ଭୁବନେଶ୍ୱରରେ ରବିବାର ସକାଳୁ ସକାଳୁ ପ୍ରବଳ କୁହୁଡ଼ି ଦେଖିବାକୁ ମିଳିଛି । ରାସ୍ତାରେ ଘାଟ ଗଛ ପତ୍ର କିଛି ଦେଖାଯାଉନଥିଲା । ଘନ କୁହୁଡ଼ିରେ ଜନଜୀବନ ଅସ୍ତବ୍ୟସ୍ତ ହୋଇପଡ଼ିଛି । ପ୍ରବଳ କୁହୁଡ଼ି ଯୋଗୁ ଗାଡ଼ି ଚଳାଚଳରେ ସମସ୍ୟା ଦେଖାଯାଇଛି । କିଛି ଯାଗାରେ ଗାଡ଼ି ଚାଳକ ଦୁର୍ଘଟଣାରୁ ଅଳ୍ପକେ ବର୍ତ୍ତିଯାଇଥିବା ନଜିର ରହିଛି । କୁଡୁଡ଼ିର ପରିମାଣ ଏତେ ଥିଲା ଯେ ୫୦ ମିଟର ବି ଠିକ୍ରେ ଦେଖାଯାଉନଥିଲା । କିଛି ସ୍ଥାନରେ ଦୃଶ୍ୟତା ୫୦ ମିଟରରୁ କମ୍ ମଧ୍ୟ ରହିଥିଲା । ସମ୍ପୂର୍ଣ୍ଣ ରାଜଧାନୀ ଧଳା କୁହୁଡିର ଚାଦର ଭିତରେ ଘୋଡ଼ାଇ ହୋଇ ରହିଥିଲା ।
ଅନ୍ୟପଟେ ଓଡ଼ିଶା ପାଇଁ ମାଡ଼ି ଆସୁଛି ଆଉ ଏକ ବିପଦ । ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ସୃଷ୍ଟି ହେଲା ଲଘୁଚାପ । ଡିସେମ୍ବର ୨ ତାରିଖରେ ଓଡ଼ିଶାରେ ମାଡ଼ ହୋଇପାରେ ବାତ୍ୟା। ଆମେରିକୀୟ ପାଣିପାଗ ମଡେଲ୍ GFSର ଏମିତି ଆକଳନ, ପୁଣି ରାଜ୍ୟବାସୀଙ୍କ ମନରେ ଛନକ ପଶିଛି । ଏବେ ଧାନ ଅମଳ ଋତୁ ଚାଲିଥିବା ବେଳେ ବାତ୍ୟା ବିପତ୍ତି ଆଣିପାରେ।
ଏକାଧିକ ପାଣିପାଗ ମଡେଲ୍ ବାତ୍ୟା ଏବଂ ଓଡ଼ିଶା ଉପରେ ଏହାର ପ୍ରଭାବ ନେଇ ପୂର୍ବାନୁମାନ କରୁଥିବା ବେଳେ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଲଘୁଚାପ ସୃଷ୍ଟି ହୋଇସାରିଛି । ୨୪ ଘଣ୍ଟାରେ ଏହା ଅବପାତର ରୂପ ନେବ । ୨୫ ରୁ ୨୬ ତାରିଖ ଭିତରେ ବାତ୍ୟା ସୃଷ୍ଟି ହେବା ନେଇ ଆକଳନ କରାଯାଇଛି ।
ଏବେ ସୁଦ୍ଧା ଆସିଥିବା ଖବର ଅନୁସାରେ ମାଲାକ୍କା ସମୁଦ୍ର ସନ୍ଧି ପାର୍ଶ୍ଵବର୍ତ୍ତୀ ଦକ୍ଷିଣ ଆଣ୍ଡାମାନ ସାଗର ଉପରେ ଲଘୁଚାପ ସୃଷ୍ଟି ହୋଇଛି । ଆଗାମୀ ୪୮ ଘଣ୍ଟାରେ ନେବ ଅବପାତର ରୂପ । ଡିସେମ୍ବର ୧ କିମ୍ବା ୨ ତାରିଖ ବେଳକୁ ଓଡ଼ିଶା ଉପକୂଳ ଛୁଇଁ ଅତିକ୍ରମ କରିବ ବାତ୍ୟା। ପାଣିପାଗ ମଡେଲ୍ ସ୍କାଏମେଟର ଆକଳନ ଅନୁସାରେ ବାତ୍ୟା ତାମିଲନାଡୁ-ଆନ୍ଧ୍ର-ଓଡ଼ିଶା ଉପକୂଳ ଆଡ଼କୁ ମୁହାଁଇବ । ପାଣିପାଗ ବିଶେଷଜ୍ଞ ବିଶ୍ବଜିତ ସାହୁଙ୍କ ଆକଳନ ଅନୁସାରେ ମାଲାସ୍କା ସହ ଶ୍ରୀଲଙ୍କା ଉପକୂଳରେ ବି ଆଉ ଏକ ଘୂର୍ଣ୍ଣିବଳୟ ସକ୍ରିୟ ଅଛି ।

