୍ଣ ଆଡଭାନୀ, ଭେଙ୍କିଆ ନାଇଡୁ, ରାଜନାଥ ସିଂ, ନୀତିନ ଗଡକରୀ, ଅମିତ ଶାହଙ୍କ ପରି ତୁଙ୍ଗ ନେତା ବିଜେପିର ଅଧ୍ୟକ୍ଷ ଦାୟିତ୍ବ ତୁଲାଇଛନ୍ତି ।
ଭାରତୀୟ ଜନତା ପାର୍ଟି ରାଷ୍ଟ୍ରୀୟ ଅଧ୍ୟକ୍ଷ ପଦ ନିର୍ବାଚନ ପାଇଁ ନାମାଙ୍କନ ପ୍ରକ୍ରିୟାରେ କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ବିଜେପି ସଂସଦୀୟ ଦଳ ପ୍ରତିନିଧି ମାନଙ୍କ ସହ ସାମିଲ ହୋଇଥିଲେ । ଏହି ଅବସରରେ ଓଡିଶା ବିଜେପିର ବରିଷ୍ଠ ନେତୃଗଣ ଉପସ୍ଥିତ ଥିଲେ । ନିତିନ ନବୀନଙ୍କୁ ରାଷ୍ଟ୍ରୀୟ ଅଧ୍ୟକ୍ଷ ପାଇଁ ପ୍ରସ୍ତାବକୁ ଓଡ଼ିଶା ବିଜେପି ପକ୍ଷରୁ ପୂର୍ଣ୍ଣ ସମର୍ଥନ ମିଳିଥିବା କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ସୋସିଆଲ ମିଡିଆରେ ସେୟାର କରିଛନ୍ତି ।

