ରାଜ୍ୟରେ ଆହୁରି ଦୁଇ ଦିନ ପ୍ରବଳ ବର୍ଷା ସମ୍ଭାବନା । ଆଜି ପାଇଁ ୫ ଜିଲ୍ଲା- ମାଲକାନଗିରି, କୋରାପୁଟ, ରାୟଗଡ଼ା, କଳାହାଣ୍ଡି ଓ ନବରଙ୍ଗପୁର ଜିଲ୍ଲାକୁ ମଧ୍ୟ ରେଡ୍ ୱାର୍ଣ୍ଣିଂ ଜାରି ହୋଇଛି । ସେହିପରି ୪ ଜିଲ୍ଲା- ଗଜପତି, କନ୍ଧମାଳ, ବଲାଙ୍ଗିର ଓ ନୂଆପଡ଼ାକୁ ଅରେଞ୍ଜ୍ ୱାର୍ଣ୍ଣିଂ ଜାରି ହୋଇଛି । ରାଜ୍ୟର ବାକି ୨୧ ଜିଲ୍ଲାକୁ ୟେଲୋ ଆଲର୍ଟ ଦେଇଛି ଆଞ୍ଚଳିକ ପାଣିପାଗ କେନ୍ଦ୍ର । ଆସନ୍ତାକାଲି ମଧ୍ୟ ପ୍ରବଳ ବର୍ଷା ନେଇ ରାଜ୍ୟର କିଛି ଜିଲ୍ଲାକୁ ୟେଲୋ ୱାର୍ଣ୍ଣିଂ ଜାରି ହୋଇଛି । ଗତ ୨୪ ଘଣ୍ଟାରେ ଭଦ୍ରକ ଚାନ୍ଦବାଲିରେ ସର୍ବାଧିକ ୭୪ ମିଲିମିଟର ବର୍ଷା ରେକର୍ଡ ହୋଇଛି । ବାଲେଶ୍ବରରେ ୬୦.୬ ମିମି, ଦାରିଙ୍ଗବାଡିରେ ୫୧, କୋରାପୁଟ ୩୬ ମିମି, ପାରାଦୀପରେ ୨୩, ମିମି ବର୍ଷା ରେକର୍ଡ ।
ଦୁର୍ବଳ ହୋଇ ଘୂର୍ଣ୍ଣିଝଡ଼ରେ ପରିଣତ ହେଲା ବାତ୍ୟା ‘ମୋନ୍ଥା’। ଆନ୍ଧ୍ରପ୍ରଦେଶ ଉପକୂଳ ଉପରେ ଭୟଙ୍କର ଘୂର୍ଣ୍ଣିଝଡ଼। ଉତ୍ତର-ପଶ୍ଚିମ ଦିଗରେ ଗତି କରି ଘୂର୍ଣ୍ଣିଝଡ଼ରେ ପରିଣତ ହୋଇଛି।ଘଣ୍ଟାପ୍ରତି ୧୦ କିମି ବେଗରେ ଅଗ୍ରସର ହେଉଛି। ଏବେ ନରସପୁର ଓ ମଛଲିପଟ୍ଟନମ ମଧ୍ୟରେ ଅଛି ‘ମୋନ୍ଥା’। କ୍ରମଶଃ ଆହୁରି ଦୁର୍ବଳ ହୋଇ ଗଭୀର ଅବପାତର ରୂପ ନେଇପାରେ। ବାତ୍ୟା ପ୍ରଭାବରେ ବୁଧବାର ମାଲକାନଗିରି, କୋରାପୁଟ, ନବରଙ୍ଗପୁର, କଳାହାଣ୍ଡି ଓ ରାୟଗଡ଼ା ଆଦି ୫ ଜିଲାକୁ ଭୀଷଣ ବର୍ଷା ନେଇ ରେଡ ୱାର୍ନିଂ ଜାରି କରାଯାଇଛି। ସେହିପରି ନୂଆପଡ଼ା, ବଲାଙ୍ଗୀର, କନ୍ଧମାଳ, ଗଞ୍ଜାମ ଓ ଗଜପତି ଜିଲାର ଗୋଟିଏ କିମ୍ବା ଦୁଇଟି ସ୍ଥାନରେ ପ୍ରବଳରୁ ଅତି ପ୍ରବଳ ବର୍ଷା ନେଇ ଅରେଞ୍ଜ ଓ୍ବାର୍ନିଂ ଜାରି କରାଯାଇଛି ଏବଂ ଅନ୍ୟ ଜିଲ୍ଲାଗୁଡ଼ିକରେ ପ୍ରବଳ ବର୍ଷା ନେଇ ୟେଲୋ ଓ୍ବାର୍ଣ୍ଣି ଜାରି ହୋଇଛି।
