17 Oct 2026, Sat

ଜାନୁଆରୀରୁ ରାଜ୍ୟରେ ଖରାର ପ୍ରକୋପ ଦେଖିବାକୁ ମିଳିଲାଣି। ବଢିଲା ରାତ୍ରି ତାପମାତ୍ରା । ରାଜ୍ୟରୁ ଶୀତ ଗାଏବ। ଆଜି ସକାଳ ୫ଟା ୩୦ରେ ରେକର୍ଡ ହୋଇଛି ତାପମାତ୍ରା। ଅନେକ ସ୍ଥାନରେ ରାତି ତାପମାତ୍ରା ୧୦ ଡିଗ୍ରୀ ସେଲସିୟସ୍ ତଳେ କିମ୍ବା ପାଖାପାଖି ରହିଛି। ଏପଟେ ଡରାଇଲାଣି ଖରା ପ୍ରକୋପ।

ରାଜ୍ୟର ଅଧିକାଂଶ ସ୍ଥାନରେ ଦିନ ତାପମାତ୍ରା ବୃଦ୍ଧି ପାଇଛି । ସ୍ୱାଭାବିକଠାରୁ ସାଢ଼େ ୩ ଡିଗ୍ରୀ ସେଲସିୟସ୍ ପର୍ଯ୍ୟନ୍ତ ଅଧିକ ରହିଛି ଦିନ ତାପମାତ୍ରା । ପାରଳାଖେମୁଣ୍ଡିରେ ଦିନର ସର୍ବୋଚ୍ଚ ତାପମାତ୍ରା ୩୨ ଡିଗ୍ରୀରେ ପହଞ୍ଚିଛି । ଚଳିତବର୍ଷ ସୂର୍ଯ୍ୟାଙ୍କର ଉତ୍ତରାୟଣ ଗତି ଆରମ୍ଭ ପରେ ପ୍ରଥମ ଥର ପାଇଁ ଗତକାଲି ରାଜଧାନୀ ଭୁବନେଶ୍ୱର ରେ ଗତ କାଲି ୩୦ ଡିଗ୍ରୀ ଛୁଇଁଥିଲା ପାରଦ ।

ରାତିରେ ଥଣ୍ଡା ପ୍ରକୋପ କମିନାହିଁ । କିନ୍ତୁ, ଦିନ ୧୧ଟା ପରେ ଖରା ଟାଏଁଟାଏଁ ହେଲାଣି । ସୋମବାର ରାଜ୍ୟର ୧୨ଟି ସ୍ଥାନରେ ଦିନ ତାପମାତ୍ରା ୩୦ ଡିଗ୍ରୀ କିମ୍ବା ତା’ଠାରୁ ଅଧିକ ଥିଲା । ପାରଳାଖେମୁଣ୍ଡି ପଛକୁ ଝାରସୁଗୁଡ଼ାରେ ଦିନ ତାପମାତ୍ରା ୩୧.୮, ସୁନ୍ଦରଗଡ଼ ୩୧.୮, ସମ୍ବଲପୁର ୩୧.୮, ବଲାଙ୍ଗୀର ୩୧.୪, ହୀରାକୁଦ ୩୧.୨ ଡିଗ୍ରୀ ସେଲସିୟସ୍ ଛୁଇଁଥିଲା ।

ଟିଟିଲାଗଡ଼, ଭୁବନେଶ୍ୱର ଓ ଭବାନୀପାଟଣାରେ ପାରଦ ୩୧ ଡିଗ୍ରୀ ଥିବାବେଳେ ରାଉରକେଲା ୩୦.୫, ନବରଙ୍ଗପୁର ୩୦, ତାଳଚେର ୩୦ ଡିଗ୍ରୀ ଥିଲା । ଝାରସୁଗୁଡ଼ାରେ ଦିନ ତାପମାତ୍ରା ସ୍ୱାଭାବିକଠାରୁ ୩.୫ ଡିଗ୍ରୀ ଅଧିକ ଥିବା ବେଳେ ସମ୍ବଲପୁର ୩, ସୁନ୍ଦରଗଡ଼ ୨.୯, ବଲାଙ୍ଗୀର ୨.୯, ଭବାନୀପାଟଣା ୨.୧, ହୀରାକୁଦ ୨, ଭୁବନେଶ୍ୱର ୧.୫ ଡିଗ୍ରୀ ଅଧିକ ଥିଲା । ଅଧିକାଂଶ ସ୍ଥାନରେ ଦିନର ସର୍ବୋଚ୍ଚ ତାପମାତ୍ରା ୨୮ରୁ ୩୦ ଡିଗ୍ରୀ ଭିତରେ ରହିଥିଲା । ଦିନ ତାପମାତ୍ରା ୩୧ ଡିଗ୍ରୀ ପାଖାପାଖି ରହିବା ସମ୍ଭାବନା ଅଛି ।

ସୋଆ ଜଳବାୟୁ ଓ ପରିବେଶ କେନ୍ଦ୍ର ନିର୍ଦ୍ଦେଶକ ଡକ୍ଟର ଶରତ ଚନ୍ଦ୍ର ସାହୁ କହିଛନ୍ତି, ସୂର୍ଯ୍ୟଙ୍କ ଉତ୍ତରାୟଣ ଗତି ସହ ଦିନ ତାପମାତ୍ରା ବଢ଼ିଛି । ଏବେ ଖରା ଏଭଳି ରହିବ । ରାତି ତାପମାତ୍ରା ବଢ଼ିବନି, କିନ୍ତୁ, ପ୍ରାୟତଃ ଏପରି ରହିବ । ଆଗକୁ ଦୁଇଟି ପଶ୍ଚିମା ଝଡ଼ ପ୍ରଭାବ ଯୋଗୁ ଉତ୍ତର ଆଭ୍ୟନ୍ତରୀଣରେ ସାମାନ୍ୟ କୁଆପଥର ସହ ବର୍ଷା ହୋଇପାରେ ।

Leave a Reply

Your email address will not be published. Required fields are marked *