ନଭେମ୍ବର ୧ ପର୍ଯ୍ୟନ୍ତ ରାଜ୍ୟର ବିଭିନ୍ନ ସ୍ଥାନରେ ବର୍ଷା ଲାଗି ରହିବା ନେଇ ପାଣିପାଗ ବିଭାଗ ପକ୍ଷରୁ ଆକଳନ କରାଯାଇଛି। ଉତ୍ତର-ପଶ୍ଚିମ ବଙ୍ଗୋପସାଗର ସଂଲଗ୍ନ ଅଞ୍ଚଳଗୁଡ଼ିକରେ ଘଣ୍ଟା ପ୍ରତି ୩୦ରୁ ୪୦ କି.ମିରୁ ୫୦ କି.ମି ବେଗରେ ପବନ ବହିଥିଲା। ବୁଧବାର ସକାଳ ପର୍ଯ୍ୟନ୍ତ ସେହି ଅଞ୍ଚଳରେ ପବନର ବେଗ ଘଣ୍ଟା ପ୍ରତି ୬୦ ରୁ ୭୦ କି.ମି. କିମ୍ବା ୮୦ କି.ମି. ବେଗରେ ବହିବାର ସମ୍ଭାବନା ରହିଛି। ଏହା ଧୀରେଧୀରେ ହ୍ରାସ ପାଇ ୩୦ ଅକ୍ଟୋବର ସକାଳେ ଘଣ୍ଟା ପ୍ରତି ୩୫ରୁ ୪୫ କି.ମି. ଏବଂ ୫୫କି.ମି. ବେଗରେ ପବନ ବହିବାର ସମ୍ଭାବନା ରହିଛି।
ମୋନ୍ଥାର ମାଡ଼ରୁ ବର୍ତ୍ତିଗଲା ଓଡ଼ିଶା । ମାଲକାନଗିରିରୁ ପଶ୍ଚିମରେ ୩୦ରୁ ୪୦ କିଲୋମିଟର ଦେଇ ଗତି କରିବ ମୋନ୍ଥା । ପୂର୍ବରୁ ଅନୁମାନ ଥିଲା ଏହା ମାଲକାନଗିରି ଜିଲ୍ଲା ଦେଇ ଯିବ । କିନ୍ତୁ ବାତ୍ୟାର ମୋଡ଼ ବଦଳିଗଲା । ବର୍ତ୍ତମାନ ମାଲକାନଗିରି ଦେଇ ଯାଉ ନାହିଁ ବାତ୍ୟାର ଗତିପଥ । ତେଣୁ ପବନର ବେଗ ୬୦ କିଲୋମିଟରରୁ ଅଧିକ ହେବ ନାହିଁ । ବାତ୍ୟା ପଥ ଓଡ଼ିଶା ଦେଇ ଯାଉ ନଥିଲେ ମଧ୍ୟ ଦକ୍ଷିଣ ଓଡ଼ିଶା ବର୍ଷା ଓ ପବନ ଯୋଗୁଁ ପ୍ରଭାବିତ ହେବ । ମାଲକାନଗିରି, କୋରାପୁଟ, ରାୟଗଡ଼ା, ଗଜପତି ଓ ଗଞ୍ଜାମ ଜିଲ୍ଲାରେ ପ୍ରବଳ ବର୍ଷା ହେବାରୁ କେତେକ ସ୍ଥାନରେ ଭୂସ୍ଖଳନ ସାଙ୍ଗକୁ ପାହାଡ଼ ଧସିଛି । ଗଜପତି, ମାଲକାନଗିରି ଜିଲ୍ଲାର କିଛି ସ୍ଥାନରେ ବଡ଼ ବଡ଼ ଗଛ ଉପୁଡ଼ି ପଡ଼ିଛି ।
ଗଜପତି ଜିଲ୍ଲାରେ ପୋଲ ଉପରେ ବର୍ଷା ପାଣି । ବାତ୍ୟା ମୋନ୍ଥା ପ୍ରଭାବ ପରେ ପର୍ବତରୁ ଖସୁଛି ପାଣି। ପୋଲ ଉପରେ ପାଣି ଯୋଗୁଁ ଯାତାୟାତ ବାଧାପ୍ରାପ୍ତ ହୋଇଛି । ଗଜପତି ଜିଲ୍ଲା ଗୋଷାଣୀ ବ୍ଲକ ସରଧାପୁରୁଠାରୁ ଜଙ୍ଗଲପାଡୁ ସଂଯୋଗ କରୁଥିବା ରାସ୍ତାରେ ଥିବା ପୋଲ ଉପରେ ବର୍ଷା ପାଣି। ବାତ୍ୟା ପ୍ରଭାବରେ ଲଗାଣ ବର୍ଷା ଯୋଗୁଁ ଫୁଲୁଛି ଋଷିକୂଲ୍ୟା ନଦୀ । ଏବେ ବିପଦ ସଙ୍କେତ ତଳେ ରହିଛି ଜଳସ୍ତର । ପୁରୁଷୋତ୍ତମପୁରରେ ଋଷିକୂଲ୍ୟା ନଦୀର ଜଳସ୍ତର ବର୍ତ୍ତମାନ ୧୪.୬୦୦ ମିଲିମିଟର ରହିଛି । ବିପଦ ସଙ୍କେତ ଜଳସ୍ତର ୧୫.୯୦୦ ଓ ସତର୍କ ଜଳସ୍ତର ୧୫.୪୦୦ ରହିଛି । ଆଜି ଭୋରରୁ ପୁରୁଷୋତ୍ତମପୁରରେ ୩୮.୪ ମିଲିମିଟର ବର୍ଷା ରେକର୍ଡ ହୋଇଛି ।

